ନୂଆଦିଲ୍ଲୀ,୨୯/୦୬: ପହଲଗାମ୍‌ ଆତଙ୍କୀ  ଆକ୍ରମଣର ଜବାବରେ ଗତ ମେ ମାସରେ  ‘ଅପରେସନ୍‌ ସିନ୍ଦୂର’ରେ ଭାରତୀୟ ସେନା ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କୀ କ୍ୟାମ୍ପ ଧ୍ୱଂସ  କରିଥିଲା । ଏବେ ପାକିସ୍ତାନ ସେହି କ୍ୟାମ୍ପଗୁଡିକୁ ପୁଣି  ପ୍ରତିଷ୍ଠା କରିବାକୁ ଜୋର୍‌ସୋରରେ ଉଦ୍ୟମ କରୁଛି । ଦେଶର ସେନା, ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇ  ଓ ସରକାର ଏଥିଲାଗି ମୋଟାଅଙ୍କର ପାଣ୍ଠି ଓ  ପୂର୍ଣ୍ଣ ସମର୍ଥନ ଯୋଗାଇ ଦେଉଛନ୍ତି । ବିଶେଷକରି  ପିଓକେ ଓ ତାର ଆଖପାଖ ଅଞ୍ଚଳରେ ଏହି ଆତଙ୍କୀ କ୍ୟାମ୍ପ ପ୍ରତିଷ୍ଠା ଲାଗି ସକ୍ରିୟ ଭାବେ କାର୍ଯ୍ୟ ଚାଲିଛି ।  

ମେ ୭ରେ ପାକିସ୍ତାନ ଓ ପିଓକେରେ ଥିବା  ୯ଟି ଆତଙ୍କୀ ଆଡ୍ଡା ଉପରେ ପ୍ରିସିସନ୍‌ (ଠିକ୍‌)  ଆକ୍ରମଣ କରିଥିଲା ଭାରତୀୟ ସେନା । ସେହି ସମୟରେ ୩ଟି ପ୍ରମୁଖ ଆତଙ୍କୀ ସଂଗଠନ ଜୈସ୍‌ ଇ-ମହମ୍ମଦ, ଲସ୍କର-ଇ-ତାଇବା ଓ ହିଜବୁଲ୍‌  ମୁଜାହିଦ୍ଦିନ୍‌ର ଆତଙ୍କୀ ଭିତ୍ତିଭୂମିକୁ ଟାର୍ଗେଟ୍‌ କରାଯାଇଥିଲା । ଏପରିକି ଭାରତୀୟ ସେନାର ଆକ୍ରମଣରେ ବହାବଳପୁରସ୍ଥିତ ଜୈସ୍‌ର ମୁଖ୍ୟାଳୟ ନଷ୍ଟ  ହୋଇଥିଲା । ଏହାପରେ ପାକିସ୍ତାନ ଏବେ ସେହି ସବୁ  ଆତଙ୍କୀ କ୍ୟାମ୍ପର ପୁନଃ ନିର୍ମାଣ ଲାଗି ଉଦ୍ୟମ କରୁଛି । 

ଭାରତୀୟ ଗୁଇନ୍ଦା ଏଜେନ୍ସି ଅନୁସାରେ, ଏହି  ଆତଙ୍କୀ କ୍ୟାମ୍ପଗୁଡ଼ିକ ଅତ୍ୟାଧୁନିକ ଟେକ୍ନୋଲୋଜିରେ ନିର୍ମାଣ ହେଉଛି । ପାକିସ୍ତାନର ଆତଙ୍କୀ ସଂଗଠନଗୁଡିକ ଆଇଏସ୍‌ଆଇ ସହିତ ମିଶି ନିୟନ୍ତ୍ରଣରେଖା(ଏଲଓସି)  ନିକଟରେ ଘଞ୍ଚ ଜଙ୍ଗଲରେ ଛୋଟ ଛୋଟ ହାଇଟେକ୍‌  କ୍ୟାମ୍ପ ପ୍ରତିଷ୍ଠା କରିବାକୁ ଉଦ୍ୟମ କରୁଛନ୍ତି । ସର୍ଭିଲାନ୍ସ ଏବଂ ଏୟାରଷ୍ଟ୍ରାଇକ୍‌କୁ ଏଡ଼ାଇବା ଏହି  ପଦକ୍ଷେପ ପଛର ଉଦ୍ଦେଶ୍ୟ । ପୁନି, ପୁଟୱାଲ,  ତାଇପୁ ପୋଷ୍ଟ, ଜମିଲା ପୋଷ୍ଟ, ଉମ୍ରାନୱାଲି,  ଚପରାର, ଫରୱାଦ କହୁଟା, ଛୋଟା ଚକ୍‌ ଓ  ଜଙ୍ଗଲୋରା ଅଞ୍ଚଳରେ ଏଭଳି କ୍ୟାମ୍ପ ନିର୍ମାଣ ଚାଲିଛି ।  ସେହି କ୍ୟାମ୍ପଗୁଡି଼କୁ ଥର୍ମାଲ ଇମେଜର, ରାଡାର,  ସାଟେଲାଇଟ୍‌ ସର୍ଭିଲାନ୍ସର ମୁକାବିଲା ଲାଗି ଉନ୍ନତ  ପ୍ରଯୁକ୍ତିରେ ସଜ୍ଜିତ କରାଯାଇଥିବା ସୂଚନା ମିଳିଛି ।  

ସେହିପରି ପାକିସ୍ତାନୀ ସେନା ଓ ଆଇଏସ୍‌ଆଇ  ପିଓକେରେ ୧୩ଟି ଲଞ୍ଚ ପ୍ୟାଡ୍‌କୁ ପୁନଃ ବିକଶିତ  କରୁଛି । ସେଗୁଡ଼ିକ କେଲ୍‌, ଶାରଡି, ଦୁଧନିୟାଲ,  ଜୁରା, ଲିପା ଭ୍ୟାଲି, ପଚିବନ୍‌ ଚମନ୍‌, ଟାଣ୍ଡପାନି,  ନୈୟାଲି, ଜାନକୋଟ୍‌, ଚାକୋଟି, ନିକୈଲ ଓ  ଫରୱାଡ୍‌ କହୁଟା ଅଞ୍ଚଳରେ ରହିଛି । ଏସବୁ  ବ୍ୟତୀତ ‘ଅପରେସନ୍‌ ସିନ୍ଦୂର’ରେ ଅନ୍ତଜାର୍ତୀୟ  ସୀମା ନିକଟରେ ଧ୍ୱଂସ କରାଯାଇଥିବା ୪ଟି  ଆତଙ୍କୀ ଲଞ୍ଚ୍‌ ପ୍ୟାଡ୍‌କୁ ବି ପୁନଃ କାର୍ଯ୍ୟକ୍ଷମ  କରୁଛି ପାକିସ୍ତାନ । ଏଥିରେ ନିୟମିତ ପାକିସ୍ତାନୀ  ରେଞ୍ଜରଙ୍କ ପୋଷ୍ଟ ବି ରହିଛି । ଅନ୍ୟପଟେ  ଜମ୍ମୁ ସେକ୍ଟରରେ ଅନ୍ତଜାର୍ତୀୟ ସୀମା ନିକଟରେ  ଆଇଏସ୍‌ଆଇ ୪ଟି ଲଞ୍ଚପ୍ୟାଡ୍‌ ପୁନଃ ବିକଶିତ  କରୁଛି । ସେଗୁଡି଼କ ହେଲା ମସରୁର ବଡା ଭାଇ,  ଚପରାର, ଲୁନି ଓ ଶଙ୍କରଗଡ଼ରେ ଏକ ଡ୍ରୋନ୍‌ କେନ୍ଦ୍ର ।  

ଏସବୁ ଜରିଆରେ ଆଇଏସ୍‌ଆଇ ଏକ  ନୂଆ ରଣନୀତି ପ୍ରସ୍ତୁତ କରୁଛି । ସେ ଅନୁସାରେ,  ବଡ଼ ଆତଙ୍କୀ କ୍ୟାମ୍ପକୁ ଅନେକ ଛୋଟ କ୍ୟାମ୍ପରେ  ବିଭାଜିତ କରାଯାଉଛି । ଗୋଟିଏ ସ୍ଥାନରେ ଅଧିକ  ଆତଙ୍କବାଦୀଙ୍କ ଉପସ୍ଥିତିକୁ କମ୍‌ କରିବା ଏହି  ଯୋଜନାର ଲକ୍ଷ୍ୟ । ଯେପରିକି ଏୟାରଷ୍ଟ୍ରାଇକ୍‌ ହେଲେ  ସମ୍ଭାବ୍ୟ କ୍ଷତିକୁ କମାଯାଇପାରିବ । ଏହି ସବୁ ମିନି  କ୍ୟାମ୍ପରେ ନିଜସ୍ୱ ସୁରକ୍ଷା ବ୍ୟବସ୍ଥା ରହିବ । ସ୍ୱତନ୍ତ୍ର  ଭାବେ ତାଲିମପ୍ରାପ୍ତ ପାକିସ୍ତାନୀ ସେନା ଅଧିକାରୀ  ତାର ସୁରକ୍ଷାକୁ ତଦାରଖ କରିବେ । ସେହି ଗାର୍ଡଙ୍କ  ନିକଟରେ ଥର୍ମାଲ ସେନ୍ସର, ଲୋ ଫ୍ରିକୁଏନ୍ସି ରାଡାର  ସିଷ୍ଟମ ଓ ଆଣ୍ଟି ଡ୍ରୋନ୍‌ ଟେକ୍ନୋଲୋଜି ରହିବ ।  

ଆହୁରି ମଧ୍ୟ ଭାରତୀୟ ଗୁଇନ୍ଦା ଏଜେନ୍ସିଗୁଡି଼କ  ନିକଟରେ ବହାବଳପୁରରେ ହୋଇଥିବା ଏକ ଉଚ୍ଚ  ସ୍ତରୀୟ ବୈଠକର ଏଜେଣ୍ଡା ସଂପର୍କରେ ପ୍ରକାଶ କରିଛନ୍ତି ।  ସେହି ବୈଠକରେ ଆଇଏସ୍‌ଆଇ ଅଧିକାରୀଙ୍କ ସହିତ  ଜୈସ୍‌, ଲସ୍କର, ହିଜବୁଲ ମୁଜାହିଦ୍ଦିନ୍‌ ଓ ଟିଆରଏଫ୍‌ର  ବରିଷ୍ଠ କମାଣ୍ଡରମାନେ ଭାଗ ନେଇଥିଲେ । ବୈଠକ  ସମୟରେ ଆଇଏସ୍‌ଆଇ ନଷ୍ଟ ହୋଇଯାଇଥିବା  ଆତଙ୍କୀ ଭିତ୍ତିଭୂମିକୁ ପୁନଃ ବିକଶିତ କରିବା ଲାଗି  ମୋଟା ଅଙ୍କର ଅର୍ଥ ଦେବାର ପ୍ରତିଶ୍ରୁତି ଦେଇଥିଲା ।