ନୂଆଦିଲ୍ଲୀ ୨୨/୦୧: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ନିକଟରେ ସିଆଲକୋଟ୍‌ରେ ଏକ ‘ପିଜ୍ଜା ହଟ୍’ ଆଉଟ୍‌ଲେଟ୍‌ରେ ଉଦ୍‌ଘାଟନ ସମାରୋହରେ ପହଞ୍ଚି ଫିତା କାଟିଥିଲେ । ତାଙ୍କର ସ୍ୱାଗତ ଲାଗି ରେଡ୍ କାର୍ପେଟ୍ ବିଛାଯାଇଥିଲା । ପିଜ୍ଜା ହଟ୍‌କୁ ଫୁଲରେ ସଜାଯାଇଥିଲା । ଏହି ହାଇ-ପ୍ରୋଫାଇଲ ଉଦ୍‌ଘାଟନ ସମାରୋହକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିବା ବେଳେ ଆମେରିକୀୟ ମଲ୍ଟିନ୍ୟାସନାଲ ରେସ୍ତୋରାଁ ଶୃଙ୍ଖଳା ‘ପିଜ୍ଜା ହଟ୍’ର ଘୋଷଣା ଉତ୍ସାହକୁ ଫିକା କରିଦେଲା । ସିଆଲକୋଟ୍‌ରେ ଖୋଲିଥିବା ଏହି ଆଉଟ୍‌ଲେଟ୍ ଅନଧିକୃତ ଓ ନକଲି ବୋଲି ଏହା କହିଛି । ଦେଶର ସବୁଠୁ ବିବାଦୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କର ଏକ ଅନଧିକୃତ ଫୁଡ୍ ଚେନ୍ ଉଦ୍‌ଘାଟନ କରିବାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ଆମେରିକୀୟ ଫୁଡ୍ ଚେନ୍ ଏ ବିଷୟରେ ସ୍ପଷ୍ଟ କରିଛି ।

ଆଉଟ୍‌ଲେଟ୍‌ରେ ପିଜ୍ଜା ହଟ୍‌ର ଅତି ପରିଚିତ ଲୋଗୋ ଓ ବ୍ରାଣ୍ଡିଂର ଉପଯୋଗ ହୋଇଥିଲେ ମଧ୍ୟ ଇଣ୍ଟର୍‌ନେଟ୍‌ ୟୁଜର୍ କହିଛନ୍ତି, ପିଜ୍ଜା ହଟ୍ ପାକିସ୍ତାନର ଔପଚାରିକ ଷ୍ଟୋର୍ ତାଲିକାରେ ସିଆଲକୋଟ୍‌ରେ ନାଁ ନାହିଁ । ଏହା ପରେ ପିଜ୍ଜା ହଟ୍ ବ୍ରାଣ୍ଡ୍ ସହିତ ସିଆଲକୋଟ୍ ସ୍ଥିତ ଆଉଟ୍‌ଲେଟ୍‌ ଔପଚାରିକ ରୂପେ ସହବନ୍ଧିତ ନୁହେଁ ବୋଲି ପିଜ୍ଜା ହଟ୍ ପାକିସ୍ତାନ ପକ୍ଷରୁ ଏକ ଔପଚାରିକ ବିବୃତ୍ତି ଜାରି କରାଯାଇଛି । ଏଥିସହିତ ସ୍ପଷ୍ଟ କରାଯାଇଛି, ଏହା ଅନଧିକୃତ ଭାବେ ପିଜ୍ଜା ହଟ୍‌ର ନାଁ ଓ ବ୍ରାଣ୍ଡ୍‌ର ଉପଯୋଗ କରୁଛି । ଅନ୍ତର୍ଜାତୀୟ ବ୍ୟଞ୍ଜନ, ଗୁଣବତ୍ତା ନିୟମ, ଖାଦ୍ୟ ନିରାପତ୍ତା ଓ ପରିଚାଳନା ମାନକଗୁଡ଼ିକର ଅନୁପାଳନ ମଧ୍ୟ କରୁନାହିଁ । ଆଉଟ୍‌ଲେଟ୍‌ର କର୍ତ୍ତୃପକ୍ଷଙ୍କ ବିରୋଧରେ ପିଜ୍ଜା ହଟ୍ କମ୍ପାନି ପକ୍ଷରୁ ଅଭିଯୋଗ ଦାଖଲ କରାଯାଇଛି । ଏହାର ଟ୍ରେଡ୍‌ମାର୍କର ଅପବ୍ୟବହାର ବନ୍ଦ କରିବାକୁ ଏବଂ କର୍ତ୍ତୃପକ୍ଷଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି କମ୍ପାନି ଦାବି କରିଛି ।

ଆହୁରି ପଢନ୍ତୁ: ମୁମ୍ବାଇର ଶତାବ୍ଦୀ ପୁରୁଣା ଇରାନୀ କାଫେରେ ତାଲା, ଶଟର୍‌ରେ ଝୁଲୁଛି ହାତଲେଖା ସୂଚନା