ନୂଆଦିଲ୍ଲୀ: ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କର ନମ୍ବର-୧ ସ୍ଥାନ ହରାଇଛନ୍ତି। ବୁଧବାର ଆଇସିସି ଟି-୨୦ ଆନ୍ତର୍ଜାତୀୟ ରାଙ୍କିଙ୍ଗ ପ୍ରକାଶ କରିଛି। ଟି-୨୦ ଆନ୍ତର୍ଜାତୀୟ ଅଲରାଉଣ୍ଡର ରାଙ୍କିଙ୍ଗରେ ଏକ ବଡ଼ ପରିବର୍ତ୍ତନ ଆସିଛି। ୨୦୨୫ ଏସିଆ କପରେ ଚାରିଥର ଶୂନରେ ଆଉଟ ହୋଇଥିବା ପାକିସ୍ତାନର ସାଇମ ଆୟୁବ ଏବେ ଟି-୨୦ ଆନ୍ତର୍ଜାତୀୟରେ ବିଶ୍ୱର ନମ୍ବର-୧ ଅଲରାଉଣ୍ଡର ହୋଇଛନ୍ତି।
ସଦ୍ୟତମ ରାଙ୍କିଙ୍ଗରେ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ସ୍ଥାନ ଖସି ଦ୍ୱିତୀୟ ସ୍ଥାନକୁ ଆସିଛନ୍ତି । ସାଇମ୍ ଆୟୁବ ୪ଟି ସ୍ଥାନ ଉପରକୁ ଉଠି ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି। ଏଠାରେ ଉଲ୍ଲେଖନୀୟ ଯେ, ସାଇମ ଆୟୁବ ୨୦୨୫ ଏସିଆ କପରେ ଚାରି ଥର ଶୂନରେ ଆଉଟ ହୋଇଥିଲେ। ଟୁର୍ଣ୍ଣାମେଣ୍ଟରେ ସେ ମାତ୍ର ୪୮ ରନ କରିଥିଲେ। କିନ୍ତୁ ସାଇମ୍ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲେ ।
୨୦୨୫ ଏସିଆ କପରେ ସାଇମ୍ ଆୟୁବ ଓମାନ ବିପକ୍ଷରେ ମାତ୍ର ୮ ରନ ଦେଇ ଦୁଇଟି ୱିକେଟ୍ ନେଇଥିଲେ। ଭାରତ ବିପକ୍ଷରେ ମଧ୍ୟ ସେ ତିନି ଜଣ ବ୍ୟାଟରଙ୍କୁ ଆଉଟ୍ କରିଥିଲେ। ଏସିଆ କପର ୭ଟି ମ୍ୟାଚରେ ଆୟୁବ ମୋଟ ୮ ୱିକେଟ୍ ନେଇଥିଲେ।
ସେପଟେ ଭାରତର ବିସ୍ଫୋରକ ଓପନର ଅଭିଷେକ ଶର୍ମା ବ୍ୟାଟିଂ ରାଙ୍କିଙ୍ଗରେ ଇତିହାସ ସୃଷ୍ଟି କରିଛନ୍ତି। ସେ ସର୍ବାଧିକ ରେଟିଂ ପଏଣ୍ଟ ସହିତ ଏକ ନମ୍ବର ବ୍ୟାଟର ହୋଇଛନ୍ତି । ୨୫ ବର୍ଷୀୟ ଖେଳାଳି ତାଙ୍କର ସର୍ବୋଚ୍ଚ ରେଟିଂ (୯୭୧) ହାସଲ କରି ପ୍ରାୟ ପାଞ୍ଚ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି।
ଅଭିଷେକ ଏସିଆ କପ୍ ୨୦୨୫ର ୭ଟି ମ୍ୟାଚ୍ରେ ୪୪.୮୬ ହାରରେ ୩୧୪ ରନ୍ କରିଥିଲେ। ସୁପର ଫୋର୍ ମ୍ୟାଚ୍ରେ ସେ ପାକିସ୍ତାନ ବିପକ୍ଷରେ ୭୪ ଏବଂ ବାଂଲାଦେଶ ବିପକ୍ଷରେ ୭୫ ରନ୍ କରିଥିଲେ। ଅଭିଷେକ ଶ୍ରୀଲଙ୍କା ବିପକ୍ଷରେ ୬୧ ରନ୍ କରିଥିଲେ ଏବଂ ତାଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବରେ ବିବେଚିତ କରାଯାଇଥିଲା।
ଏସିଆ କପରେ ପ୍ରଭାବଶାଳୀ ପ୍ରଦର୍ଶନ ପରେ ଅଭିଷେକ ଶର୍ମା ୯୩୧ ପଏଣ୍ଟ ରେଟିଂରେ ପହଞ୍ଚିଛନ୍ତି । ଯାହା ପୂର୍ବ ସର୍ବୋତ୍ତମ ରେଟିଂ ୯୧୯ ପଏଣ୍ଟକୁ ଅତିକ୍ରମ କରିଛି । ୨୦୨୦ ମସିହାରେ ଇଂଲଣ୍ଡର ବ୍ୟାଟର ଡେଭିଡ୍ ମଲାନ୍ ହାସଲ କରିଥିଲେ। ଅଭିଷେକ ସର୍ବାଧିକ ରେଟିଂ ପଏଣ୍ଟ ପାଇ ସୂର୍ଯ୍ୟକୁମାର ଯାଦବ ଏବଂ ବିରାଟ କୋହଲିଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି।