ନୂଆଦିଲ୍ଲୀ: ପାକିସ୍ତାନୀ ସେନା ବିରୋଧରେ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରିବା ନେଇ ୧୫୦ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କୁ ଏବେ ଗିରଫ କରିଛନ୍ତି ସରକାର । ଗିରଫ ହୋଇଥିବା ଅଧିକାଂଶ ଲୋକ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ସହ ଜଡିତ ଥିବା ଜଣାପଡିଛି । ସୋସିଆଲ ମିଡିଆରେ ଭ୍ରମିତ କରିବା ଭଳି ତଥ୍ୟ ବିସ୍ତାର କରୁଥିବା ଲୋକଙ୍କ ବିରୋଧରେ ସରକାର ଏବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି। ଏନେଇ ବୁଧବାର ଜଣେ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅନୁଯାୟୀ ନଭେମ୍ବର ୨୬ ରେ ଇସଲାମାବାଦରେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ଚଳାଯାଇଥିଲା । ଏଥିରେ ଅତିକମରେ ଦଳର ୧୨ କର୍ମୀଙ୍କର ମୃତ୍ୟୁ ଘଟିଥିବା ବେଳେ ଶହ ଶହ ଲୋକ ଆହତ ହୋଇଥିଲେ। ଦଳ ଏହା ମଧ୍ୟ ଦାବି କରିଛି ଯେ ସେହି ଦିନଠାରୁ ପ୍ରାୟ ୧୦୫ ଜଣ ଦଳୀୟ କର୍ମଚାରୀ ନିଖୋଜ ରହିଛନ୍ତି । ଏହି ଘଟଣା ପରେ ଇମ୍ରାନ ଖାନ୍ଙ୍କ ସମର୍ଥକ ମାନେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ଉପରକୁ ଗୁଳି ଚଳାଇବାକୁ ନେଇ ପାକିସ୍ତାନୀ ସେନାକୁ ଦାୟୀ କରିବା ଆରମ୍ଭ କରିଥିଲେ। ତେବେ ଏହା ପରେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ଚଳାଇଥିବା ଶେହବାଜ ସରିଫଙ୍କ ନେତୃତ୍ୱାଧୀନ ସରକାର ଏହାକୁ ଅସ୍ୱୀକାର କରିଛନ୍ତି।