ପାନୀପତ: ହରିୟାଣାର ପାନୀପତରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଜଣେ ୩୫ ବର୍ଷୀୟ ମହିଳାଙ୍କୁ ଏକ ଖାଲି ଟ୍ରେନ୍ କୋଚ୍ରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହାପରେ ଅଭିଯୁକ୍ତମାନେ ତାଙ୍କୁ ସୋନୀପତରେ ରେଳ ଟ୍ରାକ୍ରେ ଫିଙ୍ଗି ଦେଇଥିଲେ। ଯେଉଁଠାରେ ଆଉ ଏକ ଟ୍ରେନ୍ ତାଙ୍କ ମାଡିଯିବାରୁ ସେ ତାଙ୍କର ଗୋଟିଏ ଗୋଡ଼ ହରାଇଛନ୍ତି।
ପୋଲିସ ଦେଇଥିବା ସୂଚନା ଅନୁସାରେ, ଗତ ଜୁନ୍ ୨୪ ତାରିଖରେ ମହିଳା ନିଜ ସ୍ୱାମୀଙ୍କ ସହ ଝଗଡା କରି ଘର ଛାଡି ଚାଲି ଆସିଥିଲେ। ଜୁନ୍ ୨୬ରେ ତାଙ୍କ ସ୍ୱାମୀ ଏନେଇ କୁଇଲା ଥାନାରେ ଏକ ନିରୁଦ୍ଧିଷ୍ଟ ଅଭିଯୋଗ ଦାୟର କରିଥିଲେ। ମହିଳାଙ୍କ କହିବା ଅନୁସାରେ, ସେ ପାନୀପତ ରେଳ ଷ୍ଟେସନରେ ବସିଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ତାଙ୍କ ସ୍ୱାମୀଙ୍କ ଦ୍ୱାରା ପଠାଯାଇଥିବା କହି ତାଙ୍କ ସହ ଯୋଗାଯୋଗ କରିଥିଲେ। ସେ ତାଙ୍କୁ ଏକ ଖାଲି ଟ୍ରେନ୍ କୋଚ୍କୁ ନେଇଥିଲେ, ଯେଉଁଠାରେ ସେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ପରେ ଆଉ ଦୁଇ ଜଣ ବ୍ୟକ୍ତି ମଧ୍ୟ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ।
ଏହାପରେ ଅଭିଯୁକ୍ତମାନେ ମହିଳାଙ୍କୁ ସୋନୀପତକୁ ନେଇ ରେଳ ଟ୍ରାକ୍ରେ ଫିଙ୍ଗି ଦେଇଥିଲେ। ଏକ ଟ୍ରେନ୍ ତାଙ୍କ ଉପରେ ଚାଲିଯିବାରୁ ତାଙ୍କର ଗୋଟିଏ ଗୋଡ଼ କଟି ଯାଇଥିଲା। ମହିଳାଙ୍କୁ ପ୍ରଥମେ ସୋନୀପତ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ରୋହତକର ପିଜିଆଇଏମଏସ୍ରେ ସ୍ଥାନାନ୍ତର କରାଯାଇଥିଲା। ତେବେ ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ରହିବା ସହ ତାଙ୍କର ଚିକିତ୍ସା ଜାରି ରହିଛି।
ଜୁନ୍ ୪ ତାରିଖରେ ମହିଳାଙ୍କ ଅଭିଯୋଗ ପରେ ପୋଲିସ ଏକ ଜିରୋ ଏଫଆଇଆର୍ ଦାୟର କରିଥିଲା ଏବଂ ମାମଲାଟି ପାନୀପତ ରେଳ ପୋଲିସ (ଜିଆରପି)କୁ ହସ୍ତାନ୍ତର କରାଯାଇଥିଲା। କୁଇଲା ଥାନାର ଏସଏଚଓ ଶ୍ରୀ ନିବାସଙ୍କ କହିବା ଅନୁସାରେ, ଏହି ଘଟଣାରେ ସାମିଲ ତିବା ଅଭିଯୁକ୍ତମାନେ ଫେରାର ଅଛନ୍ତି ଏବଂ ତଦନ୍ତ ଚାଲୁ ରହିଛି। ଜିଆରପିର ଏସଏଚଓ ଇନ୍ସପେକ୍ଟର ରାଜେଶ କହିଛନ୍ତି ଯେ, ସମସ୍ତ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ପୋଲିସ ତନାଘନା ଜାରି ରଖିଛି।
ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ମହିଳା ଓ ତାଙ୍କ ପରିବାର ସରକାରଙ୍କଠାରୁ ନ୍ୟାୟ ଦାବି କରିଛନ୍ତି।