ନୂଆଦିଲ୍ଲୀ, ୨୪/୧୧ : ପାକିସ୍ତାନ ପେଶାୱରରେ ଆତ୍ମଘାତୀ ବିସ୍ଫୋରଣ। ଅର୍ଦ୍ଧସାମରିକ ସେନାର ମୁଖ୍ୟାଳୟକୁ ଦୁର୍ବୃତ୍ତଙ୍କ ଟାର୍ଗେଟ୍। ୨ଟି ସ୍ଥାନରେ ବିସ୍ଫୋରଣ ସହ ଆଖିବୁଜା ଗୁଳିମାଡ଼ ହୋଇଛି। ଏହି ଘଟଣାରେ ୩ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନର ଦ ଡନ ୱେବସାଇଟ୍ ମୁତାବକ, ସକାଳ ପ୍ରାୟ ୮ଟା ବେଳେ ଏହି ବିସ୍ଫୋରଣ ହୋଇଛି। 

ସୂଚନାନୁଯାୟୀ, ସୋମବାର ସକାଳେ ପାକିସ୍ତାନର ପେଶାୱରରେ ଥିବା ଅର୍ଦ୍ଧସାମରିକ ମୁଖ୍ୟାଳୟକୁ ଦୁର୍ବୃତ୍ତମାନେ ଟାର୍ଗେଟ୍ କରିଛନ୍ତି। ସେନା ମୁଖ୍ୟାଳୟ ଗେଟ୍ ନିକଟରେ ଓ ମୁଖ୍ୟାଳୟ ପରିସରରେ ଥିବା ଗାଡି ଷ୍ଟାଣ୍ଡ ନିକଟରେ ୨ଟି ଆତ୍ମଘାତୀ ବିସ୍ଫୋରଣ ହେବା ସହ ଦୁର୍ବୃତ୍ତମାନେ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏହି ଘଟଣାରେ ୩ ଜଣ ସୈନିକଙ୍କ ମୃତ୍ୟୁ ଘଟିଛି। ସୁରକ୍ଷା ବାହିନୀ ପକ୍ଷରୁ ଜବାବମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି। ଏପର୍ଯ୍ୟନ୍ତ ଦୁଇ ଜଣ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣା ବେଳର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ମେନ୍ ଗେଟ୍‌ରେ ହୋଇଥିବା ବିସ୍ଫୋରଣ ଚିତ୍ର ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।