ନୂଆଦିଲ୍ଲୀ,୨୫।୫: ଆମେରିକାର ଗୁଇନ୍ଦା ରିପୋର୍ଟ ପୁଣିଥରେ ଚୀନର ବିସ୍ତାରବାଦୀ ନୀତି ଏବଂ ଭାରତ ପ୍ରତି ଏହାର ରଣନୈତିକ ଚ୍ୟାଲେଞ୍ଜ ଉପରେ ଚିନ୍ତା ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିରକ୍ଷା ନୀତି ବିଶ୍ୱ ନେତୃତ୍ୱକୁ ସୁଦୃଢ଼ କରିବା, ଚୀନ୍କୁ ମୁକାବିଲା କରିବା ଏବଂ ଭାରତର ସାମରିକ କ୍ଷମତା ବୃଦ୍ଧି କରିବା ଉପରେ ଧ୍ୟାନ ଦେବ। ଭାରତ ଚୀନକୁ ନିଜର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବୋଲି ମାନିଥାଏ। ଯଦିଓ ପାକିସ୍ତାନକୁ ଏକ ସୀମିତ ସୁରକ୍ଷା ସମସ୍ୟା ଭାବରେ ଦେଖେ, ଯାହାକୁ ନିୟନ୍ତ୍ରଣରେ ରଖାଯାଇପାରିବ।
ରିପୋର୍ଟ ଅନୁସାରେ, ଚୀନ୍ ନିଜର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ) ସାମରିକ ଆଡ୍ଡା ବର୍ମା(ମିଆଁମାର) ପାକିସ୍ତାନ ଓ ଶ୍ରୀଲଙ୍କା ଭଳି ଦେଶରେ ସ୍ଥାପିତ କରିବାର ଯୋଜନା ଉପରେ ବିଚାର କରୁଛି। ଯଦି ଏଭଳି ହୁଏ ତେବେ ଏହା ଭାରତ ପାଇଁ ଗମ୍ଭୀର ସାମରିକ ବିପଦ ହୋଇପାରେ କାରଣ ଏହି ଦେଶ ଭାରତର ସିନ୍ଧି ସମୁଦ୍ର ଓ ଥଳ ସୀମା ନିକଟରେ ରହିଛି।
ଏହା‘ ଷ୍ଟ୍ରିଫ ଅଫ୍ ପର୍ଲସ’ ରଣନୀତିର ଅଂଶ ବୋଲି ମନେକରାଯାଉଛି। ଏହା ଅନୁସାରେ, ଚୀନ୍ ଭାରତ ମହାସାଗରରେ ନିଜର ପ୍ରଭାବକୁ ବଢାଇବାକୁ ଚାହେଁ। ଆମେରିକା ରିପୋର୍ଟ ୖନୁସାରେ, ଏହା ଚେଷ୍ଟା ଚୀନ୍ର ବିଶ୍ବ ସାମରିକ ଉପସ୍ଥିତି ବଢାଇବାର ଦିଗକୁ ଦର୍ଶାଉଛି। ଏହାଦ୍ବାରା ଭାରତର ସୁରକ୍ଷା ସ୍ଥିତି ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। ରିପୋର୍ଟ ଅନୁସାରେ, ମଇ ୨୦୨୪ର ମଧ୍ୟରେ ଭାରତ ଓ ପାକିସ୍ତାନର ସୀମା ମଧ୍ୟରେ ସୀମାପାର ଗୁଳିକାଣ୍ଡ ଓ ଆକ୍ରମଣ ପରେ ବି ଭାରତର ରଣନୈତିକ ଚିନ୍ତାଧାରା ଚୀନ୍କୁ ବଡ଼ ଶତ୍ରୁ ଭାବରେ ଦେଖିବାକୁ ପାଉଛି।
ଚୀନର ପ୍ରଭାବକୁ ସନ୍ତୁଳିତ କରିବା ଏବଂ ଏହାର ବିଶ୍ୱ ନେତୃତ୍ୱ ଭୂମିକାକୁ ସୁଦୃଢ଼ କରିବା ପାଇଁ ଭାରତ ମହାସାଗର କ୍ଷେତ୍ରରେ ଭାରତ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଭାଗୀତାକୁ ପ୍ରାଥମିକତା ଦେଉଛି, ଯେଉଁଥିରେ ସାମରିକ ଅଭ୍ୟାସ, ତାଲିମ, ଅସ୍ତ୍ରଶସ୍ତ୍ର ବିକ୍ରୟ ଏବଂ ସୂଚନା ଆଦାନପ୍ରଦାନ ଅନ୍ତର୍ଭୁକ୍ତ। ଭାରତ ମଧ୍ୟ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ତ୍ରିପାକ୍ଷିକ ସମ୍ପର୍କ ବୃଦ୍ଧି କରିଛି ଏବଂ କ୍ୱାଡ୍, ବ୍ରିକ୍ସ, ସାଂଘାଇ ସହଯୋଗ ସଂଗଠନ (SCO) ଏବଂ ASEAN ଭଳି ବହୁପାକ୍ଷିକ ମଞ୍ଚରେ ସକ୍ରିୟ ଭୂମିକା ଗ୍ରହଣ କରୁଛି।
ରିପୋର୍ଟ ଅନୁଯାୟୀ, ଆଗାମୀ ବର୍ଷରେ ପାକିସ୍ତାନ ସେନାର ସର୍ବାଧିକ ପ୍ରାଥମିକତା ମଧ୍ୟରେ ପଡ଼ୋଶୀଙ୍କ ସହ ସୀମାପାର ସଂଘର୍ଷ ରହିବ। ଭାରତ ସହିତ ସୀମା ଉତ୍ତେଜନା, ଆତଙ୍କବାଦ ସମ୍ବନ୍ଧୀୟ କାର୍ଯ୍ୟକଳାପ ଏବଂ କାଶ୍ମୀର ସମ୍ପର୍କରେ ଆକ୍ରମଣାତ୍ମକ ବୟାନବାଜି ଏହି ନୀତିର ଅଂଶ। ଏହା ବିଶେଷ ଭାବରେ ଉଲ୍ଲେଖନୀୟ ଯେ ଭାରତ ପୂର୍ବରୁ ଅନେକ ଥର ଅନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଏବଂ ନିୟନ୍ତ୍ରଣ ରେଖା (LoC) ରେ ଅସ୍ତ୍ରବିରତି ଉଲ୍ଲଂଘନ ସମ୍ପର୍କରେ ଚିନ୍ତା ପ୍ରକାଶ କରିସାରିଛି।