ନୂଆଦିଲ୍ଲୀ,୩।୬: କେନ୍ଦ୍ରର ମୋଦି ସରକାର ଜମ୍ମୁ-କଶ୍ମୀରର ପହଲଗାମ୍ରେ ହୋଇଥିବା ଆତଙ୍କୀ ହମଲା ପରେ ସିନ୍ଧୁଜଳ ଚୁକ୍ତି ରଦ୍ଦ କରିଛନ୍ତି। ଅପରେସନ୍ ସିନ୍ଦୂର ଅନୁସାରେ ପାକିସ୍ତାନ ସେନା ଓ ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଛି। ଯେଉଁଥିରେ ପାକିସ୍ତାନରେ ଏବେ ହାହାକାର ସ୍ଥିତି ଦେଖିବାକୁ ମିଳିଛି। ପାକିସ୍ତାନର ୪ଟି ରାଜ୍ୟରେ ଜଳ ସଙ୍କଟ ଚିନ୍ତା ବଢାଇଛି।
ଭାରତ ସରକାରଙ୍କ ସିନ୍ଧୁ ଚୁକ୍ତି ଓ ଅପରେସନ୍ ସିନ୍ଦୂର ଉପରେ ପାକିସ୍ତାନର ବହୁ ସମୟରେ ବୟାବାଜି ସାମନାକୁ ଆସୁଛି। ମଙ୍ଗଳବାର ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ପୁଣିଥରେ ଭାରତକୁ ସିନ୍ଧୁ ଜଳ ଚୁକ୍ତିକୁ ନେଇ ଫମ୍ପା ବୟାନବାଜି କରିଛନ୍ତି। ସେ କହିଛନ୍ତି, ସିନ୍ଧୁ ଜଳ ଚୁକ୍ତି ଅନୁସାରେ ପ୍ରତି ବୁନ୍ଦା ପାଣି ଉପରେ ପାକିସ୍ତାନର ଅଧିକାର ରହିଛି। ଭାରତ ବାରମ୍ବାର ଆମକୁ ପାଣି ବନ୍ଦ କରିବାର ଧମକ ଦେଉଛି। ଯଦି ଏଥର ଏଭଳି ହୁଏ ତେବେ ତାକୁ ସେଭଳି ଜବାବ ମିଳିବ ଯେତିମି ପୂର୍ବରୁ ମିଳୁଥିଲା।
ସେ ୪ଟି ରାଜ୍ୟକୁ କହିଛନ୍ତି, ସମସ୍ତେ ମିଶି ଜଳ ସଂରକ୍ଷଣ ପାଇଁ କଡ଼ା ଯୋଜନା ତିଆରି କରନ୍ତୁ। ଯେପରି ତାଙ୍କ ଉପରେ ଭାରତର ଧମକର କୌଣସି ପ୍ରଭାବ ପଡିବନି। ଶେହବାଜ୍ ପେଶାଓ୍ବରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତ ବିରୋଧରେ ବିଷ ଓଗାଳିଛନ୍ତି। ଏହା ସହ କହିଛନ୍ତି ନିକଟରେ ୪ଟି ଦେଶ ଗସ୍ତ କରିଥିଲି। ସବୁ ଦେଶ ଏହା ଦେଖି ଖୁବ୍ ଖୁସି ଯେ, ଭାରତ ବିରୋଧରେ ପାକିସ୍ତାନ ବିଜୟୀ ହୋଇଛି। ଏହି ବିଜୟ କେବଳ ପାକିସ୍ତାନର ପ୍ରତିଷ୍ଠା ପାଇଁ ଗୁରୁତ୍ବପୂର୍ଣ୍ଣ।। କେବଳ ସେତିକି ନୁହେଁ ଏହା ଆଞ୍ଚଳିକ ସ୍ଥିରତା ପାଇଁ ମଧ୍ୟ ଆବଶ୍ୟକ। ଉଲ୍ଲେଖନୀୟ ଯେ, ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ତୁର୍କୀ, ଇରାନ, ଅଜରବୈଜାନ ଓ ତାଜିକିସ୍ତାନ ଗସ୍ତ କରିଥିଲେ।