ପୁରୀ ୪/୧୨ : ଆଜି ମାର୍ଗଶୀର ପୂର୍ଣ୍ଣିମା ବା ପଣ୍ଡୁ ପୂର୍ଣ୍ଣିମା । ଏହି ଅବସରରେ ପଣ୍ଡୁ ନୃସିଂହଙ୍କର ଚାରି ଆଶ୍ରମ ବିଜେ ଉତ୍ସବ ହୋଇଥାଏ। ଏନେଇ ଆଜି ସକାଳ ଧୂପ ଶେଷ ହେବା ପରେ ପାଳିଆ ପୁଷ୍ପାଳକମାନେ ରତ୍ନ ସିଂହାସନ ଉପରେ ରହି ମଇଲମ ଓ ବେଶ ସମ୍ପାଦନ କରିଥାନ୍ତି । ଏହି ସମୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଖଣ୍ଡେ ମାଳ ଲାଗିଥାଏ। ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଦକ୍ଷିଣୀ ଘର ଭୋଗ ସରିଲା ପରେ ମହାଜନ ସେବକମାନେ ଦକ୍ଷିଣ ଘରୁ ପଣ୍ଡୁ ନୃସିଂହ ଭିତର ସିଂହାସନକୁ ବିଜେ କରିଥାନ୍ତି।
ସେଠାରେ ପୂଜାପଣ୍ଡା ନୃସିଂହଙ୍କୁ ଆଜ୍ଞାମାଳ ପ୍ରଦାନ ପରେ ଝୁଲଣ ମଣ୍ଡପ ତଳେ ଥିବା ବିମାନକୁ ସିଂହଦ୍ୱାର ଦେଇ ଶ୍ରୀକ୍ଷେତ୍ରରେ ଥିବା ୪ ଆଶ୍ରମ ଯଥା ଅଙ୍ଗିରା , କଣ୍ଡୁ , ଭୃଗୁ , ମାର୍କଣ୍ଡ ଆଶ୍ରମକୁ ବିଜେ କରିଥାନ୍ତି । ସେଠାରେ ଶୀତଳ ଭୋଗ , ବନ୍ଦାପନା ଆଦି ଅନୁଷ୍ଠିତ ହେବା ପରେ ପଣ୍ଡୁ ନୃସିଂହ ଦେଉଳ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଅତୀତରେ ମହାଦୁର୍ବିପାକ ମହାମାରୀର ବିନାଶ ପାଇଁ ସୂର୍ଯ୍ୟ ବଂଶର ରାଜା ଗଜପତି ଶ୍ରୀ ପୁରୁଷୋତ୍ତମ ଦେବନଗରରେ ପରିଭ୍ରମଣ କରାଇ ଶାନ୍ତି ଫେରାଇ ଆଣିବା ପାଇଁ ଶ୍ରୀମନ୍ଦିର ମଧ୍ୟରେ ସ୍ଥିତ ବେହେରଣ ମଣ୍ଡପରେ ସ୍ଥାପନ କରିଥିଲେ। ଶ୍ରାବଣ ଶୁକ୍ଳ ନବମୀ ଓ ପଣ୍ଡୁ ପୂର୍ଣ୍ଣିମା ପୂର୍ବ ଦିନ ବାଡ଼ି ନୃସିଂହ ୪ ଆଶ୍ରମ ବିଜେ କରିଥାନ୍ତି ।
ଓଁ ଡଂ ଡଂ ଡଂ ଦାରୁ ଦଣ୍ଡମ୍ ରଟବି
ରଟରଟ ବ୍ରହ୍ମଦଣ୍ଡଂ ପ୍ରଦଣ୍ଡଂ।
ଡିମ୍ପି ଡିମ୍ପି ଡିଡିମ୍ପି ଡହସିକ ଡହସା
ଝଙ୍କ ଝଙ୍କାର ଘୋରଂ।।
ତୁଲ୍ୟଂ ତୁଲ୍ୟଂ ତତୁଲ୍ୟଂ ଦଶ ନଖ
ନଖକଂ ଶଙ୍କ ଶଙ୍କାକ୍ଷ କାକ୍ଷଂ।
ଶଙ୍କାକ୍ଷଂ ବାଦ୍ୟନାଦଂ ରହ ରହ
ରୁରୁହ ପାତୁମାଂ ନାରସିଂହଂ।।
‘କଣ୍ଡୁ ଆଶ୍ରମ’ ଏହି ଚାରି ଆଶ୍ରମ ମଧ୍ୟରୁ ଗୋଟିଏ। ‘ବାଲ୍ମୀକି ରାମାୟଣ’,‘ବ୍ରହ୍ମପୁରାଣ’ ଓ ‘ବିଷ୍ଣୁ ପୁରାଣ’ଆଦିରେ କଣ୍ଡୁ ମୁନିଙ୍କର ଉପାଖ୍ୟାନ ଅଛି। ଗୋମତୀ ନଦୀ ତଟରେ ସେ ଆଶ୍ରମଟିଏ କରି ସେଠାରେ କଠୋର ତପସ୍ୟା କରୁଥିଲେ। ଗ୍ରୀଷ୍ମ କାଳରେ ପଞ୍ଚାଗ୍ନି ମଧ୍ୟରେ ରହି ଏବଂ ଶୀତକାଳରେ ଶୀତଳ ଜଳରେ ବୁଡ଼ି ତପ କରିବା ତାହାର ଅନ୍ତର୍ଭୁକ୍ତ ଥିଲା। ତାଙ୍କର ସେହି ତପସ୍ୟାରେ ଭୟଭୀତ ହୋଇ ଦେବରାଜ ଇନ୍ଦ୍ର ପ୍ରମ୍ଲୋଚା ନାମ୍ନୀ ଜଣେ ଅପ୍ସରୀଙ୍କୁ ତାଙ୍କର ତପଭଙ୍ଗ ପାଇଁ ପଠାଇଲେ। ପ୍ରମ୍ଲୋଚା ବହୁ ଉଦ୍ୟମ କରି ମୁନିଙ୍କର ତପ ଭଙ୍ଗ କଲା। କଣ୍ଡୁ ତପ ବଳରେ ନିଜର ବୟସକୁ ୧୬ ବର୍ଷକୁ କମାଇ ଦେଇ ତା’ ସହିତ ପ୍ରେମରସରେ ବୁଡ଼ି ରହିଲେ।ସେହିପରି ଭାବରେ ଅନେକ ବର୍ଷ ବିତିଗଲା।
ଦିନେ ସଂଧ୍ୟା ସମୟରେ କଣ୍ଡୁଙ୍କର ସଂଧ୍ୟା ଗାୟତ୍ରୀ କରିବା କଥା ମନେ ପଡ଼ିଗଲା। କାଳେ ସୂର୍ଯ୍ୟ ଅସ୍ତ ହୋଇଯିବେ, ସେଥିପାଇଁ ସେ ତରବରରେ ଆଶ୍ରମରୁ ବାହାରିଲେ। ପ୍ରମ୍ଲୋଚା ତାହା ଦେଖି ତାଙ୍କୁ ତାତ୍ସଲ୍ୟ କରି କହିଲେ- ଏତେଗୁଡ଼ାଏ ବର୍ଷ ତ ବିତିଗଲାଣି; ଆଜି ଏଇ ଗୋଟିଏ ସଂଧ୍ୟା ବିତିଗଲେ କ’ଣ ବା ଅଶୁଦ୍ଧ ହୋଇଯିବ?ତାହା କଣ୍ଡୁଙ୍କୁ ନିଜର କୃତକର୍ମ ସଂପର୍କରେ ସଚେତନ କଲା। ସେ ନିଜର ଭୁଲ୍ ବୁଝିପାରିଲେ ଏବଂ ପ୍ରମ୍ଲୋଚାଙ୍କୁ କ୍ରୋଧରେ ଚାହିଁଲେ। ସେଥିରେ ପ୍ରମ୍ଲୋଚା ଡରିଯାଇ ଆଶ୍ରମ ଛାଡ଼ି ସ୍ୱର୍ଗରାଜ୍ୟକୁ ଚାଲିଗଲେ।ତାହାପରେ କଣ୍ଡୁ ମୁନି ନିଜର ପାପ ପ୍ରକ୍ଷାଳନ ପାଇଁ ପୁରୁଷୋତ୍ତମ କ୍ଷେତ୍ର ପୁରୀକୁ ଚାଲିଆସିଲେ। ଏଠାରେ ଆଶ୍ରମ ସ୍ଥାପନ କରି ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ, ପୁନଶ୍ଚ କଠୋର ତପସ୍ୟା କରି ମୋକ୍ଷ ଲାଭ କଲେ।କଣ୍ଡୁ ମୁନି ଥିଲେ ଶ୍ରୀନୃସିଂହଙ୍କର ଉପାସକ। ତେଣୁ ତାଙ୍କ ଆଶ୍ରମରେ ଉପାସିତ ନୃସିଂହ ‘କଣ୍ଡୁ ନୃସିଂହ’ ନାମରେ ପରିଚିତ। କିନ୍ତୁ ଲୋକମୁଖରେ ସେ ‘ପଣ୍ଡୁ ନୃସିଂହ’ ହୋଇ ଯାଇଛନ୍ତି। ଶ୍ରୀମନ୍ଦିରରେ ପଣ୍ଡୁପୂର୍ଣ୍ଣିମା ଦିନରେ ତାଙ୍କର ପୂଜା ହୋଇଥାଏ।କିନ୍ତୁ କଣ୍ଡୁ ମୁନିଙ୍କର ଏ କାହାଣୀ ଆମକୁ ସୂଚାଏ- ଜଣେ କୌଣସି କାରଣରୁ ତପଭ୍ରଷ୍ଟ ହେଲେ ମଧ୍ୟ, ଚେଷ୍ଟା କଲେ ପୁଣି ନିଜର ପୂର୍ବସ୍ଥିତି ପାଇପାରେ।