ନୂଆଦିଲ୍ଲୀ,୨୬/୦୭: ନିକଟରେ ଆମେରିକା ଦ ରେଜିଷ୍ଟାଣ୍ଟ ଫୋର୍ସକୁ ବା ଟିଆର୍ଏଫ୍କୁ ଆତଙ୍କୀ ସଂଗଠନ ଘୋଷଣା କରିଥିଲା । ଏହାକୁ ନେଇ ସଫେଇ ଦେଇଛନ୍ତି ପାକିସ୍ତାନ । ଆମର କିଛି ଆପତ୍ତି ନାହିଁ ବୋଲି କହି ଲସ୍କର-ଏ ତାଇବା ସହ ଟିଆର୍ଏଫର ଲିଙ୍କକୁ ଖଣ୍ଡନ କରିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇଶାକ୍ ଡାର ।
ଡାର ଆହୁରି କହିଛନ୍ତି ଯେ, ''ପହଲଗାମ ଆକ୍ରମଣକୁ ନିନ୍ଦା କରୁଥିବା ଜାତିସଂଘ ସୁରକ୍ଷା ପରିଷଦ ବିବୃତ୍ତିରେ ଟିଆର୍ଏଫ୍ର ନାମ ସାମିଲ କରିବାକୁ ପାକିସ୍ତାନ ଦୃଢ଼ ବିରୋଧ କରିଥିଲା । ଆମେ ଅନେକ ଦେଶରୁ ଫୋନ୍ ପାଇଥିଲୁ, କିନ୍ତୁ ପାକିସ୍ତାନ TRFର ଉଲ୍ଲେଖକୁ ବିରୋଧ କରିଥିଲା ଏବଂ ଶେଷରେ ନାମକୁ ହଟାଇ ଦିଆଯାଇଥିଲା ।" ତଥାପି, ଆମେରିକା ଆନୁଷ୍ଠାନିକ ଭାବରେ TRFକୁ ଏକ ବିଦେଶୀ ଆତଙ୍କବାଦୀ ସଂଗଠନ (FTO) ଏବଂ ସ୍ୱତନ୍ତ୍ର ଭାବରେ ମନୋନୀତ ବିଶ୍ୱ ଆତଙ୍କବାଦୀ (SDGT) ଭାବରେ ନାମିତ କରିଛି । ପାକିସ୍ତାନ ଏହାକୁ ସ୍ୱାଗତ କରିଛି । ଯଦି କୌଣସି ପ୍ରମାଣ ଅଛି, ତେବେ ଏହାକୁ ସେୟାର କରାଯିବା ଉଚିତ, କିନ୍ତୁ ସଂଗଠନକୁ ଲସ୍କର-ଏ-ତଇବା ସହିତ ଯୋଡ଼ିବା ଭୁଲ ।''
ଭାରତ ପୂର୍ବରୁ ଜାନୁଆରୀ ୨୦୨୩ରେ UAPAଆଇନ ଅନୁଯାୟୀ TRFକୁ ଏକ ଆତଙ୍କବାଦୀ ସଂଗଠନ ଘୋଷଣା କରିଥିଲା । ୨୦୧୯ରେ ଟିଆର୍ଏଫ୍ ସୋସିଆଲ ମିଡିଆ ମାଧ୍ୟମରେ ଆରମ୍ଭ ହୋଇଥିଲା । ଏହା ପରେ, ସଂଗଠନ ଶ୍ରୀନଗରରେ ଗ୍ରେନେଡ ଆକ୍ରମଣ, ଟାର୍ଗେଟ୍ କିଲିଂ ଏବଂ ସେନା ଉପରେ ଆକ୍ରମଣ ସମେତ ଅନେକ ଆକ୍ରମଣ ପାଇଁ ଦାୟୀ ରହିଥିଲା ।
ଟିଆରଏଫ୍କୁ ନେଇ କଣ କହିଲା ଭାରତ ? ଭାରତ କହିଛି ଯେ, ପାକିସ୍ତାନ ସେନା ଏବଂ ସରକାର ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛନ୍ତି । ଜମ୍ମୁ ଏବଂ କାଶ୍ମୀରରେ ହିଂସା ପ୍ରସାର ପାଇଁ ଟିଆର୍ଏଫ୍ ଭଳି ସଂଗଠନଗୁଡ଼ିକୁ ବ୍ୟବହାର କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଅଭିଭାଷଣରେ କହିଥିଲେ, "ଭାରତ ପର୍ଯ୍ୟଟନରେ ବିଶ୍ୱାସ କରେ, କିନ୍ତୁ ପାକିସ୍ତାନ ଆତଙ୍କବାଦକୁ ପର୍ଯ୍ୟଟନ ଭାବରେ ବିବେଚନା କରେ, ଯାହା ବିଶ୍ୱ ପାଇଁ ବିପଦପୂର୍ଣ୍ଣ ।"