ନୂଆଦିଲ୍ଲୀ: ଭାରତ ପାକିସ୍ତାନ ଉପରେ ଯୁଦ୍ଧବିରତି ଉଲ୍ଲଂଘନ ଅଭିଯୋଗ ଆଣିବା ସହ ଏହାର କଡ଼ା ନିନ୍ଦା କରିଛି। ଏନେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି, ଶନିବାର ସନ୍ଧ୍ୟା ୫ଟାରେ କାର୍ଯ୍ୟକାରୀ ହୋଇଥିବା ଯୁଦ୍ଧବିରତି ଚୁକ୍ତିର କିଛି ଘଣ୍ଟା ମଧ୍ୟରେ ପାକିସ୍ତାନ ସୀମାନ୍ତରେ ଡ୍ରୋନ୍ ଓ ଗୋଳାବାରୁଦ ଆକ୍ରମଣ କରି ଏହି ଚୁକ୍ତି ଭାଙ୍ଗିଛି।
ମିଶ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, "ପାକିସ୍ତାନ ଉଭୟ ଦେଶର ସେନା ନିର୍ଦ୍ଦେଶକଙ୍କ ମଧ୍ୟରେ ହୋଇଥିବା ସହମତିର ବାରମ୍ବାର ଉଲ୍ଲଂଘନ କରିଛି। ଏହାର ପ୍ରତିକ୍ରିୟାରେ ଭାରତୀୟ ସେନାକୁ ଦୃଢ଼ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।" ସେ ପାକିସ୍ତାନକୁ ଏହି ଉଲ୍ଲଂଘନ ରୋକିବା ଓ ପରିସ୍ଥିତିକୁ ଗମ୍ଭୀରତାର ସହ ମୁକାବିଲା କରିବାକୁ ଆହ୍ୱାନ ଦେଇଛନ୍ତି।
ଏପ୍ରିଲ ୨୨ ତାରିଖରେ ଜମ୍ମୁ ଓ କାଶ୍ମୀରର ପାହାଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ନାଗରିକ ନିହତ ହେବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଭାରତ ଏହାକୁ ପାକିସ୍ତାନ ସମର୍ଥିତ ଗୋଷ୍ଠୀର କାର୍ଯ୍ୟ ବୋଲି ଅଭିଯୋଗ କରିଥିବା ବେଳେ ପାକିସ୍ତାନ ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲା। ମେ ୭ ତାରିଖରେ ଭାରତ ‘ଅପରେସନ୍ ସିନ୍ଦୁର’ ଆରମ୍ଭ କରି ପାକିସ୍ତାନ ନିୟନ୍ତ୍ରିତ ଅଞ୍ଚଳରେ ଥିବା ଆତଙ୍କବାଦୀ ଅବସ୍ଥାନ ଉପରେ ଭୟଙ୍କର ଆକ୍ରମଣ କରିଥିଲା। ପାକିସ୍ତାନ ପ୍ରତିଶୋଧରେ ଜମ୍ମୁ ଓ କାଶ୍ମୀର, ପଞ୍ଜାବ, ରାଜସ୍ଥାନରେ ଡ୍ରୋନ୍ ଓ ମିସାଇଲ ଆକ୍ରମଣ କରିଥିଲା।
ଶନିବାର ପାକିସ୍ତାନର ସେନା ନିର୍ଦ୍ଦେଶକ (DGMO) ଭାରତୀୟ ପକ୍ଷ ସହ ଯୋଗାଯୋଗ କରି ସନ୍ଧ୍ୟା ୫ଟାରୁ ସମସ୍ତ ସାମରିକ କାର୍ଯ୍ୟକଳାପ ବନ୍ଦ କରିବାକୁ ସହମତ ହୋଇଥିଲେ। ଭାରତ ଏହାକୁ ଦ୍ୱିପାକ୍ଷିକ ଆଲୋଚନା ବୋଲି ଦାବି କରୁଥିବା ବେଳେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ବଡ଼ ସଫଳତା ବୋଲି ଅଭିହିତ କରିଛନ୍ତି।
ପାକିସ୍ତାନ ଅସ୍ତ୍ରବିରତି ଉଲଘଂନ କରି ନାହିଁ ଓଲଟା ଭାରତ ନିଜେ କିଛି ଅଞ୍ଚଳରେ ଅସ୍ତ୍ରବୀରତି ଉଲ୍ଲଂଘନ କରୁଛି ବୋଲି ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଅଭିଯୋଗ ଆଣିଛି। ଅନ୍ୟପଟେ ଶେହବାଜ ଶରିଫ ଏହାକୁ ପାକିସ୍ତାନର "ଐତିହାସିକ ବିଜୟ" କହି ଆମେରିକା, ଚୀନ, ସାଉଦି ଆରବକୁ ଧନ୍ୟବାଦ ଜଣାଇଛନ୍ତି।
ଅନ୍ୟପଟେ ଯୁଦ୍ଧବିରତି ଚୁକ୍ତିର ମାତ୍ର ୩ ଘଣ୍ଟା ପରେ ଶ୍ରୀନଗର, ବାରମୁଲା, ରାଜୌରୀରେ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା। ସ୍ଥାନୀୟ ପ୍ରଶାସନ ବ୍ଲାକଆଉଟ ଘୋଷଣା କରି ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ନିର୍ଦ୍ଦେଶ ଦେଇଥିଲା। ପଞ୍ଜାବ ଓ ରାଜସ୍ଥାନରେ ମଧ୍ୟ ପାକିସ୍ତାନୀ ଡ୍ରୋନ୍ ଦେଖାଯାଇଥିଲା। ପାକିସ୍ତାନ ଅସ୍ତ୍ରବିରତିର ଖୋଲା ଉଲଘଂନ କରି ଭାରତୀୟ ସୀମାରେ ଆକ୍ରମଣ ଯୋଜନା କରିଥିଲା। ଯାହାକୁ ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମାରି ଖସାଇ ଦେଇଥିଲା।
ମେ ୧୨ରେ ଉଭୟ ଦେଶର ସେନା ନିର୍ଦ୍ଦେଶକ ଏନେଇ ପୁନଃ ଆଲୋଚନା କରିବାକୁ ଯାଉଛନ୍ତି। ତେବେ, ଚାଲିଥିବା ଉତ୍ତେଜନା ଓ ପାକିସ୍ତାନର ଖୋଲା ଅସ୍ତ୍ରବିରତି ଉଲଘଂନ ଯୁଦ୍ଧବିରତିର ସ୍ଥାୟୀତ୍ୱ ଉପରେ ପ୍ରଶ୍ନ ଉଠାଇଛି।