ଭୁବନେଶ୍ୱର,୨୧/୧୦: ଜାତୀୟ ରାଜପଥ ନଂ ୧୬ର ବ୍ଲାକ୍‌ ସ୍ପଟ୍‌ ପାଲଟିଥିବା ପଳାଶୁଣିରେ ଶୁକ୍ରବାର ସନ୍ଧ୍ୟାରେ ସିରିଜ ଦୁର୍ଘଟଣା ଘଟିଛି । ଏକ ହାଇୱା କାର୍‌କୁ ପିଟିବା ସହ ବିଏମ୍‌ସି ଅଳିଆ ବୁହା ଗାଡିକୁ ମଧ୍ୟ ଧକ୍କା ଦେଇଛି । ଦୁର୍ଘଟଣାରେ  ବିଏମ୍‌ସି ଗାଡି ଓଲଟି ପଡିଥିବା ବେଳେ ୨ଜଣ  ଆହତ ହୋଇଛନ୍ତି । 

ମଞ୍ଚେଶ୍ୱର ଥାନା ପୁଲିସ  ସୂଚନା ମୁତାବକ, ସନ୍ଧ୍ୟା ସାଢ଼େ ୭ଟା ବେଳେ ରସୁଲଗଡ଼ ପଳାଶୁଣି ରାସ୍ତାରେ ପ୍ରବଳ ଟ୍ରାଫିକ୍‌  ଜାମ ଲାଗି ରହିଥିଲା । କଟକ ଆଡ଼େ ଦ୍ରୁତଗତିରେ  ଯାଉଥିବା ଏକ ହାଇୱା ପଳାଶୁଣି ଛକରେ ପ୍ରଥମେ  କାର୍‌କୁ ପଛପଟୁ ପିଟିଥିଲା । କାରଟି ଆଗରେ  ଯାଉଥିବା ଏକ ଅଳିଆ ବୋଝେଇ ଗାଡି଼କୁ ଧକ୍କା  ଦେଲା । ଦୁର୍ଘଟଣାରେ ଅଳିଆ ବୋଝେଇ ଗାଡି଼ଟି  ରାସ୍ତା ଉପରେ ହିଁ ଓଲଟି ପଡି଼ଥିଲା । ପଛକୁ  ପଛ କାର୍‌ ଓ ହାଇୱା ମଧ୍ୟ ରାସ୍ତା ମଝିରେ  ଅଟକି ରହିଥିଲା । ତେବେ ସ୍ଥାନୀୟ ଲୋକ  ଦୁର୍ଘଟଣାସ୍ଥଳରେ ପହଞ୍ଚିବା ଦେଖି ହାଇୱା ଚାଳକ  ସେଠାରୁ ଧାଇଁ ପଳାଇଥିଲା । ୩ଟି ଗାଡି଼ ରାସ୍ତା  ମଝିରେ ଅଟକି ରହିବାରୁ ଏନ୍‌ଏଚ୍‌-୧୬ରେ ପ୍ରବଳ  ଟ୍ରାଫିକ୍‌ ଜାମ ଉପୁଜିଥିଲା । ପୁଲିସ ଘଟଣାସ୍ଥଳରେ  ପହଞ୍ଚି ଟ୍ରାଫିକ୍‌ ପରିଚାଳନା କରିଥିଲା ।