ନୂଆଦିଲ୍ଲୀ,୨୫।୫: ଉତ୍ତର ପ୍ରଦେଶର ଶାହଜାହାନପୁର ଜିଲ୍ଲା ହସ୍ପିଟାଲରେ ଗ୍ୟାସ ଲିକ୍ ଖବର ଆସିଛି। ଅକ୍ସିଜେନ ପ୍ଲାଣ୍ଟରେ ଗ୍ୟାସ ଲିକ୍ ହେବା ପରେ ହସ୍ପିଟାଲରେ ଦଳାଚକଟା । ଏହି ସମୟରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। କୁହାଯାଉଛି ଯେ, ଅପରେସନ୍ ଥିଏଟରରେ ଫର୍ମୋଲିନ୍ ଗ୍ୟାସ୍ ଲିକ୍ ହୋଇଥିଲା। ଗ୍ୟାସ ନେବାପରେ ହସ୍ପିଟାଲରେ ଲୋକଙ୍କୁ ନିଶ୍ବାସ ନେବାରେ କଷ୍ଟ ହୋଇଥିଲା। ତୁରନ୍ତ ଟ୍ରମା ସେଣ୍ଟରେ ଭର୍ତ୍ତି ରୋଗୀଙ୍କୁ ବାହାରକୁ ଅଣାଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲା । ଜଣଙ୍କର ମୃତ୍ୟୁ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଘଟଣା ରବିବାର ସନ୍ଧ୍ୟା ୫ଟା ବେଳେ ଘଟିଥିଲା। ମିଳିଥିବା ସୂଚନା ଅନୁସାରେ, ମେଡିକାଲ କଲେଜରେ ଫାର୍ମଲିନ ଗ୍ୟାସ୍ ପାଇପ୍ରୁ ଲିକ୍ ୋଇଥିଲା। ଗ୍ୟାସ୍ ଲିକ୍ ହେବାପରେ ଦୁର୍ଗନ୍ଧରେ ଲୋକେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏହାର ସୂଚନା ହସ୍ପିଟାଲ ପ୍ରଶାସନକୁ ଦିଆଯାଇଥିଲା। କିନ୍ତୁ ସେ ପର୍ଯ୍ୟନ୍ତ ହସ୍ପିଟାଲରେ ଧାଁ ଦଉଡ ଆରମ୍ଭ ହୋଇଯାଇଥିଲା। ସମସ୍ତେ ନିଜ ନିଜର ରୋଗୀକୁ ହସ୍ପିଟାଲକୁ ବାହାର କରିବାରେ ଲାଗିଥିଲେ। ପ୍ରାୟ ୨୦ ରୋଗୀଙ୍କୁ ଟ୍ରମା ସେଣ୍ଟରରୁ ସୁରକ୍ଷିତ ଭାବରେ ବାହାର କରାଯାଇଛି। ଗ୍ୟାସ୍ ଲିକ୍ ହେବାପରେ ହସ୍ପିଟାଲ ପ୍ରଶାସନ ଘଟଣାର ସୂଚନା ଫୟାର ବ୍ରିଗେଡ୍କୁ ଦେଇଥିଲା। ଘଟଣାସ୍ଥଳରେ ଫାୟାର ବ୍ରିଗେଡ୍ ଟିମ୍ ପହଁଞ୍ଚିଥିଲା। ପ୍ରାୟ ଦେଢ ଘଣ୍ଟା ପରେ ମେଡିକାଲ କଲେଜରେ ସ୍ଥିତି ସ୍ବାଭାବିକ ହୋଇଥିଲା। ଏହି ସମୟରେ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଦଳାଚକଟାର ତାଙ୍କର ମୃତ୍ୟୁ ହୋଇଛି। ତେବେ ଜିଲ୍ଲାପାଳଙ୍କ କହିବା ଅନୁସାରେ, ରୋଗୀଙ୍କର ଦଳାଚକଟାରେ ମୃତ୍ୟୁ ହୋଇନି, ବଂର ତାଙ୍କର ଫୁସଫୁସ୍ ଖରାପ ଥିଲା। ତେବେ ଅଭିଯୋଗ ଉପରେ ଯାଞ୍ଚ କରାଯାଉଛି।