ଇସ୍ଲାମାବାଦ: ଆର୍ଥିକ ସଙ୍କଟ, ଋଣ ଭାର ଏବଂ ଅସହ୍ୟ ଗରିବୀ । ପେଟ ପୂରା ଖାଇବାକୁ ଅସମର୍ଥ ପାକିସ୍ତାନର ଲୋକେ । ବଜାର ଦରରେ ନିଆଁ ଲାଗିଥିବା ବେଳେ ଲୋକଙ୍କ କ୍ରୟ କରିବାର ସମାର୍ଥ୍ୟ ବି ନାହିଁ । ପାକିସ୍ତାନର ଲୋକେ ନିଜକୁ ବଞ୍ଚାଇ ରଖିବାକୁ ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ପାକିସ୍ତାନର ନେତା ମନ୍ତ୍ରୀ, ସେନା ମୁଖ୍ୟଙ୍କ ମଉଜ କରିବାର ସଉକ ଥମିନାହିଁ । କେତେବେଳେ ମନ୍ତ୍ରୀଙ୍କ ଦରମା ବଢ଼ୁଛି ତ ଆଉ କେତେବେଳେ ଲୋକଙ୍କ ଟଙ୍କାରେ ବିଦେଶ ବୁଲୁଛନ୍ତି ଦେଶର ସେନା ମୁଖ୍ୟ । କେବଳ ସେତିକି ନୁହେଁ, ଋଣ କରି ଘିଅ ଖାଇବା ମଧ୍ୟ ପାକିସ୍ତାନର ଏକ ଅଭ୍ୟାସ । ଅନ୍ତର୍ଜାତୀୟ ମୁଦ୍ରା କୋଷ ବା ଆଇଏମଏଫ ପାଖରୁ ଋଣ ଆଣିବା ମାମଲାରେ ଚତୁର୍ଥ ସ୍ଥାନରେ ରହିଛି ପାକିସ୍ତାନ । ଏସବୁ ଜାଣିବା ସତ୍ତ୍ବେ ପଦୋନ୍ନତି ପାଇଥିବା ପାକସ୍ତାନର ଫିଲ୍ଡ ମାର୍ଶଲ ଏବଂ ସେନା ମୁଖ୍ୟ ଅସିମ ମୁନୀରଙ୍କ ବିଦେଶ ଯାତ୍ରାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ମୁନୀର ଖୁବଶୀଘ୍ର ଶ୍ରୀଲଙ୍କା ଗସ୍ତ କରିବେ । ତାଙ୍କର ଏହି କୂଟନୈତିକ ଯାତ୍ରାକୁ ନେଇ ଚର୍ଚ୍ଚା ଯେତିକି, ସେଠାରେ ତାଙ୍କର ମଉଜ କରିବାର ତାଲିକାକୁ ନେଇ ମଧ୍ୟ ସେତିକି ଆଲୋଚନା । ପଞ୍ଚତାରକା ହୋଟେଲରେ ରହିବେ, ହେଲକପ୍ଟରରେ ବୁଲିବେ । ଦାମୀ ଦାମୀ ସ୍ବାଦିଷ୍ଟ ଖାଦ୍ୟ ଖାଇବେ, ବିଭିନ୍ନ ପର୍ଯ୍ୟଟନସ୍ଥଳ ଯିବେ । ଜୁଲାଇ ୨୦ରୁ ୨୩ ଶ୍ରୀଲଙ୍କା ଗସ୍ତ କରିବେ ମୁନୀର । ତାଙ୍କ ପାଇଁ ବିଳାଶପୂର୍ଣ୍ଣ ବିମାନର ବ୍ୟବସ୍ଥା ହୋଇଛି । ସେଠାରେ ପହଞ୍ଚିବା ପରେ ତାଙ୍କୁ ବାଇକ୍ ଏସକର୍ଟରେ ନିଆଯିବ ଓ ତାପରେ ହେଲିକପ୍ଟର ଯୋଗେ ସେ ଶ୍ରୀଲଙ୍କାର ଅନେକ ସହର ବୁଲି ଦେଖିବେ । ସିଗିରିଆ ରକ୍ ଫର୍ଟ ଏବଂ ଆଦାମ ପିକ୍ ଯାଇ ତାର ସୌନ୍ଦର୍ଯ୍ୟ ଉପଭୋଗ କରିବେ ମୁନୀର । କଲମ୍ବୋର ଏକ ଲୋକପ୍ରିୟ ପଞ୍ଚତାରକା ହୋଟେଲ୍ରେ ସେ ରହିବେ । ତେବେ ମୁନୀରଙ୍କ ଏଭଳି ସଉକ, ନୂଆ ନୁହେଁ । ଏହା ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ପୂର୍ବରୁ ସେ ଆମେରିକାର ସବୁଠାରୁ ବଡ଼ ମଲ୍ରେ ସପିଂ କରୁଥିବା ଦେଖିବାକୁ ମିଳିଥିଲା ।
ଆର୍ଥିକ ସଙ୍କଟରେ ଥିବା ପାକିସ୍ତାନର ଟପ୍ ଅଧିକାରୀଙ୍କ ଏଭଳି ମଉଜମସ୍ତି ସବୁବେଳେ ଦେଖିବାକୁ ମିଳେ । ମୁନୀରଙ୍କୁ ବାଦ ଦେଲେ ଦେଶର ନେତା-ମନ୍ତ୍ରୀଙ୍କ ମଉଜ ଖବର ବି ଖୁବ ଚର୍ଚ୍ଚିତ । ଚଳିତବର୍ଷ ଜୁନ୍ରେ ସାଂସଦଙ୍କ ଦରମା ବଢ଼ାଇଥିଲେ ପାକିସ୍ତାନ ସରକାର । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି, ଏହି ସମୟରେ ଆଇଏମଏଫ ପାଖରୁ ପାକିସ୍ତାନକୁ ମିଳିଥିଲା ୧ ବିଲିୟନ୍ ଡଲାରର ଋଣ । ଏହାର ଅର୍ଥ ଋଣ ଆଣି ନେତା-ମନ୍ତ୍ରୀଙ୍କୁ ଖୁସି କରୁଛନ୍ତି ପାକିସ୍ତାନର ଶାହବାଜ ସରକାର । ଆଉ ଏବେ ମିଳିଥିବା ସୂଚନା ଅନୁସାରେ, ଶାହବାଜ ସରକାର ନ୍ୟାସନାଲ ଆସେମ୍ବଲିର ବାଚସ୍ପତିଙ୍କ ଦରମା ପ୍ରାୟ ୧୩ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ପୂର୍ବରୁ ବାଚସ୍ପତିଙ୍କୁ ମିଳୁଥିଲା ୨ ଲକ୍ଷ ଟଙ୍କା । ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ତଥ୍ୟକୁ ନେଇ ସାମା ଟିଭିରେ ଖବର ପ୍ରକାଶ ପାଇଛି ।
ଶୀର୍ଷ ଅଧିକାରୀ ଓ ନେତା ମନ୍ତ୍ରୀଙ୍କୁ ସବୁ ପ୍ରକାର ସୁବିଧା ଦେଉଥିବା ପାକିସ୍ତାନ ଋଣ ବୋଝରେ ଭାରାକ୍ରାନ୍ତ । ଆଇଏମଫ ପାଖରୁ ବାରମ୍ବାର ଭିକ ମାଗୁଥିବା ପାକିସ୍ତାନ ଦୁନିଆର ଚତୁର୍ଥ ସବୁଠୁ ବଡ଼ ଋଣ କରୁଥିବା ଦେଶ ଭାବରେ ପରିଚୟ ସୃଷ୍ଟି କରିଛି । ଏବେ ପାକିସ୍ତାନୀଙ୍କ ମୁଣ୍ଡ ଉପରେ ୧୦.୪ ବିଲିୟନ୍ ଡଲାରର ଋଣ । ସେହିଭଳି ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଦେଶର ମୁଦ୍ରାସ୍ଫିତୀ ଇତିହାସରେ ପ୍ରଥମ ଥର ପାଇଁ ୩୫.୩୭ ପ୍ରତିଶତରେ ପହଞ୍ଚିଛି । ବଜେଟର ସିଂହଭାଗ ଲୋନ ସୁଝିବାରେ ସାରୁଛି ପାକିସ୍ତାନ । ଏଭଳି ସ୍ଥିତିରେ ଶୀର୍ଷ ଅଧିକାରୀଙ୍କ ମଉଜ ମସ୍ତି କେତେଦୂର ଠିକ୍ ତାହା ଦେଶବାସୀ ସ୍ଥିର କରିବେ ।