ନୂଆଦିଲ୍ଲୀ,୩।୧୨: ହରିୟାଣାର ପାନିପତରୁ ଆସିଛି ଏକ ଛାତିଥରା ଘଟଣା । ଜଣେ ମହିଳା ସାଇକୋ କିଲରଙ୍କୁ ପୁଲିସ ଗିରଫ କରିଛି, ଯିଏକି ୪ ଜଣ ଶିଶୁଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛି। ମହିଳା ଜଣକ ୨୦୨୩ ରୁ ୨୦୨୫ ମଧ୍ୟରେ ଚାରି ଜଣ ଶିଶୁଙ୍କୁ ହତ୍ୟା କରିଛି। ଏଥିରେ ସମ୍ପର୍କୀୟଙ୍କ ତିନି ଜଣ ପିଲା ଏବଂ ତା’ର ନିଜ ପୁଅ ମଧ୍ୟ ରହିଛି। ପୋଲିସର କହିବା ଅନୁଯାୟୀ, ଅଭିଯୁକ୍ତ ପୁନମ ବିଶେଷ ଭାବରେ ସୁନ୍ଦର କିମ୍ବା ଆକର୍ଷଣୀୟ ଦେଖାଯାଉଥିବା ପିଲାମାନଙ୍କୁ ଟାର୍ଗେଟ କରୁଥିଲା। ପ୍ରତ୍ୟେକ ଥର ସେ ସେମାନଙ୍କୁ ଟବ୍, ବାଥରୁମ୍ ସିଙ୍କ୍ କିମ୍ବା ପାଣିରେ ବୁଡାଇ ହତ୍ୟା କରୁଥିଲା

ନେଲଥା ଗାଁରେ ୧ ଡିସେମ୍ବରରେ ଏକ ବିବାହ ସମାରୋହରେ ୬ ବର୍ଷର ଝିଅ ବିଧିର ମୃତଦେହ ସନ୍ଦିଗ୍ଧ ସ୍ଥିତିରେ ବାଥ୍ ଟବ୍ରେ ମିଳିଥିଲା। ବାଥ୍ ଟବ୍ ଖୁବ୍ ଛୋଟ ଥିଲା ଏଥିରେ କେହି ବୁଡିକି ମରିଯିବ ତା’ର ସମ୍ଭାବନା କମ୍ ଥିଲା। ବାଥରୁମ୍‌ କବାଟ ବାହାର ପଟୁ ବନ୍ଦ ଥିଲା। ପୁଲିସ ଆଖପାଖରରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଖୋଜିଥିଲା। ଏହାପରେ କ୍ୟାମେରାରେ ଦେଖିବାକୁ ମିଳିଥିଲା ତା ଭିତରକୁ ପୁନମ ଯାଉଛି। ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ପୁନମଙ୍କୁ ପଚରାଉଚରା କରିଥିଲା, ତା’ପରେ ପୁନମ ସବୁ କିଛି ସ୍ବୀକାର କରିନେଇଥିଲା। ପୁନମ କହିଥିଲା,ବିଧି ବ୍ୟତୀତ, ସେ ପୂର୍ବରୁ ଅନ୍ୟ ତିନି ଜଣ ପିଲାଙ୍କୁ ହତ୍ୟା କରିଥିଲା, ଯେଉଁମାନଙ୍କ ମଧ୍ୟରେ ଜଣେ ତା’ର ନିଜ ପୁଅ ଥିଲା।

ପାନିପତ୍ ଏସ୍‌ପି ଭୁପେନ୍ଦ୍ର ସିଂହ କହିଛନ୍ତି, ପୁନମ ସାଇକୋ ଥିଲା, ତା ଠାରୁ କେହି ସୁନ୍ଦର ଦେଖାଗଲେ ସେ ସହି ପାରୁନଥିଲା। ତାକୁ ଲାଗୁଥିଲା ତାଠାରୁ ଯେପରି କେହି ସୁନ୍ଦର ନରୁହନ୍ତୁ। ସୁନ୍ଦର ପିଲାଙ୍କୁ ଦେଖି ପୁନମ ମନରେ ନିଆଁ ଲାଗି ଯାଉଥିଲା। ଏହାପରେ ସେ ପିଲାଙ୍କୁ ହତ୍ୟା କରିବାର ଯୋଜନା କରିଥିଲା। ୨୦୨୩ ରେ ସୋନିପତର ବୋହଡ ଗାଁରେ ପୁନମ ନିଜର ନଣନ୍ଦର ଝିଅକୁ ପାଣିରେ ବୁଡାଇ ହତ୍ୟା କରିଥିଲା। କାହାର ଯେପରି ସନ୍ଦେହ ନହେବ ସାଇକୋ ପୁନମ୍ ନିଜ ପୁଅକୁ ବି ପାଣିରେ ବୁଡାଇ ହତ୍ୟା କରିଦେଇଥିଲା। ଏହାପରେ ୨୦୨୫ ରେ ପୁନମ ନିଜ ବାପା ଘରକୁ ଯାଇଥିବା ବେଳେ ମଧ୍ୟ ସମ୍ପର୍କୀୟ ଝିଆରୀକୁ ପାଣିରେ ବୁଡାଇ ହତ୍ୟା କରିଥିଲା। ପୋଲିସ କହିଛି, ହତ୍ୟା ପରେ ପୁନମ୍ ଖୁବ୍ ଖୁସି ହୋଇଯାଉଥିଲା। ପଚରାଉଚରା ସମୟରେ ସେ ସ୍ୱୀକାର କରିଛି ଯେ ତାକୁ ନିଜଠାରୁ କିମ୍ବା ନିଜର ପିଲାଠାରୁ ସୁନ୍ଦର ପିଲା ଦେଖିବା ମାତ୍ରେ ରାଗରେ ଜଳି ଯାଉଥିଲା। ୩୬ ଘଣ୍ଟାରେ ପୁରା ମାମଲା ଉପରୁ ପରଦା ଉଠି ଯାଇଥିଲା। ଏହା ଖୁବ୍ ସମ୍ବେଦନଶୀଳ ଓ ଭୟଙ୍କର ଥିଲା, କାରଣ ଅଭିଯୁକ୍ତ ମହିଳା ଅପରାଧ ଲୁଚାଇବା ପାଇଁ ନିଜ ପୁଅକୁ ମଧ୍ୟ ଛାଡିଲାନି। ପୁଲିସ ମହିଳାଙ୍କୁ ଗିରଫ କରିନେଇଛି। ପୁନମର ମାନସିକ ସ୍ବାସ୍ଥ୍ୟର ମଧ୍ୟ ଯାଞ୍ଚ କରାଯାଉଛି।