ନୂଆଦିଲ୍ଲୀ: ନିକଟ ଅତୀତରେ ପେଗାସସ୍ ସ୍ପାଏୱେର୍ ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି କରିଥିଲା। ବିଶ୍ୱର ବିଭିନ୍ନ ସରକାର ପ୍ରମୁଖ ବ୍ୟକ୍ତି, ବିଶେଷ କରି ବିରୋଧୀ ନେତା ଏବଂ ସାମ୍ବାଦିକଙ୍କ ବିରୋଧରେ ଗୁଇନ୍ଦାଗିରି କରିବାକୁ  ପେଗାସସ୍ ବ୍ୟବହାର କରୁଥିବା ଅଭିଯୋଗ ଆସିଥିଲା। ଏହି ପ୍ରସଙ୍ଗ ଭାରତରେ ମଧ୍ୟ ବିବାଦ ସୃଷ୍ଟି କରିଥିଲା । ଏବେ ସମାନ ସ୍ପାଏୱେର୍ ପୁଣି ଥରେ ଆଲୋଚନାର ପ୍ରସଙ୍ଗ ପାଲଟିଛି ।  ପାରାଗନ୍ ନାମକ ଏକ ସ୍ପାଏୱେର୍ ଇଟାଲୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜଣେ ପ୍ରମୁଖ ବ୍ୟବସାୟୀ ଫ୍ରାନ୍ସେସ୍କୋ ଗାଏଟାନୋ କାଲ୍ଟାଗିରେଙ୍କୁ ପାରାଗନ୍ ସ୍ପାଏୱେର୍ ଦ୍ୱାରା ଟାର୍ଗେଟ କରାଯାଇଥିବା ଅଭିଯୋଗ ହୋଇଛି। ରିପୋର୍ଟ ଅନୁଯାୟୀ, ଇଟାଲୀରେ ଏବେ ସାମ୍ବାଦିକ, କର୍ମୀ ଏବଂ ପ୍ରମୁଖ ବ୍ୟବସାୟୀଙ୍କ ଅନଲାଇନ୍ କାର୍ଯ୍ୟକଳାପ ଉପରେ ନଜର ରଖାଯାଉଛି। ରିପୋର୍ଟରେ କୁହାଯାଇଛି ଯେ, କାଲ୍ଟାଗିରେ ୯୦ ଜଣଙ୍କ ମଧ୍ୟରୁ ଜଣେ ଥିଲେ ଯାହାଙ୍କୁ ଟାର୍ଗେଟ କରାଯାଇଥିଲା । 

ସେ ଜାନୁଆରୀରେ ହ୍ୱାଟସଆପରୁ ଏକ ବିଜ୍ଞପ୍ତି ପାଇଥିଲେ । ଯେଉଁଥିରେ କୁହାଯାଇଥିଲା ଯେ, ସେ ପାରାଗନ୍ ସଲ୍ୟୁସନ୍ସ ଦ୍ୱାରା ବିକଶିତ ସ୍ପାଏୱେର ଦ୍ୱାରା ଟାର୍ଗେଟ ହେଉଛନ୍ତି। ସ୍ପାଏୱେର୍ ଏକ ଅତ୍ୟନ୍ତ ବିପଦପୂର୍ଣ୍ଣ ସଫ୍ଟୱେର୍। ଏହାକୁ ଯେକୌଣସି ଡିଭାଇସ୍‌ରେ ଚତୁରତାର ସହିତ ସଂସ୍ଥାପିତ କରାଯାଏ । ଦୂରରୁ ଏହି କାର୍ଯ୍ୟ କରାଯାଇପାରେ । ଏକ ଡିଭାଇସ୍‌ରେ ସଂସ୍ଥାପିତ ହେବା ପରେ, ସ୍ପାଏୱେର୍ ଏହାର କାମ ଆରମ୍ଭ କରେ । ମେସେଜ୍, କଲ୍ ରେକର୍ଡ ଏବଂ ସ୍ଥାନ ସମେତ ବ୍ୟକ୍ତିଗତ ସୂଚନା ଚୋରି କରି ନିଏ। ପେଗାସସ୍ ପରି, ପାରାଗନକୁ ଏକ ଅତ୍ୟନ୍ତ ଶକ୍ତିଶାଳୀ ସ୍ପାଏୱେର୍ ଭାବରେ ବିବେଚନା କରାଯାଏ । ରିପୋର୍ଟ ଅନୁଯାୟୀ, ସ୍ପାଏୱେର ଏତେ ବିପଦପୂର୍ଣ୍ଣ ଯେ, ଏହା ସବୁଠାରୁ ଶକ୍ତିଶାଳୀ ଡିଜିଟାଲ୍ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଉଲ୍ଲଂଘନ କରିପାରିବ। ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନକୁ ନେଇ ଗର୍ବ କରୁଥିବା ହ୍ୱାଟ୍ସଆପ୍ ଭଳି ଆପ୍ ମଧ୍ୟ ସ୍ପାଏୱେର ଆକ୍ରମଣରୁ ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ ବୋଲି ଜଣାପଡ଼ିଛି । 

ଫୋନ୍ କିମ୍ବା ଅନ୍ୟ ଡିଭାଇସ୍‌ରେ ସ୍ପାଏଓ୍ବେର ପ୍ରବେଶ କରିବା ପାଇଁ ଜିରୋ-କ୍ଲିକ୍ ଆଟାକ୍‌ର ବ୍ୟବହାର କରାଯାଏ। ଏହାର ଅର୍ଥ ହେଉଛି, ଫୋନ୍‌କୁ ସ୍ପର୍ଶ କରିବା କିମ୍ବା କୌଣସି ବାହ୍ୟ ଡିଭାଇସ୍‌କୁ ସଂଯୋଗ କରିବା ଆବଶ୍ୟକ ନାହିଁ। ଫୋନ୍‌ରେ ସ୍ପାଏଓ୍ବେର ପ୍ରବେଶ କରିବା ପାଇଁ କେବଳ ଏକ ବିଜ୍ଞପ୍ତି କିମ୍ବା ବାର୍ତ୍ତା ପଠାଇବା ଯଥେଷ୍ଟ। ପାରାଗନ୍ ଆକ୍ରମଣର ଶିକାର ହୋଇଥିବା ବ୍ୟବସାୟୀ କାଲ୍ଟାଗିରେ ଇଟାଲୀର ଜଣେ ଜଣାଶୁଣା ବ୍ୟକ୍ତି। ତାଙ୍କୁ ଦେଶର ପ୍ରଥମ ବ୍ୟବସାୟୀ ବୋଲି କୁହାଯାଉଛି ଯାହାଙ୍କୁ ଏଭଳି ଟାର୍ଗେଟ କରାଯାଇଛି। ଅନଲାଇନ୍ ନ୍ୟୁଜ୍ ୱେବସାଇଟ୍ ଫ୍ୟାନପେଜ୍ ପାଇଁ କାମ କରୁଥିବା ସାମ୍ବାଦିକ ସିରୋ ପେଲେଗ୍ରିନୋଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି। 

ପେଗାସସ୍ ପରି, ପାରାଗନ୍ ମଧ୍ୟ ଇସ୍ରାଏଲରେ ବିକଶିତ ହୋଇଛି । କିନ୍ତୁ ଏହାକୁ ୨୦୨୪ ମସିହାରେ ଏକ ଆମେରିକୀୟ କମ୍ପାନୀ ଅଧିଗ୍ରହଣ କରିଥିଲା। ପାରାଗନ ସ୍ପାଏଓ୍ବେର ଆଟାକ କରୁଛି ବୋଲି ହ୍ୱାଟ୍ସଆପ୍ ପୀଡିତମାନଙ୍କୁ ସତର୍କ କରିଥିଲା । ଏହା ପରେ ଟାର୍ଗେଟ ହୋଇଥିବା ଲୋକଙ୍କ ପରିଚୟ ପ୍ରକାଶ ପାଇଥିଲା ।