ନୂଆଦିଲ୍ଲୀ,୨୩/୧୧: ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ନୂଆଦିଲ୍ଲୀ ଇନଷ୍ଟିଚ୍ୟୁଟ୍ ମ୍ୟାନେଜମେଣ୍ଟର ଏକ ସମାରୋହରେ ସାମିଲ ହୋଇ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ପାକିସ୍ତାନ ଏବେ ଜାଣି ସାରିଛି ଭାରତକୁ ସିଧା ଯୁଦ୍ଧରେ ହରାଇ ପାରିବ ନାହିଁ । ତେଣୁ ସେ ପ୍ରକ୍ସି ୱାର ପାଇଁ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ତାର ଏକ ଷଡଯନ୍ତ୍ରର ଅଂଶ ଥିଲା । ପ୍ରସ୍କି ୱାର୍ର ସାହାର ନେଉଛି ପାକିସ୍ତାନ ବୋଲି କହିଛନ୍ତି ଆର୍ମି ଚିଫ୍ ।
ଆର୍ମି ଚିଫ୍ ଉପେନ୍ଦ୍ର ଦ୍ୱିବେଦୀ ଆହୁରି କହିଛନ୍ତି,'' ପାକିସ୍ତାନ ଏବେ ବୁଝି ସାରିଛି ଭାରତ ସହ ସିଧା ଲଢେଇରେ ହାରିବ । ଜିତିକି ଲଢିବାକୁ ତା ପାଖରେ ଦମ୍ ନାହିଁ । ତେଣୁ ସେ ପ୍ରକ୍ସି ୱାର୍ ଏବଂ ମିଛ ଲଢେଇ ଜରିଆରେ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ତାର ହିଁ କାମ । ନିଜର ଉପସ୍ଥିତି ଜାହିର ପାଇଁ ସେ ଏପରି କରିଛି । ଆଜି ଭାରତ ବଦଳି ସାରିଛି । ତାର ଏ ଗତିବିଧିକୁ ଭାରତ ପ୍ରଥମରୁ ଜାଣି ସାରିଥିଲା । ଏବଂ ସମୟ ପୂର୍ବରୁ ଅପରେସନ କରିଥିଲା । ସେମାନେ ଭାରତର ଅନେକ ସ୍ଥାନରେ ବ୍ଲାଷ୍ଟ କରିବାକୁ ଯୋଜନା କରିଥିଲେ । ଅନେକ ସହର, ଯେଉଁଥିରେ ମୁମ୍ବାଇ ବି ସେମାନଙ୍କ ଟାର୍ଗେଟରେ ଥିଲା ।''
'ଅପରେସନ୍ ସିନ୍ଦୂର' ଏକ ବିଶ୍ୱସ୍ତ ଅର୍କେଷ୍ଟ୍ରା- ପହଲଗାମ ପ୍ରତିଶୋଧ ନେବାକୁ ମେ ୬-୭ରେ ଭାରତୀୟ ସେନା ପକ୍ଷରୁ ହୋଇଥିବା 'ଅପରେସନ୍ ସିନ୍ଦୂରରେ' ପାକିସ୍ତାନ ଓ ପିଓକେରେ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରାଯାଇଥିଲା । ୨୨ ମିନିଟ୍ରେ ସଶସ୍ତ୍ର ବଳ ୯ ଆତଙ୍କୀ ଠିକଣାକୁ ଛାରଖାର କରିଥିଲା । ଏହି ଅପରେସନ୍ ସିନ୍ଦୂର ଏକ ବିଶ୍ୱସ୍ତ ଅର୍କେଷ୍ଟା ଥିଲା । ଯେଉଁଥିରେ ସମସ୍ତ ସମସ୍ତ ମ୍ୟୁଜିସିଆନ (ସଶସ୍ତ୍ର ବଳ) ସଠିକତା ଏବଂ ସମ୍ମନ୍ବୟର ଭୂମିକା ତୁଲାଇଥିଲେ । ତେଣୁ ୨୨ ମିନିଟ୍ରେ ଭାରତୀୟ ସେନା ଆତଙ୍କୀଙ୍କୁ ବଡ଼ ଝଟକା ଦେବାରେ ସଫଳ ହୋଇଥିଲା । ଆଜି ଦୁନିଆରେ ୫୫ରୁ ଅଧିକ ଯୁଦ୍ଧ ଜାରି ରହିଛି । ଏଥିରେ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବରେ ୧୦୦ରୁ ଅଧିକ ଦେଶ ସାମିଲ ଅଛନ୍ତି । ଶାନ୍ତି ଓ ସଂଘର୍ଷ ମଧ୍ୟରେ ସୀମା ଧୂଆମୟ ହେଉଛି ।