ନୂଆଦିଲ୍ଲୀ,୧୪।୧୨: ସଂଖ୍ୟାଲଘୁଙ୍କ ସୁରକ୍ଷାକୁ ନେଇ କାହାକୁ ଦେଶର ଛବି ମିଳିନ କରିବା ଉଚିତ ନୁହେଁ। ଏଭଳି କିଛି କହିଛନ୍ତି, କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ। ଶନିବାର ଲୋକସଭାରେ ସେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଓ ତାଙ୍କ ଦଳର ଅନ୍ୟ ନେତାଙ୍କୁ ଏଭଳି କହିଛନ୍ତି। ରିଜିଜୁ କହିଛନ୍ତି, ପାକିସ୍ତାନ ଓ ବାଂଲାଦେଶରୁ ମଧ୍ୟ ସଂଖ୍ୟାଲଘୁ ପଳାୟନ କରି ଭାରତ ଆସୁଛନ୍ତି। ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ସ୍ଥିତି(ସଂଖ୍ୟାଲଘୁଙ୍କ ମାମଲାରେ) କ’ଣ ରହିଛି, ସମସ୍ତଙ୍କୁ ଜଣାଅଛି।
ସଂସଦୀୟ କାର୍ଯ୍ୟମନ୍ତ୍ରୀ ରିଜିଜୁ ଗୃହରେ ଭାରତର ସମ୍ବିଧାନସର ୭୫ ବର୍ଷର ଗୌରବଶାଳୀ ଯାତ୍ରା ଉପରେ ଚର୍ଚ୍ଚାରେ ଭାଗ ନେଇ କହିଛନ୍ତି, ଭାରତର ସମ୍ବିଧାନରେ ସଂଖ୍ୟାଲଘୁଙ୍କ ପାଇଁ ଯେଉଁଭଳି ସୁରକ୍ଷାତ୍ମକ ଉପାୟ ରହିଛି, ତାହା ଅନ୍ୟ କୌଣସି ଦେଶରେ ନାହିଁ। ତଥାପି କେବେ କେବେ ଏଭଳି କୁହାଯାଏ ଯେପରି ସଂଖ୍ୟାଲଘୁଙ୍କ ଅଧିକାର ନାହିଁ।’’
ଉଲ୍ଲେଖନୀୟ ଯେ, ଶୁକ୍ରବାର ଚର୍ଚ୍ଚାରେ ଭାଗ ନେଇ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ସହ କିଛି ବିରୋଧି ସାଂସଦ ଦେଶରେ ସଂଖ୍ୟାଲଘୁଙ୍କ ସହ ଭେଦଭାବ ହେଉଥିବାର ଅଭିଯୋଗ କରିଥିଲେ। ଏନେଇ ରିଜିଜୁ କହିଛନ୍ତି, ୟୁରୋପୀୟ ସଂଘର ଦେଶଙ୍କ ଏକ ସର୍ବେକ୍ଷଣ ଅନୁସାରେ, ଏହି କ୍ଷେତ୍ରରେ ଦେଶର ୪୮% ଲୋକ ଭେଦଭାବର ଶିକାର ହୋଇଛନ୍ତି, ଯାହାଙ୍କ ଭିତରେ ଅଧିକାଂଶ ମୁସଲମାନ ରହିଛନ୍ତି। ରିଜିଜୁ କହିଛନ୍ତି, ଆଖପାଖର ଦେଶରେ ସଂଖ୍ୟାଲଘୁଙ୍କ ବିରୋଧରେ ଅତ୍ୟାଚାର ହେଉଛି। ସେମାନେ ସବୁଠାରୁ ପ୍ରଥମେ ଭାରତ ଆସିଥାନ୍ତି। କାରଣ ଭାରତ ସୁରକ୍ଷିତ। ହେଲେ ଏଭଳି କାହିଁକି ବାରମ୍ବାର ପ୍ରଶ୍ନ କରାଯାଉଛି ଯେ, ଭାରତରେ ସଂଖ୍ୟାଲଘୁ ସୁରକ୍ଷିତ ନାହାନ୍ତି। ଏଭଳି କଥା କହିବା ଉଚିତ ନୁହେଁ, ଏହାଦ୍ବାରା ଦେଶର ଛବି ଖରାପ ହେଉଛି।