ଭୁବନେଶ୍ୱର,୨୫/୦୧: ନୂଆପଡ଼ା ଉପନିର୍ବାଚନରେ ବିଜେପିର ଅଭୂତପୂର୍ବ ବିଜୟ । ମୋହନ ସରକାରଙ୍କ ଲୋକପ୍ରିୟତା, ତା’ ସାଙ୍ଗକୁ ସୁଭଦ୍ରା ଭଳି ମେଗା ଯୋଜନା । ଅନ୍ୟପଟେ ବିଜେଡି ଘର ଟଳମଳ । ବନାଗ୍ନି ଭଳି ଅସନ୍ତୋଷର ନିଆଁ ହୁ ହୁ ହୋଇ ମାଡ଼ି ଚାଲିଛି । ଆଉ କଂଗ୍ରେସ ଏବେ ବି ମୁଣ୍ଡ ଟେକି ଛିଡ଼ା ହେବାକୁ ବାଟ ଖୋଜୁଛି ।

ଏଭଳି ସମୟରେ ଆଗୁଆ ପଞ୍ଚାୟତ ନିର୍ବାଚନ । ବିରୋଧୀ ଦଳ ସଂଗଠିତ ହେବା ଆଗରୁ ଭୋଟ । ଜଳଜଳ ହୋଇ ଦିଶୁଛି, ଆଗୁଆ ପଞ୍ଚାୟତ ନିର୍ବାଚନ ହେଲେ କାହାକୁ ମିଳିବ ଫାଇଦା । ୨୦୨୨ର ପଞ୍ଚାୟତ ଫଳାଫଳ ଏକତରଫା ଥିଲା ୮୫୨ରୁ ୭୬୬ ଜିଲ୍ଲା ପରିଷଦ ଜୋନ୍ ଥିଲା ବିଜେଡି କବ୍‌ଜାରେ । ବିଜେପି ୪୨, କଂଗ୍ରେସ ୩୭ଟି ଜୋନ୍ ଜିତିଥିଲା । ୩୧୪ରୁ ୨୭୮ ବ୍ଲକ ଦଖଲ କରିଥିଲା ଶଙ୍ଖ ଦଳ । ୨୧ଟିରେ ବିଜେପି ଏବଂ ୧୩ଟି ବ୍ଲକରେ କଂଗ୍ରେସ ସମର୍ଥିତ ଏବଂ ୩ଟି ବ୍ଲକରେ ସିପିଆଇଏମ୍ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ । ସମସ୍ତ ୩୦ ଜିଲ୍ଲାରେ ଜିଲ୍ଲା ପରିଷଦ ସଭାପତି ବିଜେଡିର ଥିଲେ । ୟା’ ଭିତରେ ମହାନଦୀରେ ଅନେକ ପାଣି ବହିଯାଇଛି । ରାଜନୈତିକ ଦୃଶ୍ୟପଟ୍ଟ, ସଂଗଠନ ସ୍ଥିତି ପୂରା ଓଲଟିଯାଇଛି । ବିଜେଡି ଆଜି କ୍ଷମତା ବାହାରେ । ରାଜ୍ୟରେ ବିଜେପି ସରକାର ।

ନୂଆପଡ଼ା ବିଧାନସଭା ଆସନ ଉପନିର୍ବାଚନରେ ବିରାଟ ବିଜୟରେ ବିଜେପିର ଶକ୍ତି ଢେର ବଢ଼ିଯାଇଛି । ରାଜ୍ୟରେ କ୍ଷମତାକୁ ଆସିବା ପରଠାରୁ ବିଜେଡି ହାତରୁ ଗୋଟିଏ ପରେ ଗୋଟିଏ କରି ପ୍ରାୟ ୧୮ଟି ବ୍ଲକ ବିଜେପି କବଜାକୁ ଗଲାଣି । ରାଜନୈତିକ ବିଶ୍ଲେଷକଙ୍କ କହିବାନୁସାରେ ପଞ୍ଚାୟତ ନିର୍ବାଚନ ଯେତେ ଆଗୁଆ ହେବ, ବିଜେପିକୁ ସେତେ ଫାଇଦା ମିଳିପାରେ । କାରଣ ମୋହନ ସରକାରଙ୍କ ପ୍ରତି ଜନତାଙ୍କ ଆସ୍ଥା ବଢ଼ିବାରେ ଲାଗିଛି । ସୁଭଦ୍ରା ଯୋଜନାରେ ମହିଳା ପୂରା ଖୁସ୍ । ଧାନ କୁଇଣ୍ଟାଲ ମୂଲ୍ୟ ୩୧୦୦ ଟଙ୍କା ହେବା ପରେ ଚାଷୀକୁଳର ବଳ ବଢ଼ିଛି । ଅନ୍ୟପଟେ ବିଜେଡି ଦଳରେ କନ୍ଦଳ, ଅସନ୍ତୋଷ ନିୟନ୍ତ୍ରଣ ବାହାରକୁ ଗଲାଣି । ପୁରୁଣା କନ୍ଦଳ ରୋଗ ପାଇଁ କଂଗ୍ରେସ ପାଦେ ଆଗେଇଲେ, ଦି’ ପାଦେ ପଛକୁ ଫେରୁଛି । ଏକାକି ଭକ୍ତ ଦାସ କେତେ ବଳ ଭରିବେ ରାଜ୍ୟ କଂଗ୍ରେସରେ ।

ସେହିପରି କିଏ ଧରିବ ସମ୍ଭାବ୍ୟ ନୂଆ ଆଞ୍ଚଳିକ ଦଳର ମଙ୍ଗ? ମହମ୍ମଦ ମୋକିମ, ବିଜୟ ମହାପାତ୍ର ନା କିଏ ଆଉ କିଏ? ଆଞ୍ଚଳିକ ଦଳ ଯଦି ବି ମାର୍ଚ୍ଚରେ ଜନ୍ମ ନିଏ, ଗାଁ ଗାଁରେ ପହଞ୍ଚିଲାବେଳକୁ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜି ଯାଇଥିବ । ରାଜନୈତିକ ପାଣିପାଗକୁ ତନ୍ନତନ୍ନ କରି ଅନୁଧ୍ୟାନ କରୁଥିବା ସମୀକ୍ଷକ କହୁଛନ୍ତି, ବିରୋଧୀ ଦଳଙ୍କ ଦୁର୍ବଳତାରୁ ବଡ଼ ଫାଇଦା ବିଜେପି ପାଉଛି । ପ୍ରତିଦିନ ବିଜେପିର ମିଶ୍ରଣ ପର୍ବ ଚାଲିଛି । ଅନ୍ୟପଟେ ବିଜେଡି ଓ କଂଗ୍ରେସରେ ନେତାଙ୍କ ଫେଡାଣ ଚାଲିଛି । ବିଧାୟକ, ବ୍ଲକ ଅଧ୍ୟକ୍ଷ, ଏନଏସି ଉପାଧ୍ୟକ୍ଷ ବିଜେଡିରୁ ନିଲମ୍ବିତ ହେଉଛନ୍ତି । ପାଟକୁରାରେ ବିଧାୟକ ଅରବିନ୍ଦ ମହାପାତ୍ର, ଚମ୍ପୁଆରେ ସନାତନ ମହାକୁଡ଼ଙ୍କୁ ହଟାଇବା ବିଜେଡି ପାଇଁ ଆତ୍ମଘାତୀ ହେଲାଣି । ସେହିପରି ମହମ୍ମଦ ମୋକିମଙ୍କୁ ଦଳରୁ ବିଦା କରିବା ପରେ କଂଗ୍ରେସରେ ବି ଦଳ ଛାଡ଼ିବା ରାଜନୀତି ବଢ଼ିଛି । ବିଧାୟକ ଦଳ ଭିତରେ ତାଳମେଳ ନାହିଁ । ତୃଣମୂଳ ସ୍ତରରେ ବିଜେପିର ବଳ ବଢ଼ୁଛି । ଖୋଲାଖୋଲି ହେଉ କି ଲୁଚାଛପାରେ, ତୃଣମୂଳ ସ୍ତରରେ ଅଧିକାଂଶ ସରପଞ୍ଚ, ସମିତିସଭ୍ୟ, ୱାର୍ଡ ସଭ୍ୟ, ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ, ଜିଲ୍ଲା ପରିଷଦ ସଭାପତି ଶାସକ ଦଳ ସହ ଯୋଡ଼ି ହେଉଛନ୍ତି । ତୃଣମୂଳ ସ୍ତର କର୍ମୀ ବି କିଛି ପାଇବା ଆଶାରେ ସରକାରୀ ଦଳ ଓ ଶାସକ ଦଳ ବିଧାୟକଙ୍କ ସହ ଯୋଡ଼ି ହେଉଛନ୍ତି । ବିଜେଡି ନେତାଙ୍କ ଭିତରେ ବୟାନବାଜି, ମେଳି ରାଜନୀତି ବଢ଼ି ଚାଲିଥିବାବେଳେ ଦଳର ଭବିଷ୍ୟତ ଚିନ୍ତା ବଢ଼ିଲାଣି । ତୃଣମୂଳ ସ୍ତରର ଅନେକ ନେତା, କର୍ମୀ ବିଜେଡିରୁ ମୁହଁ ଫେରାଇ ଶାସକ ଦଳ ମୁହାଁ ହେଲେଣି ।

ବିଜେଡିରେ ମିଶିଥିବା କଂଗ୍ରେସ ନେତାଏ ପୁଣି ଘର ବାହୁଡ଼ା ଚିନ୍ତା କଲେଣି । ସବୁଠାରୁ ବଡ଼ କଥା ହେଲା-ହାତରେ ସମୟ କମ । ଜାନୁଆରୀ ସରିବାକୁ ବସିଲାଣି । ଫେବ୍ରୁଆରୀ ପରେ ପ୍ରଚଣ୍ଡ ଖରା, ତା’ପରେ ବର୍ଷା । ପାର୍ବଣ ଋତୁ ଆରମ୍ଭ ବେଳକୁ ଗାଁ ଦାଣ୍ଡରେ ପଞ୍ଚାୟତ ଲଢ଼େଇ ଜମିବଣି । ଏବେଠାରୁ ମଇଦାନ ଖେଦିବାକୁ ପଡ଼ିବ । ହେଲେ ପରାଜୟର ଗ୍ଳାନି, ଅସନ୍ତୋଷର ଝଡ଼ ଭିତରୁ ବାହାରି ଦୌଡ଼ିବାକୁ ବିରୋଧୀ ଦଳକୁ କଠିନ ପରିଶ୍ରମ କରିବାକୁ ହେବ । ୨୦୨୨ ସ୍ଥିତି ଓ ୨୦୨୬ ଭିତରେ ଆକାଶ ପାତାଳ ଫରକ । ସେତେବେଳେ ନବୀନଙ୍କୁ ମଇଦାନକୁ ଓହ୍ଲାଇବାକୁ ପଡ଼ୁନଥିଲା । ଭିଡ଼ିଓ ବାର୍ତ୍ତା ଦେଖିଲେ ଭୋଟ ବର୍ଷା ହେଉଥିଲା । ବିଧାୟକମାନେ ନିଜ ଏରିଆ ସମ୍ଭାଳି ଦେଉଥିଲେ । ଏବେ ରାଜ୍ୟରେ ବିଜେପି ସରକାର । କଂଗ୍ରେସ ପୂର୍ବାପେକ୍ଷା ଅଧିକ ସକ୍ରିୟ ହେଲେ ବି କନ୍ଦଳ ପିଛା ଛାଡୁନି । ସବୁ ପରେ ବି ବିଜେପିର ମୋହନ-ମନମୋହନ ଯୋଡ଼ିକୁ ମାତ୍ ଦେବା ବିରୋଧୀ ଦଳ ପାଇଁ କାଠିକର ପାଠ ହେଲାଣି ।

ଆହୁରି ପଢ଼ନ୍ତୁ:- ରାଜ୍ୟରେ ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ, ଆବଶ୍ୟକ ପ୍ରସ୍ତୁତି ପାଇଁ ଦିଆଯାଇଛି ନିର୍ଦ୍ଦେଶ