ନୂଆଦିଲ୍ଲୀ ୨୮/୧୧: ଯେତେବେଳେ କୌଣସି ସଂସ୍ଥାର କର୍ମଚାରୀଙ୍କୁ ‘ବସ୍ ଆଜି ଆସିନାହାନ୍ତି’ ବୋଲି କୁହାଯାଏ, ସ୍ୱାଭାବିକ ଭାବେ ଏହା ଆଶ୍ୱସ୍ତି ଦେଇଥାଏ । କିନ୍ତୁ ଚୀନରେ ଏହାର ସ୍ଥିତି ସମ୍ପୂର୍ଣ୍ଣ ଓଲଟା । ଏଠାକାର କମ୍ପାନିଗୁଡ଼ିକରେ ‘ଆଜି ବସ୍ ଆସିନାହାନ୍ତି’ ଶୁଣିବା କ୍ଷଣି କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଉଛି । କାରଣ ଚୀନରେ ଘରୋଇ କମ୍ପାନିର ମାଲିକ, ନିବେଶକ ଏବଂ ସରକାରୀ ଅଧିକାରୀ ବିନା ସୂଚନାରେ କେଉଁଆଡ଼େ ଅଚାନକ ଉଭାନ ହୋଇଯାଉଛନ୍ତି । ପରେ ସେମାନଙ୍କୁ ‘ଲିଉଝି’ ହେପାଜତରେ ରଖାଯିବା ନେଇ ଖବର ଆସୁଛି ।

ଚୀନର ଜିନପିଙ୍ଗ୍ ସରକାର ଦୁର୍ନୀତିଖୋର ଅଧିକାରୀ ଏବଂ ବ୍ୟବସାୟୀଙ୍କୁ ସାବାଡ୍ କରିବା ଲାଗି ଏହି କଠୋର ନୀତି ଆପଣାଇଛନ୍ତି । ଏମାନଙ୍କ ପାଇଁ ‘ଲିଉଝି’ (ହାଜତରେ ଅଟକ ରଖାଯିବା) ପ୍ରଣାଳୀ କାର୍ଯ୍ୟକାରୀ ହୋଇଛି । ରାଷ୍ଟ୍ରପତି ସି ଜିନପିଙ୍ଗ୍ ୨୦୧୮ରେ ଏହାକୁ ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷଣ ଆଇନ ଅଧୀନରେ ଆରମ୍ଭ କରିଥିଲେ । ଦୁର୍ନୀତି, କର୍ତ୍ତବ୍ୟରେ ଅବହେଳା ଏବଂ ସରକାରୀ କ୍ଷମତାର ଦୁରୁପଯୋଗ ଭଳି ଅଭିଯୋଗରେ ‘ଲିଉଝି’ ଶାସ୍ତି ମିଳୁଛି । ୭ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା ଏବେ ଆତଙ୍କ ଖେଳାଇଛି ।

ଲିଉଝି ବ୍ୟବସ୍ଥାରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଦୁର୍ନୀତିରେ ଲିପ୍ତ କିମ୍ବା କର୍ତ୍ତବ୍ୟରେ ଅବହେଳା ଦେଖିଲେ ସମ୍ପୃକ୍ତ ଅଧିକାରୀ ଅଥବା ବ୍ୟବସାୟୀଙ୍କୁ ଉଠାଇ ନିଆଯାଉଛି । ଏହି ପ୍ରକ୍ରିୟା ଅତ୍ୟନ୍ତ ଗୋପନ ଭାବେ କରାଯାଉଛି, ଯାହାଦ୍ୱାରା କାହାରିକୁ ଟେର୍ ମିଳୁନାହିଁ । ଲିଉଝି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭିନ୍ନ । ଏହା କୌଣସି ଆଇନ ପରିସରରେ ଆସୁନାହିଁ । କାହାକୁ ଗିରଫ କିମ୍ବା ଜେଲରେ ଅଟକ ରଖିବା ଲାଗି ଅନୁମତି ଦରକାର ପଡ଼େନାହିଁ । ସମ୍ପୂର୍ଣ୍ଣ ମନମୁଖି ଭାବେ ଏହା କାର୍ଯ୍ୟକାରୀ ହେଉଛି । ଏହି କାର୍ଯ୍ୟ ‘ନ୍ୟାସନାଲ ସୁପରଭିଜନ୍ କମିଶନ’ ଦ୍ୱାରା କରାଯାଉଛି । କମିଶନକୁ ପୂର୍ଣ୍ଣ କ୍ଷମତା ଦିଆଯାଇଛି । ଏହାର ଅଧିକାରୀମାନେ ଯେ କୌଣସି ଦୁର୍ନୀତିଖୋର ଅଧିକାରୀ, ସରକାରୀ କର୍ମଚାରୀ, ହସ୍ପିଟାଲ ଓ ସ୍କୁଲ ଭଳି ଅନୁଷ୍ଠାନର ମ୍ୟାନେଜରଙ୍କୁ ଛାଡ଼ୁନାହାନ୍ତି । ଏମିତି କି ଘରୋଇ କ୍ଷେତ୍ରର ଅଧିକାରୀ ଓ ବ୍ୟବସାୟୀଙ୍କୁ ବି ତ୍ରାହି ମିଳୁନାହିଁ । ଏହି ମାମଲାରେ ସମ୍ପୃକ୍ତି ପାଇଁ ବିଦେଶୀ କର୍ମଚାରୀ ବି ଛାଡ଼ ପାଉନାହାନ୍ତି । ଏଥିରେ ଚୀନର ନ୍ୟାୟପାଳିକାର କୌଣସି ହସ୍ତକ୍ଷେପ ନାହିଁ ।

ବଡ଼ କଥା ହେଉଛି କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ହୋଇଥିଲେ ବି ଲିଉଝି ବ୍ୟବସ୍ଥାରୁ ତ୍ରାହି ମିଳେନାହିଁ । ଲିଉଝି ଅଧୀନକୁ ଆସିବା କ୍ଷଣି ଓକିଲଙ୍କ ସେବାରୁ ବଞ୍ଚିତ କରାଯାଏ । ସେମାନଙ୍କୁ ଝରକା ନ ଥିବା ଘରେ ରଖାଯାଏ । ୨୪ ଘଣ୍ଟା ଆଲୋକ ବ୍ୟବସ୍ଥାରେ ରଖାଯାଏ । ପାଇଖାନା ବ୍ୟବହାର କଲେ ବି ନଜର ରଖାଯାଏ । ଚଳିତବର୍ଷ ଜୁନରେ କିଛି ପରିବର୍ତ୍ତନ ଅଣାଯାଇଛି । ଏହା ଅନୁସାରେ ସିସିଡିଆଇ ଏଜେଣ୍ଟମାନେ ଲୋକଙ୍କୁ ୮ ମାସ ପର୍ଯ୍ୟନ୍ତ ଅଟକ ରଖିପାରିବେ । ନୂଆ ଅଭିଯୋଗ ଆସିଲେ ପୁଣି ୮ ମାସ ରହିବାକୁ ହେବ ।

ସୂଚନା ଅନୁସାରେ, ୨୦୨୪ରେ ଲିଉଝି ଅଧୀନରେ ୩୮ ହଜାର ମାମଲା ସାମ୍ନାକୁ ଆସିଛି । ୨୦୨୩ ତୁଳନାରେ ଏହା ୫୦% ଅଧିକ । ଅର୍ଥାତ୍ ପ୍ରତିବର୍ଷ ଅଧିକରୁ ଅଧିକ ଦୁର୍ନୀତିଖୋର ଅଧିକାରୀ ଓ ବ୍ୟବସାୟୀଙ୍କୁ କଠୋର ଲିଉଝି ବ୍ୟବସ୍ଥାରେ ଗୋପନ ହାଜତରେ ଅଟକ ରଖାଯାଉଛି । ଆଉ ୨ ଲକ୍ଷ ଲୋକଙ୍କୁ ସୌଖୀନ ସୁବିଧାରୁ ବଞ୍ଚିତ କରାଯାଇଛି । ଏମାନେ କୌଣସି ତାରକା ହୋଟେଲରେ ରହିପାରିବେ ନାହିଁ । ଆବଶ୍ୟକ ପଡ଼ିଲେ ଲିଉଝି ବ୍ୟବସ୍ଥାକୁ ଅଣାଯିବ । ରିପୋର୍ଟ ମୁତାବକ, ଚୀନ୍ ସରକାର ବର୍ତ୍ତମାନ ସାଙ୍ଘାତିକ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ତେଣୁ ଏହାର ଭରଣା ପାଇଁ ‘ଡିପ୍ ସି ଫିସିଙ୍ଗ୍’ ନୀତି ଗ୍ରହଣ କରାଯାଇଛି । ଏଥିରେ ଧନୀ କାର୍ଯ୍ୟନିର୍ବାହୀଙ୍କୁ ଟାର୍ଗେଟ୍ କରି ତାଙ୍କ ସମ୍ପତ୍ତି ଜବତ କରାଯାଉଛି । ସଙ୍ଘର୍ଷରତ ବ୍ୟବସାୟିକ ଉଦ୍ୟୋଗଗୁଡ଼ିକୁ ହଇରାଣ କରାଯାଇ ଅର୍ଥ ଅସୁଲ କରାଯାଉଛି । ଜିନପିଙ୍ଗ୍ ସରକାରର ଏଭଳି କାର୍ଯ୍ୟ ଦ୍ୱାରା ଚୀନରେ ବ୍ୟବସାୟିକ ଭାବନା ଉପରେ ସାଙ୍ଘାତିକ ଚାପ ପଡୁଥିବା ବିଶ୍ଳେଷକମାନେ ମତପୋଷଣ କରିଛନ୍ତି ।