ନୂଆଦିଲ୍ଲୀ,୦୪/୦୨: ଦାରିଦ୍ରତାରେ ବୁଡ଼ି ରହିଥିବା ପାକିସ୍ତାନ ଅନେକ ସୂଚକାଙ୍କରେ ପଛରେ ରହିଥିବା ବେଳେ ପିଲା ଜନ୍ମ କରିବା କ୍ଷେତ୍ରରେ ଏହା ବହୁତ ଆଗରେ ଅଛି। ଜାତିସଂଘର ଏକ ରିପୋର୍ଟରେ ଆକଳନ କରାଯାଇଛି ଯେ ୨୦୫୦ ସୁଦ୍ଧା ପାକିସ୍ତାନ ଜନସଂଖ୍ୟା ଦୃଷ୍ଟିରୁ ଆମେରିକାକୁ ପଛରେ ପକାଇ ବିଶ୍ୱର ତୃତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇଯିବ। ସୂଚନାଥାଉକି, ପାକିସ୍ତାନ ଗତ ତିନି ଦଶନ୍ଧି ମଧ୍ୟରେ ଜନ୍ମହାରରେ ଏକ ବିରାଟ ହ୍ରାସ ଦେଖିଛି।
୩.୬ % ପାକିସ୍ତାନର ପ୍ରଜନନ ହାର:
ଜାତିସଂଘର ବିଶ୍ୱ ପ୍ରଜନନ ରିପୋର୍ଟ ୨୦୨୪ ଅନୁଯାୟୀ, ପାକିସ୍ତାନର ପ୍ରଜନନ ହାର ୨୦୨୪ ରେ ୩.୬ ସ୍ଥିର କରାଯାଇଛି, ଯାହା ଏସିଆର ଅନେକ ଦେଶ ଅପେକ୍ଷା ବହୁତ ଅଧିକ। ତଥାପି, ଏହା ୧୯୯୪ ମସିହାରେ ପାକିସ୍ତାନର ନିଜସ୍ୱ ପ୍ରଜନନ ହାର ତୁଳନାରେ ଯଥେଷ୍ଟ କମ୍। ୧୯୯୪ ମସିହାରେ, ପାକିସ୍ତାନରେ ପ୍ରତି ମହିଳାଙ୍କ ପାଇଁ ପ୍ରଜନନ ହାର ୬ ଥିଲା। ଏହାର ଅର୍ଥ ହେଉଛି ପ୍ରତ୍ୟେକ ମହିଳା ହାରାହାରି ଛଅଟି ସନ୍ତାନକୁ ଜନ୍ମ ଦେଇଥିଲେ।
ତୃତୀୟ ଜନସଂଖ୍ୟାବିଶିଷ୍ଟ ରାଷ୍ଟ୍ର ହେବ ପାକିସ୍ତାନ:
ଏହି ହ୍ରାସ ସତ୍ତ୍ୱେ, ପାକିସ୍ତାନ ୨୦୫୦ ସୁଦ୍ଧା ଆମେରିକା, ଇଣ୍ଡୋନେସିଆ, ବ୍ରାଜିଲ ଏବଂ ରୁଷକୁ ପଛରେ ପକାଇ ବିଶ୍ୱର ତୃତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହେବ ବୋଲି ଆକଳନ କରାଯାଇଛି। ୧୯୪୭ ମସିହାରେ ପାକିସ୍ତାନ ଗଠନ ସମୟରେ ଦେଶର ଜନସଂଖ୍ୟା ୩.୧ କୋଟି ଥିବା ବେଳେ ଏହା ୨୦୨୩ ଜନଗଣନା ଅନୁଯାୟୀ ୨୪.୧ କୋଟିକୁ ବୃଦ୍ଧି ପାଇଛି।
ଦେଶର ବର୍ଦ୍ଧିତ ଜନସଂଖ୍ୟା ପୂର୍ବରୁ ଦୁର୍ବଳ ଅର୍ଥନୀତି ଉପରେ ବୋଝ ବୃଦ୍ଧି କରିଛି। ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ, ଦେଶ ପରିବାର ନିୟୋଜନ କାର୍ଯ୍ୟକ୍ରମ, ଗର୍ଭନିରୋଧକ ବଣ୍ଟନ ଏବଂ ଗ୍ରାମୀଣ ଶିକ୍ଷା ଅଭିଯାନ ସମେତ ବିଭିନ୍ନ ପଦକ୍ଷେପ ନେଉଛି। ତଥାପି, ଧାର୍ମିକ କଠୋରତା, ସାଂସ୍କୃତିକ ପ୍ରତିବନ୍ଧକ ଏବଂ ଶିକ୍ଷା ପ୍ରତି ସୀମିତ ପ୍ରବେଶ ଏଥିରେ ବାଧା ସୃଷ୍ଟି କରୁଛି। ଧାର୍ମିକ କଠୋରତା ଯୋଗୁଁ, ଦେଶରେ ପରିବାର ନିୟୋଜନ ପଦକ୍ଷେପଗୁଡ଼ିକୁ ହୀନ ଦୃଷ୍ଟିରେ ଦେଖାଯାଉଛି।