ନୂଆଦିଲ୍ଲୀ,୦୮/୦୫: ଭାରତ ଦ୍ୱାରା ଅପରେସନ ସିନ୍ଦୁର ମାଧ୍ୟମରେ ଆକ୍ରମଣ ପରେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କର ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ ଆସିଥିଲା। କିନ୍ତୁ ଏହି ସମ୍ବୋଧନ ବିଜୟର ଘୋଷଣା ନଥିଲା, ବରଂ ଏହା ପରାଜୟ ଏବଂ ସ୍ପଷ୍ଟୀକରଣର ଭାବନାରେ ପରିପୂର୍ଣ୍ଣ ଏକ ଲମ୍ବା କାହାଣୀ ଥିଲା। ଭାରତ ଦ୍ୱାରା ୯ଟି ସ୍ଥାନରେ କରାଯାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ଯେଉଁ ମନୋଭାବ ଗ୍ରହଣ କରିଛି ତାହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଏହା ଭାରତ ସହିତ ପାରମ୍ପରିକ ଯୁଦ୍ଧ ପାଇଁ ପ୍ରସ୍ତୁତ କିମ୍ବା ସକ୍ଷମ ନୁହେଁ। ଶେହବାଜ ସରିଫ ପରୋକ୍ଷରେ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନ ପାଇଁ ଯୁଦ୍ଧ ଲଢ଼ିବା କେବଳ ଆଗ୍ରହର ବିଷୟ ନୁହେଁ, ଏଥିପାଇଁ ସମ୍ବଳ ଏବଂ ରଣନୀତି ମଧ୍ୟ ଆବଶ୍ୟକ। ଯାହା ତାଙ୍କ ପାଖରେ ଆଉ ନାହିଁ।
ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଦାବି କରିଛନ୍ତି ଯେ ପାକିସ୍ତାନ ବାୟୁସେନା ଏବଂ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତି ସହିତ ଭାରତର ଆକ୍ରମଣର ଜବାବ ଦେଇଥିଲେ ଏବଂ ଭାରତୀୟ ଯୁଦ୍ଧ ବିମାନଗୁଡ଼ିକୁ ଆଗକୁ ବଢ଼ିବାରୁ ଅଟକିଥିଲେ। ଶେହବାଜଙ୍କ ବକ୍ତବ୍ୟରୁ ଏହା ସ୍ପଷ୍ଟ ଯେ ସେ ପାକିସ୍ତାନର ଲୋକଙ୍କୁ କହିବାକୁ ଚାହୁଁଛନ୍ତି ଯେ ସେମାନେ ଭାରତର କ୍ଷେପଣାସ୍ତ୍ର ବିରୁଦ୍ଧରେ ଭଲ ଲଢ଼ିଛନ୍ତି। କିନ୍ତୁ ଭାରତ ପାକିସ୍ତାନର ଘରେ ପ୍ରବେଶ କରି କିପରି ତାକୁ ଶିକ୍ଷା ଦେଇଥିଲା ତାହାର ସତ୍ୟତା ସାରା ବିଶ୍ବ ଦେଖିସାରିଛି। ଏପରି ପରିସ୍ଥିତିରେ, ଶେହବାଜ ନିଜ ପରାଜୟକୁ ସ୍ୱୀକାର କରିବା ପରିବର୍ତ୍ତେ କେବଳ ପାକିସ୍ତାନର ଲୋକଙ୍କୁ ମୂର୍ଖ ବନାଇବାକୁ ଚେଷ୍ଟା କରୁଛନ୍ତି।
ସେ ତାଙ୍କ ଭାଷଣରେ ଏହା ମଧ୍ୟ କହିଥିଲେ ଯେ ଏହା ଏକ ଏମିତି ଏକ ଯୁଦ୍ଧ, ଯେଉଁଥିରେ ପରମାଣୁ ଅସ୍ତ୍ରର କୌଣସି ଚିହ୍ନ ନାହିଁ। ସେ ବାରମ୍ବାର ଦୋହରାଇଥିଲେ ଯେ ଆଲ୍ଲାଙ୍କ କୃପା ଯୋଗୁଁ ପାକିସ୍ତାନ ଏକ ମହାନ ବିଜୟ ହାସଲ କରିଛି। ଏବେ ଏଠାରେ ବୁଝିବା କଥା ହେଉଛି ଯେ ଯଦି ଶାହବାଜ କହୁଛନ୍ତି ଯେ ସେ ଜିତିଛନ୍ତି, ତେବେ ତାଙ୍କୁ ଏହାର କିଛି ପ୍ରମାଣ ଦେବା ଉଚିତ। ଯେପରି ଭାରତ ତା’ର ଆକ୍ରମଣର ଭିଡିଓ ଜାରି କରିଛି। ବାସ୍ତବିକ ସତ୍ୟ ଏହିକି ଯେ ପାକିସ୍ତାନ ଭାରତର ଆକ୍ରମଣର କୌଣସି ଜବାବ ଦେଇପାରିଲା ନାହିଁ। ସେଥିପାଇଁ ମନଗଢ଼ା କାହାଣୀ ତଥା ବିଜୟର ଦାବିକୁ ପ୍ରମାଣ କରିବାକୁ କୌଣସି ଠୋସ୍ ପ୍ରମାଣ ପାକିସ୍ତାନ ପାଖରେ ନଥିଲା, କୌଣସି ରଣନୈତିକ ଲାଭ ନଥିଲା କିମ୍ବା କୌଣସି ସ୍ପଷ୍ଟ ପ୍ରତିକ୍ରିୟା ନଥିଲା। ଏପରି ପରିସ୍ଥିତିରେ, ତାଙ୍କ ଭାଷଣ ଏକ ସ୍ପଷ୍ଟ ବାର୍ତ୍ତା ଦେଇଥିଲା ଯେ ପାକିସ୍ତାନ ଆଉ ଖୋଲା ଯୁଦ୍ଧ ଲଢ଼ିବା ସ୍ଥିତିରେ ନାହିଁ।
ନିଜ ସ୍କ୍ରିପ୍ଙଟରେ ନିଜେ ଫଶିଲା ପାକିସ୍ତାନ:
ଶେହବାଜ ସରିଫ ଭାରତ ଉପରେ ଆକ୍ରମଣ କରିଥିବା ଦାବି କରିଥିଲେ, କିନ୍ତୁ ତାଙ୍କ କଥାରେ କୌଣସି ଆକ୍ରମଣାତ୍କମ ଢ଼ଙ୍ଗ ନଥିଲା। ପ୍ରକୃତରେ, ତାଙ୍କ ଭିଡିଓରେ ଅନେକ କଟ୍ ଥିବା ସ୍ପଷ୍ଟ ଭାବରେ ଦେଖାଯାଉଛି। ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ପାକିସ୍ତାନ ଭୟଭୀତ। କେବଳ ଏତିକି ନୁହେଁ, ସେ ଏହା ମଧ୍ୟ କହିଥିଲେ ଯେ ସେ ଜେନେରାଲ ଅସୀମ ମୁନିର ଏବଂ ଅନ୍ୟ ସେନା ଅଧିକାରୀଙ୍କ ସହିତ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ଏବଂ ଆତଙ୍କବାଦୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଗୋଟିଏ ପ୍ରକାରେ, ଏହି ବିବୃତ୍ତି ପାକିସ୍ତାନର ପରାଜୟର ସ୍ୱୀକାରୋକ୍ତି ମଧ୍ୟ, ଯାହାକୁ ସେମାନେ ସମ୍ମାନର ବିଜୟ ବୋଲି କହି ଲୁଚାଇବାକୁ ଚେଷ୍ଟା କରିଥିଲେ। ତାଙ୍କ ଭାଷଣର ସ୍ୱର ବାରମ୍ବାର ସ୍ପଷ୍ଟୀକରଣ ଏବଂ ବିଶ୍ୱ ସମ୍ମୁଖରେ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାର ଥିଲା। କେବଳ ଏତିକି ନୁହେଁ, ସେ ଏହା ମଧ୍ୟ କହିଥିଲେ ଯେ ପାକିସ୍ତାନର ସୀମା ଲଙ୍ଘନ କରାଯାଇ ନାହିଁ କିନ୍ତୁ ଏପଟେ ଭାରତୀୟ ସେନା ଏହି ଅପରେସନକୁ ସୀମା ଆରପାରିକୁ ଯାଇ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଛି।
ନିଜ ମିଛ ଲୁଚାଉପାରିଲେନି ପାକିସ୍ତାନ ପ୍ରଧାନମନ୍ତ୍ରୀ:
ତାଙ୍କର ଭାଷଣ ଏହି କଥାର ପ୍ରମାଣ ଥିଲା ଯେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ କେବଳ ସାମରିକ ସ୍ତରରେ ଚାପଗ୍ରସ୍ତ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଏକା ଅନୁଭବ କରୁଛି। ସେ ଏହା ମଧ୍ୟ କହିଛନ୍ତି ଯେ ପାକିସ୍ତାନ ଏକ ଶାନ୍ତିପ୍ରିୟ ଦେଶ ଏବଂ ଆତଙ୍କବାଦ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି। ଏପରି ପରିସ୍ଥିତିରେ, ସେ ଭାରତର କାର୍ଯ୍ୟକୁ ଆତଙ୍କବାଦ ବିରୋଧରେ ଯୁଦ୍ଧରୁ ଧ୍ୟାନ ହଟାଇବା ପାଇଁ ଏକ ଷଡ଼ଯନ୍ତ୍ର ବୋଲି ବର୍ଣ୍ଣନା କରିଛନ୍ତି। କିନ୍ତୁ ଏସବୁ କଥା ମଧ୍ୟ ତାଙ୍କର ଦୁର୍ବଳତାକୁ ଲୁଚାଇ ପାରିଲା ନାହିଁ। ସେ ଭାରତୀୟ ଆକ୍ରମଣରେ ପ୍ରାଣ ହରାଇଥିବା ୨୬ ଜଣ ସାଧାରଣ ନାଗରିକଙ୍କ କଥା ଉଲ୍ଲେଖ କରିଥିଲେ ଏବଂ ଜଣେ ୭ ବର୍ଷୀୟ ନିର୍ଦ୍ଦୋଷ ଶିଶୁର ସହିଦ ହେବା ବିଷୟରେ କହି ଏକ ଭାବପ୍ରବଣ ସମବେଦନା ଜଣାଇଥିଲେ, ଯାହା ସ୍ପଷ୍ଟ କରିଥିଲା ଯେ ପାକିସ୍ତାନ ଏବେ ଯୁଦ୍ଧ ଅପେକ୍ଷା ସହିଦଙ୍କ କାହାଣୀ ମାଧ୍ୟମରେ ମନୋବଳ ନିଜ ଦୃଢ଼ କରିବାକୁ ଚାହୁଁଛି।