ନୂଆଦିଲ୍ଲୀ: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ମଧ୍ୟସ୍ଥତା କରିବାକୁ ପାକିସ୍ତାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିବେଦନ କରିଛି। ଦେଶର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ କହିଛନ୍ତି ଯେ, ଯଦି ଟ୍ରମ୍ପ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହାଁନ୍ତି ତେବେ ତାଙ୍କୁ ସ୍ୱାଗତ।
ଜିଓ ଟିଭିକୁ ପ୍ରତିକ୍ରିୟା ଦେଇ ଖ୍ବାଜା ଆସିଫ୍ କହିଛନ୍ତି, ‘ଆମେରିକୀୟ ରାଷ୍ଟ୍ରପତିମାନେ ପ୍ରାୟତଃ ଯୁଦ୍ଧ ପାଇଁ ଦାୟୀ ରହିଆସିଛନ୍ତି । କିନ୍ତୁ ଟ୍ରମ୍ପ ହେଉଛନ୍ତି ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ଯିଏ ଯୁଦ୍ଧ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି। ଗତ ୧୫-୨୦ ବର୍ଷ ମଧ୍ୟରେ, ଆମେରିକା ଯୁଦ୍ଧକୁ ପ୍ରୋତ୍ସାହିତ କରିଆସିଛି । ହେଲେ ଟ୍ରମ୍ପ ଶାନ୍ତି ଆଲୋଚନା ଆରମ୍ଭ କରିଛନ୍ତି। ଯଦି ସେ ପାକିସ୍ତାନ-ଆଫଗାନିସ୍ତାନ ଯୁଦ୍ଧରେ ସାହାଯ୍ୟ କରିବାକୁ ଚାହାଁନ୍ତି, ତେବେ ତାଙ୍କୁ ସ୍ୱାଗତ।’
ଆସିଫ ଭାରତ ଉପରେ ମଧ୍ୟ ଅଭିଯୋଗ ଆଣିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଭାରତ ତାଲିବାନକୁ ସମର୍ଥନ କରୁଛି ଏବଂ ପାକିସ୍ତାନ ବିରୁଦ୍ଧରେ ଏକ ପ୍ରକ୍ସି ବା ଛାୟା ଯୁଦ୍ଧ ଲଢ଼ୁଛି। କିଛି ଦିନ ପୂର୍ବରୁ, ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ଶାନ୍ତି ପ୍ରୟାସ ବିଷୟରେ କହିଥିଲେ ଯେ, ସେ ଆଠ ମାସରେ ଆଠଟି ବଡ଼ ଯୁଦ୍ଧ ବନ୍ଦ କରିଛନ୍ତି। ସେ ଏହା ମଧ୍ୟ ଦାବି କରିଥିଲେ ଯେ, ସେ ଶୁଳ୍କ ଧମକ ଦେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିଛନ୍ତି । ଟ୍ରମ୍ପ୍ କହିଥିଲେ, ‘ମୋତେ କେହି ନୋବେଲ୍ ପୁରସ୍କାର ଦେଇ ନାହାନ୍ତି । କିନ୍ତୁ ମୁଁ ଲକ୍ଷ ଲକ୍ଷ ଜୀବନ ବଞ୍ଚାଇଛି।’
ପାକିସ୍ତାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କୂଟନୈତିକ ପଦକ୍ଷେପକୁ ପ୍ରଶଂସା କରିଛି ଏବଂ ତାଙ୍କ ନାମ ନୋବେଲ ଶାନ୍ତି ପୁରସ୍କାର ପାଇ ସୁପାରିଶ କରିଛି । ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ସେନା ମୁଖ୍ୟ ଅସୀମ ମୁନିର ଟ୍ରମ୍ପଙ୍କୁ ‘ଯୁଦ୍ଧ-ରୋକୁଥିବା ନେତା’ ବୋଲି କହିଛନ୍ତି |