ଚୌଦ୍ୱାର-ଗୁରୁଡ଼ିଝାଟିଆ, ୦୧/୧୧ : ଶ୍ରୀ ଶ୍ରୀ ଧବଳେଶ୍ୱରଙ୍କ ପୀଠରେ ପଞ୍ଚୁକ ବ୍ରତ ଆରମ୍ଭ। ପଞ୍ଚୁକର ପ୍ରଥମ ଦିବସରେ ବାବା ଆଶୁତୋଷ ବେଶରେ ଦର୍ଶନ ଦେଉଛନ୍ତି। ଏଥିପାଇଁ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁମାନେ ଶାନ୍ତି ଶୃଙ୍ଖଳାରେ ବାବାଙ୍କ ଦର୍ଶନ କରୁଛନ୍ତି। ରାତ୍ର ୩ଟାରୁ ଦ୍ଵାର ଫିଟା ଯାଇ ୧୦୮ ଗରା ସୁବାସିତ ଜଳରେ ବାବାଙ୍କୁ ମହାସ୍ନାନ କରାଯାଇ ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି କରାଯାଇ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ଛଡ଼ା ଯାଇଛି।

ଆଜିଠୁ ପଞ୍ଚୁକ ବ୍ରତ ଆରମ୍ଭ ହୋଇଛି। ୩ ତାରିଖରେ ବଡ଼ଓଷା ଓ ୪ରେ ଗଜ ଭୋଗ ବିତରଣ ହେବା ସହ ବଡ଼ସିଂହାର ବେଶ ଦର୍ଶନ କରିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏହାକୁ ଆଖି ଆଗରେ ରଖି ଚଳିତ ବର୍ଷ ପୀଠ, ପୀଠର ଚତୁପାର୍ଶ୍ୱରେ ୩୨ଟି ସିସି କ୍ୟାମେରା ଲାଗିଛି । ଚୌଦ୍ୱାର ନୂଆପାଟଣା ପଟୁ ଧବଳେଶ୍ୱରକୁ ଆସୁଥିବା ୪ ଚକିଆ ଗାଡ଼ି ଗୁଡିକ ୫୫ ନଂ. ଜାତୀୟ ରାଜପଥ ଦେଇ ବାଳି ଠାରୁ ସୁନିଆମୁହଁ ରାସ୍ତାରେ ଯାଇ ବିଦ୍ୟାଧରପୁର ଓ ମଞ୍ଚେଶ୍ୱର ସ୍କୁଲ ପାର୍ଶ୍ୱ ପାର୍କିଂରେ ରଖିବା ସହ ସେହି ରାସ୍ତାରେ ଫେରିବେ। ଆଠଗଡ଼ ପାର୍ଶ୍ୱରୁ ଆସୁଥିବା ଗାଡ଼ି ସେହି ପାର୍କିଂରେ ରଖିବେ । ସେହିପରି ଦୁଇ ଚକିଆ ଗାଡ଼ି ଗୁଡ଼ିକ ନୂଆପାଟଣା ପାର୍ଶ୍ୱରୁ ଧବଳେଶ୍ୱର ଆସିବାକୁ ଚାହୁଁଥିଲେ ସେମାନେ ପାଇକରାପୁର ଠାରେ କରାଯାଇଥିବା ପାର୍କିଂ ସ୍ଥାନରେ ରଖିବେ। ହେଲେ ପାଇକରାପୁର ଓ ବିଦ୍ୟାଧର ପାର୍ଶ୍ୱ ପାର୍କିଂ ସ୍ଥାନରୁ କୌଣସି ଗାଡ଼ି ଧବଳେଶ୍ୱର ଛକ ଦେଇ ଯାଇପାରିବେ ନାହିଁ । 

ପୀଠରେ ସାଦା ପୋଷାକଧାରୀ ପୁଲିସ ମୁତୟନ ହୋଇଛନ୍ତି। ପୁଲିସ ପକ୍ଷରୁ ପୀଠ ମଧ୍ୟରେ ୬ଟି ଏଡ୍‌ପୋଷ୍ଟ କରାଯାଇଥିବା ବେଳେ ପୀଠକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାରେ ୮ଟି ଏଡ୍‌ ପୋଷ୍ଟ କରାଯାଇଛି ।  ବିଶେଷକରି ଟ୍ରାଫିକ୍‌ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ୧୦ ଜଣ ମାଜିଷ୍ଟ୍ରେଟ୍‌, ୨ ଜଣ ଅତିରିକ୍ତ ଏସ୍‌ପି,  ୮ଜଣ ଡିଏସ୍‌ପି, ୨୦ ଜଣ ଇନ୍‌ସ୍‌ପେକ୍ଟର, ଏସ୍‌ଆଇ  ଓ ଏଏସ୍‌ଆଇ ୧୦୮, କନେଷ୍ଟବଳ ୯୦, ମହିଳା  କନେଷ୍ଟବଳ ୫୪,ହୋମଗାର୍ଡ ୨ଶହ ଓ ଟ୍ରାଫିକ ପୁଲିସ  ସହ ୧୫ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି । ସେହିପରି  ଦୁଇଟି ଅଗ୍ନିଶମ ଓ ଓଡ୍ରାଫ ଟିମ୍‌ ପୀଠ ଓ ମଞ୍ଚେଶ୍ୱର  ପାର୍ଶ୍ବରେ ରହିବେ।