ନୂଆଦିଲ୍ଲୀ,୧୧।୮: ‘ଅପରେସନ୍ ସିନ୍ଦୂର’ ବେଳେ ଭାରତର ଜୋରଦାର ଆକ୍ରମଣରେ ବିଚଳିତ ହୋଇପଡିଥିଲା ପାକିସ୍ତାନ। ଭୟରେ ଯୁଦ୍ଧ ବନ୍ଦ କରିବାକୁ ଅନୁରୋଧ କରିଥିଲା। ହେଲେ ପୁରୁଣା ପ୍ରକୃତିକୁ ଛାଡି ପାରୁନି ପାକିସ୍ତାନ। ମିଡିଆ ରିପୋର୍ଟ ଅନୁସାରେ,ପୁଣି ନିଜର ଇସଲାମାବାଦରେ ଭାରତୀୟ ରାଷ୍ଟ୍ରଦୂତଙ୍କ ପାଇଁ ଖବର କାଗଜ, ଗ୍ୟାସ ଓ ସଫା ପାଣି ଭଳି ସୁବିଧା ଉପରେ ରୋକ ଲଗାଇ ଦିଆଯାଇଛି। ତେବେ ଏହାକୁ ନେଇ ସରକାରଙ୍କ ପକ୍ଷରୁ କୌଣସି ଔପଚାରିକ ସୂଚନା ଆସିନାହିଁ। କୁହାଯାଉଛି ଯେ, ପାକିସ୍ତାନର ରାଜଧାନୀରେ କାମ କରୁଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ କାମ ଓ ଜୀବନକୁ କଷ୍ଟକର କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
ସରକାରୀ ସୁତ୍ରରୁ ଜଣାପଡିଛି ଯେ, ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇର ଇଶାରାରେ ରାଷ୍ଟ୍ରଦୂତଙ୍କୁ ହଇରାଣ କରାଯାଉଛି। ଏସ୍ଏନ୍ଜିପିଏଲ ଅର୍ଥାତ ସୁଇ ନଦର୍ଣ୍ଣ ଗ୍ୟାସ ପାଇପ ଲାଇନ୍ ଲିମିଟେଡ୍ ପକ୍ଷରୁ ଭାରତୀୟ ହାଇକମିଶନରଙ୍କ ପରିସରରେ ପାଇପ ଲାଇନ୍ ଲଗାଇ ଦିଆଯାଇଛି। କିନ୍ତୁ ଜାଣିଶୁଣି ସପ୍ଲାଇ ରୋକି ଦିଆଯାଉଛି। ଗ୍ୟାସ ସିଲିଣ୍ଡର ସପ୍ଲାଇ କରୁଥିବା ପାକିସ୍ତାନୀ ଅଧିକାରୀମାନେ ମଧ୍ୟ ଭାରତୀୟ ଷ୍ଟାଫ୍ଙ୍କୁ ସିଲିଣ୍ଡର ଦେବାକୁ ମନା କରିଦେଇଛନ୍ତି।
ଭାରତୀୟ ଦୂତାବସ ପଧରୁ ଯେଉଁ ସପ୍ଲାୟରଙ୍କୁ ସଫା ପାଣି ଯୋଗାଇବାର ଠିକା ଦିଆଯାଇଥିଲା, ତାକୁ ବି ଡେଲିଭରି ଦେବାକୁ ରୋକାଯାଉଛି। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭାରତୀୟ ଦୂତାବାସ ଅଧିକାରୀ ଏବଂ କର୍ମଚାରୀ ଖୁବ୍ ଚିନ୍ତିତ ହୋଇପଡିଛନ୍ତି। ୨୦୧୯ ରେ ହୋଇଥିବା ପୁଲଓ୍ବାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ଭିତରେ ବିବାଦ ଜାରି ରହିଥିଲା। ୨୨ ଏପ୍ରିଲ ୨୦୨୫ ରେ ଜମ୍ମୁ ଓ କଶ୍ମୀରର ପହଲଗାମ୍ରେ ହୋଇଥିବା ଆତଙ୍କୀ ଆକ୍ରମଣର ସ୍ଥିତିକୁ ଆହୁରି ଖରାପ କରିଦେଇଛି। ଦୁଇଟି ଘଟଣାରେ ଭାରତର ପାଲଟା ଆକ୍ରମଣ ଆତଙ୍କବାଦୀଙ୍କ ବହୁ ଆଡ୍ଡାକୁ ଧ୍ବଂସ କରିଥିଲା। ୨୦୧୯ ରେ ଭାରତ ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ କରି କଡା ଜବାବ୍ ଦେଇଥିଲା। ସେଭଳି ମଇରେ ‘ଅପରେସନ୍ ସିନ୍ଦୂର’ ଜରିଆରେ ପହଲଗାମ୍ ପ୍ରତିଶୋଧ ନେଇଥିଲା।