ନୂଆଦିଲ୍ଲୀ : ପାକିସ୍ତାନର ଅଶାନ୍ତ ବଲୁଚିସ୍ତାନ ପ୍ରାନ୍ତରେ ସେନା କାରକେଡ୍ ଉପରେ ଆକ୍ରମଣ। ଏହାପରେ ପୂରା ସୁରକ୍ଷା ତନ୍ତ୍ରକୁ ହାଇ ଆଲର୍ଟରେ ରଖାଯାଇଛି। ଗୁରୁବାର ମସ୍ତୁଙ୍ଗ ଜିଲ୍ଲାରେ ବଲୁଚ ଲିବରେସନ ଆର୍ମି (ବିଏଲଏ) ସେନା କାରକେଡ ଉପରେ ଆକ୍ରମଣ କରି ଥିଲା। ଏହାକୁ ଚଳିତ ବର୍ଷର ସବୁଠୁ ବଡ଼ ଆକ୍ରମଣ ମଧ୍ୟରୁ ଗୋଟିଏ ମନେକରାଯାଉଛି। ବିଏଲଏ ଦାବି କରି ଥିଲା ଯେ, ଏହି ଆକ୍ରମଣରେ ୪୫ରୁ ଅଧିକ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି। ହେଲେ ପାକିସ୍ତାନ ସରକାର ଓ ସେନା ଏବେସୁଦ୍ଧା କିଛି କି ମୃତ୍ୟୁ ତଥ୍ୟ ସ୍ପଷ୍ଟ କରି ନାହିଁ। ପାକିସ୍ତାନୀ ଅଧିକାରୀମାନେ କେବଳ ଏତିକି ହିଁ ସ୍ୱୀକାର କରିଛନ୍ତି ଯେ, ସେନାର କାରକେଡ୍‌ ଆକ୍ରମଣର ଶିକାର ହୋଇ ଥିଲା ଏବଂ ଏହାପରେ ବଡ଼ ଧରଣର ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ ଥିଲା।

ଆକ୍ରମଣ ପରେ ବଲୁଚିସ୍ତାନର ରାଜଧାନୀ କ୍ୱେଟାର ଅନେକ ପ୍ରମୁଖ ହସ୍ପିଟାଲରେ ମେଡିକାଲ ଏମର୍ଜେନ୍ସି ଘୋଷିତ କରିଦିଆ ଯାଇଛି। ସିଭିଲ ହସ୍ପିଟାଲ କ୍ୱେଟା , ଘୌସ ବଖସ ରାଇସାନି ମେମୋରିଆଲ ହସ୍ପିଟାଲ ଓ ଆଖପାଖର ଅନ୍ୟ ଚିକିତ୍ସା କେନ୍ଦ୍ର ଗୁଡ଼ିକୁ ଆଲର୍ଟରେ ରଖାଯାଇଛି। ଆହତ ସୁରକ୍ଷା କର୍ମୀଙ୍କୁ ମସ୍ତୁଙ୍ଗରୁ ଆମ୍ୱୁଲାନ୍ସ ମାଧ୍ୟମରେ ହସ୍ପିଟାଲରେ ପହଞ୍ଚା ଯାଇ ଥିଲା। ହେଲିକପ୍ଟର ଗନସିପ୍‌ର ସାହାଯ୍ୟରେ ମଧ୍ୟ ଆହତଙ୍କୁ ବାହାର କରିବା ଓ ଅଞ୍ଚଳରେ ନିଯୁକ୍ତ ସୈନିକଙ୍କୁ ସହାୟତା ପହଞ୍ଚାଇବା କାମ କରାଯାଇଛି। ପାକିସ୍ତାନ ଏବେସୁଦ୍ଧା ଏହା କହିନାହିଁ ଯେ, କେତେ ସୈନିକ ଆହତ ହୋଇଛନ୍ତି କିମ୍ୱା ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି।

ସୁରକ୍ଷା ସୂତ୍ରାନୁସାରେ , ସେନାର କାରକେଡ ପ୍ରାୟ ୧୦ ଟି ବସରେ ଯାତ୍ରା କରୁଥିବା ଯବାନଙ୍କର ଥିଲା, ସେମାନେ ଛୁଟିରେ ଯାଉଥିଲେ। ବିଏଲଏ କହିଛି ଯେ,ତାର ଟାର୍ଗେଟ୍ ଏହି ସେନା କାରକେଡ୍ ଥିଲା ଏବଂ ଆକ୍ରମଣ ବେଳେ ସୁରକ୍ଷା ବାହିନୀର ଅତିରିକ୍ତ ଦଳଙ୍କୁ ମଧ୍ୟ ଟାର୍ଗେଟ୍ କରାଯାଇ ଥିଲା। ଉକ୍ତ ଘଟଣା ପରେ କ୍ୱେଟା କରାଚୀ ରାଷ୍ଟ୍ରୀୟ ରାଜରାସ୍ତାର ଅନେକ ଭାଗରେ ଯାତାୟାତକୁ ରୋକି ଦିଆ ଯାଇ ଥିଲା , ଯାହାକି ଉଦ୍ଧାର ଅଭିଯାନ ଓ ତଲାସୀ ଅଭିଯାନ ଚଲାଯାଇ ପାରିବ। ପୂରା ଅଞ୍ଚଳରେ ସୁରକ୍ଷା ବାହିନୀ ଗୁଡ଼ିକ ବଡ଼ ସ୍ତରରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ଏବଂ ଅତିରିକ୍ତ ଯବାନଙ୍କୁ ମୁତୟନ କରାଯାଇଛି। ହେଲେ ବିଏଲଏର ଦାବି ଗୁଡ଼ିକ ସ୍ୱତନ୍ତ୍ର ରୂପେ ସ୍ପଷ୍ଟ ହୋଇ ପାରି ନାହିଁ । ପାକିସ୍ତାନୀ ସେନା ନିଜର କ୍ଷତି ନେଇ ସରକାରୀ ବିବୃତ୍ତି  ଜାରି କରି ନାହିଁ।

ଉଲ୍ଲେଖନୀୟ ଯେ, ମସ୍ତୁଙ୍ଗର ଏହି ଆକ୍ରମଣ ଏମିତି ସମୟରେ ହୋଇଛି ,ଯେତେବେଳେ ବଲୁଚିସ୍ତାନରେ ବିଚ୍ଛିନ୍ନତାବାଦୀ ହିଂସାକାଣ୍ଡ ଲଗାତାର ବଢିବାରେ ଲାଗିଛି। ଗତ କିଛି ମାସରେ ବିଏଲଏ ଅନେକ ଆକ୍ରମଣ କରିଛି , ଯେଉଁଥିରେ ସେନା ଠିକଣା , କାରକେଡ ଓ ସୁରକ୍ଷା ପୋଷ୍ଟ ଗୁଡ଼ିକୁ ଟାର୍ଗେଟ୍‌ କରାଯାଇଛି।  ଏହି ତାଜା ଆକ୍ରମଣ ପୁଣି ଥରେ ପାକିସ୍ତାନ ସାମ୍ନାରେ ବଲୁଚିସ୍ତାନରେ ଆଇନ ବ୍ୟବସ୍ଥା ଓ ସୁରକ୍ଷାର ଗମ୍ଭୀର ଚ୍ୟାଲେଞ୍ଜ ଠିଆ କରିଦେଇଛି।

ଆହୁରି ମଧ୍ୟ ପଢନ୍ତୁ - Seizes Suspected Adulterated Milk : ୩୭ ହଜାର ନକଲି କ୍ଷୀର ନଷ୍ଟ କଲା ଏହି ରାଜ୍ୟର ସରକାର , ମିଲ୍କ ମାଫିଆଙ୍କ ଉପରେ ଆକ୍ସନ