ନୂଆଦିଲ୍ଲୀ ୧୫/୦୧: ଭାରତୀୟ ଖାଦ୍ୟ ଖାଇବାର ପସନ୍ଦକୁ ନେଇ ଭେଦଭାବର ଶିକାର ହୋଇଥିବା ଆମେରିକାର କୋଲୋରାଡୋ ବୁଲଡର୍‌ ବିଶ୍ୱବିଦ୍ୟାଳୟର ଦୁଇଜଣ ଭାରତୀୟ ପିଏଚଡି ବିଦ୍ୟାର୍ଥୀଙ୍କୁ ସମ୍ମାନର ସହ ୧.୮ କୋଟି ଟଙ୍କା କ୍ଷତିପୂରଣ ମିଳିଛି । ୨୦୨୩ ମସିହାର ଏକ ଘଟଣା ସହ ମାମଲାଟି ଜଡ଼ିତ । ୩୪ ବର୍ଷୀୟ ଆଦିତ୍ୟ ପ୍ରକାଶ ବିଶ୍ୱବିଦ୍ୟାଳୟର ଆନ୍ଥ୍ରୋପୋଲୋଜି ବିଭାଗରେ ପିଏଚଡି କରୁଥିଲେ ।

ସେ କହିଛନ୍ତି, ବିଶ୍ୱବିଦ୍ୟାଳୟରେ ଯୋଗ ଦେବାର ପ୍ରାୟ ବର୍ଷେ ପରେ, ସେପ୍ଟେମ୍ବର ୫, ୨୦୨୩ରେ ସେ ମାଇକ୍ରୋୱେଭରେ ନିଜର ମଧ୍ୟାହ୍ନ ଭୋଜନ ପାଲକ ପନୀର ଗରମ କରୁଥିଲେ । ଏହି ସମୟରେ ଜଣେ ମହିଳା କର୍ମଚାରୀ ତାଙ୍କ ପାଖକୁ ଆସି ଦୁର୍ଗନ୍ଧ ହେଉଛି ବୋଲି ଅଭିଯୋଗ କଲେ । ନିଜ ଖାଦ୍ୟକୁ ମାଇକ୍ରୋୱେଭ୍‌ରେ ଗରମ ନ କରିବାକୁ ତାଙ୍କୁ କହିଲେ । ପାଲକ ପନୀରର ଗନ୍ଧ ଅତି ତୀବ୍ର ଥିଲା ବୋଲି ମହିଳା ଜଣକ ତାଙ୍କୁ କହିଲେ । ପ୍ରକାଶ ତାଙ୍କୁ କହିଲେ, ଏହା ଏକ ସାଧାରଣ ସ୍ଥାନ ଏବଂ ମାଇକ୍ରୋୱେଭରେ ଖାଦ୍ୟ ଗରମ କରିବା ଅଧିକାର ମୋର ବି ଅଛି । ମୋ ଖାଦ୍ୟ ମୋର ଗର୍ବ । ବିଶ୍ୱବିଦ୍ୟାଳୟର ଅନ୍ୟ ଜଣେ ସଦସ୍ୟ ମଧ୍ୟ ତାଙ୍କ ସହ ଯୁକ୍ତି କରି କହିଲେ, ବ୍ରୋକଲିର ତୀବ୍ର ଗନ୍ଧ ଯୋଗୁ ତାକୁ ମଧ୍ୟ ଗରମ କରିବା ନିଷିଦ୍ଧ । ପ୍ରକାଶ ଜବାବ ଦେଲେ, ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ । କେତେ ଲୋକଙ୍କୁ ଆପଣ ଜାଣନ୍ତି ଯେଉଁମାନେ ବ୍ରୋକଲି ଖାଉଥିବାରୁ ଜାତି ଭେଦଭାବର ସମ୍ମୁଖୀନ ହୁଅନ୍ତି? ପ୍ରକାଶଙ୍କ ସାଥୀ ଉର୍ମୀ ଭଟ୍ଟାଚାର୍ଯ୍ୟ ତାଙ୍କୁ ସମର୍ଥନ କଲେ । ନିଜ କଥାରେ ଅଟଳ ରହିବା ପାଇଁ ଉଭୟଙ୍କୁ ଭେଦଭାବର ସମ୍ମୁଖୀନ ହେବାକୁ ପଡ଼ିଲା ।

​​​​​​​

ଏ ନେଇ ପ୍ରକାଶଙ୍କୁ ବାରମ୍ବାର ବରିଷ୍ଠ ପ୍ରାଧ୍ୟାପକଙ୍କ ସହ ବୈଠକ ପାଇଁ ଡକାଗଲା ଏବଂ ସେ ମହିଳା କର୍ମଚାରୀଙ୍କ ମନରେ ଅସୁରକ୍ଷା ଭାବ ଜନ୍ମାଇଥିବା ଅଭିଯୋଗ କରାଗଲା । ପ୍ରକାଶଙ୍କୁ ସମର୍ଥନ କରିବା ପାଇଁ ଉର୍ମୀଙ୍କୁ ବିନା କାରଣରେ ସହଯୋଗୀ ଅଧ୍ୟାପିକା ପଦରୁ ହଟାଗଲା । ପ୍ରକାଶ ଓ ଉର୍ମୀ ବିଶ୍ୱବିଦ୍ୟାଳୟ ବିରୋଧରେ ୟୁନାଇଟେଡ୍‌ ଡିଷ୍ଟ୍ରିକ୍ଟ କୋର୍ଟ ଫର୍‌ କଲୋରାଡୋରେ ମକଦ୍ଦମା କଲେ । ରୋଷେଇ ବିବାଦ ପରେ ସେମାନେ ପିଏଚଡି କରିବା ସମୟରେ ହାସଲ କରିଥିବା ମାଷ୍ଟର୍‌ ଡିଗ୍ରୀ ଉପରେ ବିଶ୍ୱବିଦ୍ୟାଳୟ ରୋକ ଲଗାଇଲା । ଏଭଳି ପ୍ରତିକୂଳ ପରିବେଶ ପାଇଁ ସେମାନଙ୍କ ଶୈକ୍ଷିକ ପ୍ରଗତି ବାଧାପ୍ରାପ୍ତ ହୋଇଥିବା ଦୁହେଁ ଅଭିଯୋଗ କଲେ । ଗତ ସେପ୍ଟେମ୍ବରରେ କଲୋରାଡୋ ବୁଲଡର୍‌ ବିଶ୍ୱବିଦ୍ୟାଳୟ ପ୍ରକାଶ ଓ ଉର୍ମୀଙ୍କୁ ୧.୮ କୋଟି ଟଙ୍କା କ୍ଷତିପୂରଣ ଦେଇ ମାମଲାର ସମାଧାନ କଲା ଏବଂ ସେମାନଙ୍କୁ ମାଷ୍ଟର୍‌ ଡିଗ୍ରୀ ମଧ୍ୟ ପ୍ରଦାନ କଲା । ତେବେ ଭବିଷ୍ୟତରେ ବିଶ୍ୱବିଦ୍ୟାଳୟରେ ନାମଲେଖା କିମ୍ବା ଚାକିରିରୁ ଉଭୟଙ୍କୁ ବଞ୍ଚିତ କରାଯାଇଛି ।