ଭୁବନେଶ୍ୱର୧୭/୧୨(କୁମାର ବିମଳ): ପ୍ୟାରିସ ଅଲିମ୍ପିକ୍ସ ଭାରତୀୟଙ୍କୁ ସେତେଟା ଖୁସି ଦେଇ ନଥିଲା ଯାହା ଟୋକିଓ ଅଲିମ୍ପିକ୍ସରୁ ମିଳିଥିଲା। ଗୋଟିଏ ରୌପ୍ୟ ସହ ମୋଟ୍‌ ୬ଟି ପଦକ ମିଳିଥିଲା । ନୀରଜ ଚୋପ୍ରା ସ୍ୱର୍ଣ୍ଣ  ବଜାୟ ରଖିବା ଏବଂ ଭିନେଶ ଫୋଗଟଙ୍କ ସ୍ୱର୍ଣ୍ଣ ଜିତିବାର ଅଭିଳାଷ ଧୂଳିସାତ ହୋଇଥିଲା ।  ସୁଟିଂରେ ମନୁ ଭାକର ଡବଲ ପଦକ ଜିତି ଇତିହାସ ରଚିଥିଲେ । ଠିକ୍‌ ସେହିପରି କୁସ୍ତିଯୋଦ୍ଧା  ଅମନ ଶେରାୱତ ହୋଇଥିଲେ ଦେଶର ସର୍ବକନିଷ୍ଠ ଅଲିମ୍ପିକ୍ସ ପଦକ ବିଜେତା ।  ଭାରତୀୟ ଦଳ ପ୍ୟାରିସରୁ ସ୍ୱର୍ଣ୍ଣ ଶୂନ୍ୟ ହୋଇ ଫେରିଥିଲା। ସ୍ୱଦେଶ ଫେରିବା ପରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖେଳାଳିମାନଙ୍କୁ ନୂଆ ଆଶାର ଆଲୋକ ଦେଖାଇଥିଲେ ।  ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଖେଳାଳିଙ୍କର ମତାମତ ଏବଂ ପରାମର୍ଶ ଲୋଡ଼ିଥିଲେ ।  ଯାହା ଅଲିମ୍ପିଆନଙ୍କୁ ବେଶ ଉତ୍ସାହିତ କରିଥିଲା । ଶେଷରେ ଅଗଷ୍ଟ ମାସରେ ଭାରତ  ୨୦୩୬ କ୍ରୀଡ଼ା ଆୟୋଜନ ନେଇ ଆଇଓଏ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ର ଫ୍ୟୁଚର ହୋଷ୍ଟ୍‌ କମିଶନ ନିକଟରେ ଇଚ୍ଛା ପତ୍ର ଦାଖଲ କରିଥିଲା

ଟାଇଟଲ ବଜାୟ ରଖି ପାରିଲେନି ନୀରଜ


ଡିଫେଣ୍ଡିଂ ଚାମ୍ପିଅନ ଜାଭେଲିନ ଥ୍ରୋୟର ନୀରଜ  ଚୋପ୍ରା ପ୍ୟାରିସରେ ଟାଇଟଲ ବଜାୟ ରଖିବାରେ  ବିଫଳ ହୋଇଥିଲେ । ସେ ପାକିସ୍ତାନର ଅର୍ଶଦ ନଦୀମଙ୍କ ପଛକୁ ଦ୍ୱିତୀୟ  ସ୍ଥାନରେ ରହି ରୌପ୍ୟ  ପାଇଥିଲେ । ନଦୀମଙ୍କୁ ସ୍ୱର୍ଣ୍ଣ ମିଳିଥିଲା ।  ୯୨.୯୭ ମିଟର ଜାଭେଲିନ୍‌ ଫିଙ୍ଗି ସେ  ଏକସଙ୍ଗେ ଅଲିମ୍ପିକ୍‌ ଓ ଏସୀୟ  ରେକର୍ଡ ଭଙ୍ଗ କରିଥିଲେ । ୮୯.୪୫ ମିଟର  ଥ୍ରୋ’ ବଳରେ ନୀରଜଙ୍କୁ ରୌପ୍ୟ ପଦକରେ  ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ଗ୍ରେନାଡାର  ଆଣ୍ଡରସନ ପିଟର୍ସ ୮୮.୫୪ ମିଟର ଥ୍ରୋ’  କରି ବ୍ରୋଞ୍ଜ ପଦକ ହାସଲ କରିଥିଲେ ।  ଟୋକିଓରେ ସ୍ୱର୍ଣ୍ଣ ଜିତି ନୀରଜ ଦେଶ ପାଇଁ  ଇତିହାସ ରଚିଥିଲେ । ପ୍ରଥମ ଭାରତୀୟ  ଭାବେ ସେ ଅଲିମ୍ପିକ୍ସରେ ଟ୍ରାକ୍‌ ଏଣ୍ଡ୍‌ ଫିଲ୍ଡରେ  ସ୍ୱର୍ଣ୍ଣ ଜିତିଥିଲେ । ତାଙ୍କ ପୂର୍ବରୁ ବ୍ୟକ୍ତିଗତ  ବର୍ଗରେ ସୁଟର ଅଭିନବ ବିନ୍ଦ୍ରା ଦେଶ ପାଇଁ  ପ୍ରଥମ ସ୍ୱର୍ଣ୍ଣ ଜିତିବାରେ ସଫଳ ହୋଇଥିଲେ ।  ନୀରଜ ବିଫଳ ହେବା ପରେ ଭାରତ ସ୍ୱର୍ଣ୍ଣ ଶୂନ୍ୟ  ହୋଇ ପ୍ୟାରିସରୁ ଫେରିଥିଲା ।

ବ୍ରୋଞ୍ଜ ପଦକ ସହ ଶ୍ରୀଜେଶଙ୍କ ଯୁଗ ଶେଷ 

ବ୍ରୋଞ୍ଜ ଜିତିବା ପରେ ଟିମ୍‌  ଇଣ୍ଡିଆର ‘ଟଲ୍‌ ମ୍ୟାନ୍‌’,  ଟିମ୍‌ ଇଣ୍ଡିଆର ‘ୱାଲ’  ଗୋଲକିପର ପିଆର  ଶ୍ରୀଜେଶଙ୍କ ଯୁଗ ଶେଷ  ହୋଇଥିଲା । ଦଳକୁ  କ୍ରମାନ୍ୱୟରେ ୨ଟି ବ୍ରୋଞ୍ଜ  ପଦକ ଭେଟି ଦେବାରେ  ତାଙ୍କ ଭୂମିକା ବେଶ  ଗୁରୁତ୍ୱପୂର୍ଣ୍ଣ ରହିଥିଲା ।  ମ୍ୟାଚ୍‌ ଜିତିବା ପରେ  ଶ୍ରୀଜେଶ ଗୋଲପୋଷ୍ଟ ସାମ୍ନାରେ ଲମ୍ବ ହୋଇ ଶୋଇ ଯାଇ ପ୍ରଣାମ  କରିଥିଲେ । ସାଥି ଖେଳାଳିମାନେ ତାଙ୍କୁ ଆସି କୁଣ୍ଢେଇ ଧରି ପିଚ୍‌ରେ ଗଡ଼ି ଯାଇଥିଲେ । ମ୍ୟାଚ୍‌ ଶେଷ ହେବା ପରେ ଶ୍ରୀଜେଶ କହିଥିଲେ, ‘ପଦକ ଜିତି ଅଲିମ୍ପିକ୍ସ କ୍ରୀଡ଼ା  ଶେଷ କରିବା ସବୁଠୁ ବଡ଼ କଥା । ଯାହା ହେଉ ଆମେ ଖାଲି ହାତରେ ସ୍ୱଦେଶ ଫେରିନୁ ।’

ମନୁ ରଚିଲେ ଇତିହାସ

ପ୍ୟାରିସ ଅଲିମ୍ପିକ୍ସରେ ଦେଶ ପାଇଁ ଇତିହାସ ରଚିଥିଲେ ସୁଟର ମନୁ ଭାକର ।  ୨୨ ବର୍ଷୀୟା ଏହି ସୁଟର ୧୦ ମିଟର ଏୟାର ପିସ୍ତଲ ଏବଂ ମିକ୍ସଡ ୧୦ ମିଟର  ଏୟାର ପିସ୍ତଲରେ ଦଳଗତ ବର୍ଗରେ ବ୍ରୋଞ୍ଜ ଜିତିଥିଲେ । ପ୍ରଥମ ଭାରତୀୟ ମହିଳା ଭାବେ ମନୁ ୧୦ ମିଟର ଏୟାର ପିସ୍ତଲରେ  ଅଲିମ୍ପିକ୍ସ ପଦକ ଜିତି ପାରିଥିଲେ । ସେହିପରି ପ୍ରଥମ ଭାରତୀୟ ଭାବେ  ସେ ଗୋଟିଏ ସଂସ୍କରଣରେ ୨ଟି ପଦକ ଜିତିବାର ସୌଭାଗ୍ୟ  ଲାଭ କରିଥିଲେ । ମନୁ ମିକ୍ସଡ ଟିମ୍‌ରେ ସରବଜୋତ  ସିଂଙ୍କୁ ସାଥି କରି ବ୍ରୋଞ୍ଜ ଜିତିଥିଲେ । ସୁଟିଂରେ ତୃତୀୟ  ପଦକ ୫୦ ମିଟର ରାଇଫଲ ଥ୍ରୀ ପୋଜିସନରେ  ମିଳିଥିଲା । ସ୍ୱପ୍ନିଲ କୁଶାଲେ ଏହି ଇଭେଣ୍ଟରେ  ବ୍ରୋଞ୍ଜ ପଦକ ପାଇଥିଲେ । ପ୍ୟାରିସରେ ଭାରତ ଗୋଟିଏ ରୌପ୍ୟ ଓ ୫ଟି ବ୍ରୋଞ୍ଜ ସହ ମୋଟ୍‌  ୬ଟି ପଦକରେ ଅଭିଯାନ ଶେଷ କରିଥିଲା ।

ଅମନ ସର୍ବକନିଷ୍ଠ ପଦକ ବିଜେତା


ଅଲିମ୍ପିକ୍ସ ପୁରୁଷ କୁସ୍ତି ୫୭ କିଲୋ ବର୍ଗରେ  ଅମନ ଶେରାୱତ ଜିତିଥିଲେ ବ୍ରୋଞ୍ଜ ।  ୨୧ ବର୍ଷୀୟ ଏହି ଯୁବ ତାରକା  ପଦାର୍ପଣରେ ପଦକ ଜିତି ଦେଶ  ପାଇଁ ଇତିହାସ ରଚିଥିଲେ ।  ଅଲିମ୍ପିକ୍ସ ପଦକ ଜିତିବାରେ ସେ  ହେଉଛନ୍ତି ସର୍ବକନିଷ୍ଠ ଭାରତୀୟ ।  ପିଲା ଦିନରୁ ଅଲିମ୍ପିଆନ ସୁଶୀଲ କୁମାରଙ୍କ ଦ୍ୱାରା ଅନୁପ୍ରାଣିତ  ହୋଇ କୁସ୍ତି ଆରମ୍ଭ କରିଥିଲେ ।  ମାତ୍ର ୧୧ ବର୍ଷ ବୟସରେ ସେ ଅଜଣା  ରୋଗରେ ଉଭୟ ବାପା, ମା’ଙ୍କୁ ହରାଇଥିଲେ ।  ପ୍ୟାରିସ ଅଲିମ୍ପିକ୍ସର ଭାରତୀୟ ୬ ଜଣିଆ  କୁସ୍ତି ଦଳରେ ସେ ଏକମାତ୍ର ପୁରୁଷ  ଥିଲେ । ସେମି ଫାଇନାଲ ପରେ ଅମନଙ୍କ ଓଜନ ୪ କିଲୋ ୫୦୦  ଗ୍ରାମ୍‌ ଅଧିକ ବଢ଼ି ଯାଇଥିଲା ।  ସେ ୫୭ କିଲୋ ବର୍ଗରେ ଭାଗ  ନେଇଥିଲେ । ଅର୍ଥାତ ତାଙ୍କ ଓଜନ ୬୧ କିଲୋ ୫୦୦ ହୋଇଯାଇଥିଲା ।  ରାତି ସାରା ସେ ଅକ୍ଳାନ୍ତ ପରିଶ୍ରମ କରି ୪  କିଲୋ ୬୦୦ ଗ୍ରାମ୍‌ କମାଇଥିଲେ । ତହିଁ ପରଦିନ  ଓଜନ ସମୟରେ ତାଙ୍କ ଓଜନ ୫୭ କିଲୋରୁ ୧୦୦  ଗ୍ରାମ କମ୍‌ ରହିଥିଲା । 

ସାରା ଦେଶ ସ୍ତବ୍ଧ, ଭିନେଶ ପଦକରୁ ବଞ୍ଚିତ

ଭିନେଶ  ଫୋଗଟ  ୫୦ କିଲୋ  ଫ୍ରୀ ଷ୍ଟାଇଲରେ  ଫାଇନାଲକୁ ଉନ୍ନୀତ  ହେବା ପରେ ସେଦିନ ରାତିରେ  ସମସ୍ତେ ସୁଖ ନିଦ୍ରା ଯାଇଥିଲେ । କିନ୍ତୁ  ତହିଁ ପରଦିନ ପୂର୍ବାହ୍ନରେ ଧାଡ଼ିକିଆ ବ୍ରେକିଂ  ନ୍ୟୁଜ୍‌ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା । ରୌପ୍ୟ ପକ୍କା, କିନ୍ତୁ  ସ୍ୱର୍ଣ୍ଣକୁ ରହିଥିଲା ଆଶା । ତେଣୁ ସହଜରେ କେହି କଥାଟିକୁ ଗ୍ରହଣ  କରିପାରୁ ନଥିଲେ । ମାତ୍ର ୧୦୦ ଗ୍ରାମ୍‌ ଓଜନ ଅଧିକ ପାଇଁ ମହିଳା  କୁସ୍ତି ଫାଇନାଲରେ ପ୍ରବେଶ କରିଥିବା ଭିନେଶ ଫୋଗଟ ଅଯୋଗ୍ୟ  ଘୋଷିତ ହୋଇଥିଲେ । ସେ ଫାଇନାଲ ଖେଳି ପାରି ନଥିଲେ । ତାଙ୍କୁ  କୌଣସି ପଦକ ମିଳିନଥିଲା । ଯଦିଓ ସେ କାସ୍‌ର (ଅନ୍ତର୍ଜାତୀୟ କ୍ରୀଡ଼ା  କୋର୍ଟ) ଦ୍ୱାରସ୍ଥ ହୋଇଥିଲେ । ମାତ୍ର କିଛି ଲାଭ ହୋଇ ନଥିଲା ।   ପ୍ରତିଯୋଗିତାର ପ୍ରଥମ ଦିନ ସକାଳେ ସେ ଓଜନ ଏବଂ ମେଡିକାଲ୍‌  ଟେଷ୍ଟ ଦେଇଥିଲେ । ୫୦ କିଲୋରୁ ସେ ମାତ୍ର ୫୦ ଗ୍ରାମ୍‌ କମ୍‌ ରହିଥିଲେ । ଦିନ  ସାରା ୩ଟି ମ୍ୟାଚ୍‌ ଖେଳି ଶେଷରେ ଫାଇନାଲରେ ପ୍ରବେଶ କରିଥିଲେ । ପ୍ରଥମ  ଭାରତୀୟ ମହିଳା ଭାବେ ଭିନେଶ କୁସ୍ତି ଫାଇନାଲକୁ ଉନ୍ନୀତ ହୋଇ ଇତିହାସ  ରଚିଥିଲେ । ସେମି ଫାଇନାଲ ପରେ ତାଙ୍କର ଓଜନ ୨ କିଲୋ ୭୦୦ ଗ୍ରାମ୍‌ ବୃଦ୍ଧି  ପାଇଥିଲା । ଓଜନ କମାଇବା ନେଇ ସାରା ରାତି ଭିନେଶ ଏବଂ ତାଙ୍କ ଟିମ୍‌ ବହୁ  ପ୍ରୟାସ କରିଥିଲେ । କିନ୍ତୁ ପୂରା ସଫଳ ହୋଇନଥିଲେ ।  ଫାଇନାଲ ପ୍ରତିଯୋଗିତା ଦିନ ଭିନେଶଙ୍କର ଓଜନ ଓ ମେଡିକାଲ ଟେଷ୍ଟ  ହୋଇଥିଲା । ୫୦ କିଲୋରୁ ତାଙ୍କର ଓଜନ ଅଧିକ ୧୦୦ ଗ୍ରାମ୍‌ ହେବା ପରେ  ସେ ଓଭରୱେଟ (ଅଧିକ ଓଜନ) ପାଇଁ ଅଯୋଗ୍ୟ ଘୋଷିତ ହୋଇଥିଲେ ।  ଅନ୍ତର୍ଜାତୀୟ କୁସ୍ତି ନିୟମ ଅନୁସାରେ ନିଜ ଓଜନ ବର୍ଗ ଠାରୁ ଅଧିକ ଓଜନ  ଥିଲେ ପ୍ରତିଯୋଗୀ ଅଯୋଗ୍ୟ ବିବେଚିତ ହେବେ । ସେହି ନିୟମ ଅନୁସାରେ  ଭିନେଶ ବିଫଳ ହେଲେ । ତେବେ ସେ ଯେଉଁ ଭଳି ଭାବେ ଲଢ଼େଇ କରି  ଫାଇନାଲରେ ପ୍ରବେଶ କରିଥିଲେ, ତାହାକୁ ଦେଶବାସୀ ସବୁଦିନ ମନେ  ରଖିବେ । ପଦକ ନପାଇବି ସେ ଦେଶ ପାଇଁ ଚାମ୍ପିଅନ ହୋଇଛନ୍ତି ।

ଅଳ୍ପକେ ୭ ପଦକରୁ ବଞ୍ଚିତ

ଟୋକିଓ ଅଲିମ୍ପିକ୍ସ ଯାଏ ବିଭିନ୍ନ ସଂସ୍କରଣରେ ଭାରତ ୧୧ଟି ପଦକ  ଅଳ୍ପକେ ହାତଛଡ଼ା କରିଥିଲା । ଅର୍ଥାତ ଆମ କ୍ରୀଡ଼ାବିତମାନେ ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ । ପ୍ୟାରିସରେ ୭ ଜଣ  ଭାରତୀୟ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଛନ୍ତି । ତୀରନ୍ଦାଜୀର ମିକ୍ସଡ ଟିମ୍‌ରେ ଧୀରଜ ବୋମ୍ମାଦେବରା ଓ ଅଙ୍କିତା  ଭକତ ବ୍ରୋଞ୍ଜ ଲଢ଼େଇରେ ପରାଜିତ ହୋଇ ଚତୁର୍ଥ ସ୍ଥାନରେ  ରହିଥିଲେ। ବ୍ୟାଡମିଣ୍ଟନରେ ଲକ୍ଷ୍ୟ ସେନ ପ୍ରଥମ ଭାରତୀୟ ଭାବେ  ସେମି ଫାଇନାଲ ଖେଳିଥିଲେ । କିନ୍ତୁ ସେମିରେ ପରାଜିତ ହୋଇ  ଫାଇନାଲକୁ ଉନ୍ନୀତ ହୋଇପାରି ନଥିଲେ । ବ୍ରୋଞ୍ଜ ଲଢ଼େଇରେ ବି  ସେ ପରାଜିତ ହେଲେ ଏବଂ ଚତୁର୍ଥ ସ୍ଥାନରେ ରହିଲେ । ସେମିତି  ମହିଳା ଡବଲ୍ସରେ ତନୀଷା କ୍ରାଷ୍ଟୋ ଓ ଅଶ୍ୱିନୀ ପୋନାପ୍ପା ମଧ୍ୟ  ଚତୁର୍ଥରେ ରହିଥିଲେ । ସୁଟିଂ ୧୦ ମିଟର ଏୟାର ରାଇଫଲରେ ଅର୍ଜୁନ ବାବୁତା, ୨୫  ମିଟର ପିସ୍ତଲରେ ମନୁ ଭାକର ଏବଂ ସ୍କୀଟ୍‌ ଟିମରେ ମାହେଶ୍ୱରୀ  ଚୌହାନ ଓ ଅନତଜୀତ ସିଂ ନାରୁକା ଚତୁର୍ଥ ସ୍ଥାନରେ ରହିଥିଲେ ।  ଅର୍ଥାତ ଅଳ୍ପକେ ଦେଶ ସୁଟିଂରେ ୩ଟି ପଦକ ହରାଇଥିଲା ।  ମହିଳା ଭାରୋତ୍ତୋଳନରେ ଟୋକିଓରେ ରୌପ୍ୟ ଜିତିଥିଲେ  ମୀରାବାଈ ଚାନୁ । ସେ ମାତ୍ର ୧ କିଲୋ ଓଜନରୁ ପ୍ୟାରିସରେ ପଦକରୁ  ବଞ୍ଚିତ ହୋଇ ଚତୁର୍ଥ ସ୍ଥାନରେ ରହିଲେ।

ଅଲିମ୍ପିଆନଙ୍କ ପରାମର୍ଶ ଲୋଡ଼ିଲେ ପ୍ରଧାନମନ୍ତ୍ରୀ

୨୦୩୬ ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ ନେଇ ଭାରତ ଆଗ୍ରହୀ ରହିଛି । ଏ  ନେଇ ଆମେ ପ୍ରୟାସ ଜାରି ରଖିଛୁ ।’ ସ୍ୱାଧୀନତା ଦିବସରେ ଲାଲ୍‌କିଲ୍ଲାରୁ  ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ କଥା  କହିଥିଲେ । ଏହାପରେ ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେଇଥିବା  କ୍ରୀଡ଼ାବିତଙ୍କୁ ସେ ନିଜ ବାସଭବନରେ ସାକ୍ଷାତ କରିଥିଲେ ।  ପ୍ରଧାନମନ୍ତ୍ରୀ ଅଲିମ୍ପିଆନମାନଙ୍କୁ କହିଥିଲେ, ‘ଭାରତ ୨୦୩୬ ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ ନେଇ ପ୍ରସ୍ତୁତ ହେଉଛି । ଏହି  ପରିପ୍ରେକ୍ଷୀରେ ଯେଉଁମାନେ ଅଲିମ୍ପିକ୍ସ ଖେଳିଛନ୍ତି, ସେମାନଙ୍କ ମତାମତ  ଓ ପରାମର୍ଶ ଗୁରୁତ୍ୱପୂର୍ଣ୍ଣ ରହିଛି । ତୁମେ ସମସ୍ତେ ବହୁତ କିଛି  ଦେଖିଥିବ ଏବଂ ବହୁ କଥାରେ ଅଭିଜ୍ଞତା ହାସଲ କରିଛ । ଆମେ  ପ୍ରତ୍ୟେକଙ୍କ ଅଭିଜ୍ଞତାକୁ ରେକର୍ଡ କରି ରଖିବାକୁ ଚାହୁଁଛୁ । କାରଣ  ଯେମିତି ଅଲିମ୍ପିକ୍ସ ପ୍ରସ୍ତୁତିରେ ଅତି ଛୋଟ କଥାକୁ ବି ଭୁଲି ନଯାଉ ।’

ହକିରେ ପୁଣି ବ୍ରୋଞ୍ଜ ଆଣିଲା ଭାରତ

ଟୋକିଓ ପରେ ପୁଣି ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ  ସଫଳତା ଦୋହରାଇ ଥିଲା ଭାରତୀୟ ପୁରୁଷ ହକି  ଦଳ । ବ୍ରୋଞ୍ଜ ଲଢ଼େଇରେ ଓଡ଼ିଆ ପୁଅ ଡିଫେଣ୍ଡର  ଅମିତ ରୋହିଦାସଙ୍କ ପ୍ରତ୍ୟାବର୍ତ୍ତନ ଦଳର ଶକ୍ତି ବୃଦ୍ଧି  କରିଥିଲା । ଶେଷରେ ୨-୧ ଗୋଲରେ ସ୍ପେନକୁ  ପରାଜିତ କରି ଦଳ କ୍ରମାନ୍ୱୟରେ ଦ୍ୱିତୀୟ ଥର  ଅଲିମ୍ପିକ୍ସ ପଦକ ହାସଲରେ ସଫଳ ହୋଇଥିଲା । ଭାରତ ବ୍ରୋଞ୍ଜ ପଦକ ଜିତିବା ପରେ ଭିନେଶ  ଫୋଗଟଙ୍କ ଦୁଃଖଦ ବିଦାୟକୁ ପାଶୋରି ସମସ୍ତେ  ଉତ୍ସବ ମନାଇଥିଲେ । ଗ୍ରେଟ୍‌ ବ୍ରିଟେନ୍‌ ବିପକ୍ଷରେ  ଭାରତ ସୁଟ୍‌ଆଉଟ୍‌ ୧-୧ (୪-୨) ଗୋଲରେ ବିଜୟୀ  ହୋଇ ସେମି ଫାଇନାଲରେ ପ୍ରବେଶ କରିଥିଲା । କିନ୍ତୁ  ଏହି ମ୍ୟାଚ୍‌ରେ ଅମିତ ରେଡ୍‌ କାର୍ଡ ପାଇଥିଲେ ।  ଫଳରେ ସେ ଗୁରୁତ୍ୱପୂର୍ଣ୍ଣ ସେମି ଫାଇନାଲ  ମ୍ୟାଚ୍‌ ଖେଳି ପାରିନଥିଲେ । ଯାହାର ଫାଇଦା  ଜର୍ମାନୀକୁ ମିଳିଥିଲା । ଜର୍ମାନୀ ୩-୨ ଗୋଲରେ  ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା ।  ଭାରତର ସ୍ୱର୍ଣ୍ଣ/ରୌପ୍ୟ ଆଶା ଧୂଳିସାତ୍‌ ହୋଇଥିଲା ।  ଦୀର୍ଘ ୪୧ ବର୍ଷ ପରେ ଭାରତ ଟୋକିଓରେ  ଅଲିମ୍ପିକ୍ସ ପଦକ ସ୍ୱପ୍ନ ପୂରା କରିଥିଲା ।  ଅଲିମ୍ପିକ୍ସରେ ଭାରତ ଏହାକୁ ମିଶାଇ ମୋଟ୍‌  ୧୩ଟି ପଦକ ଜିତିଛି । ଏଥିରେ ୮ଟି ସ୍ୱର୍ଣ୍ଣ,  ଗୋଟିଏ ରୌପ୍ୟ, ୪ଟି ବ୍ରୋଞ୍ଜ ସାମିଲ ରହିଛି ।  ଶେଷ ଥର ଭାରତ ୧୯୮୦ରେ ସ୍ୱର୍ଣ୍ଣ ଜିତିଥିଲା ।

ପାରାଲିମ୍ପିକ୍ସରେ ରେକର୍ଡ଼ ପଦକ ଜିତିଲା ଭାରତ

ପ୍ୟାରିସ ପାରାଲିମ୍ପିକ୍ସରେ ବିଶ୍ୱର ୧୭୦ ଦେଶରୁ  ୪,୪୬୩ ଜଣ କ୍ରୀଡ଼ାବିତ ଭାଗ ନେଇଥିଲେ ।  ଚୀନ ୯୪ଟି ସ୍ୱର୍ଣ୍ଣ ସହ ମୋଟ୍‌ ୨୨୦ ପଦକ  ଜିତି ଚାମ୍ପିଅନ, ଗ୍ରେଟ୍‌ ବ୍ରିଟେନ ରନର୍ସଅପ୍‌  (୪୯ ସ୍ୱର୍ଣ୍ଣ ସହ ମୋଟ୍‌ ୧୨୪ ପଦକ) ଏବଂ  ଆମେରିକା ତୃତୀୟ ସ୍ଥାନରେ (୩୬ ସ୍ୱର୍ଣ୍ଣ ସହ  ମୋଟ୍‌ ୧୦୫ ପଦକ) ରହିଥିଲା ।  ଭାରତ ପ୍ୟାରିସରେ ୭ ସ୍ୱର୍ଣ୍ଣ, ୯ଟି  ରୌପ୍ୟ ଏବଂ ୧୩ଟି ବ୍ରୋଞ୍ଜ ପଦକ (ମୋଟ୍‌  ୨୯ଟି) ଜିତି ଇତିହାସ ରଚିଥିଲା । ଦଳ ପଦକ  ତାଲିକାରେ ଶ୍ରେଷ୍ଠ ୨୦ ମଧ୍ୟରେ ୧୮ତମ  ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା ।  ଟୋକିଓ ଅଲିମ୍ପିକ୍ସରେ (୫ ସ୍ୱର୍ଣ୍ଣ) ୧୯ଟି ପଦକ  ଭାରତ ଜିତିଥିଲା । କିନ୍ତୁ ପୂର୍ବ ରେକର୍ଡ ଭଙ୍ଗ  କରି ଏଥର ୭ ସ୍ୱର୍ଣ୍ଣ ସହ ୨୯ଟି ପଦକ ଜିତି  ପାରିଥିଲା । ପାରାଲିମ୍ପିକ୍ସରେ ଏହା ଭାରତର  ଶ୍ରେଷ୍ଠ ପ୍ରଦର୍ଶନ । ପ୍ୟାରିସରେ ୧୨ଟି କ୍ରୀଡ଼ାରେ ଭାରତରୁ  ୮୪ ଜଣ କ୍ରୀଡ଼ାବିତ ଭାଗ ନେଇଥିଲେ । ସୁଟିଂରେ ଅବନୀ ଲେଖରା, ବ୍ୟାଡମିଣ୍ଟନରେ  ନିତେଶ କୁମାର, ଆଥଲେଟିକ୍ସରେ ସୁମିତ  ଅଣ୍ଟିଲ, ଧରମବୀର ଜୈନ, ପ୍ରବୀଣ କୁମାର,  ନବଦୀପ ସିଂ ଏବଂ ଆର୍ଚେରୀରେ ହରବିନ୍ଦର  ସିଂ ସ୍ୱର୍ଣ୍ଣ ପଦକ ଜିତିଥିଲେ।

୨୦୩୬ ଅଲିମ୍ପିକ୍ସ ଆୟୋଜନ ଦୌଡ଼ରେ ଭାରତ

୧୮୯୬  ମସିହାରୁ ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜିତ  ହୋଇ ଆସୁଥିଲେ ବି ଭାରତ ଏ ପର୍ଯ୍ୟନ୍ତ ଥରୁଟିଏ ବି  କ୍ରୀଡ଼ା ଆୟୋଜନରେ ସମର୍ଥ ହୋଇପାରି ନାହିଁ । ଯଦିଓ ପଡୋଶୀ  ଚୀନ ୨୦୦୮ରେ କ୍ରୀଡ଼ା ଆୟୋଜନ କରି ସାରିଛି । କିନ୍ତୁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଏ ଦିଗରେ ଗୁରୁତ୍ୱ ଦେବା ପରେ ଭାରତୀୟ ଅଲିମ୍ପିକ୍ସ ସଂଘ  (ଆଇଓଏ) କାର୍ଯ୍ୟ ଆରମ୍ଭ କରିଥିଲା । ଶେଷରେ ୨୦୩୬ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ କ୍ରୀଡ଼ା  ଆୟୋଜନ ନେଇ ଆଇଓଏ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି)ର ଫ୍ୟୁଚର ହୋଷ୍ଟ୍‌  କମିଶନ ନିକଟରେ ଇଚ୍ଛା ପତ୍ର ଦାଖଲ କରିଥିଲା। ୨୦୩୬ ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ କରିବା  ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଭିଜନ’ ରହିଛି । ପ୍ୟାରିସ ଅଲିମ୍ପିକ୍ସରେ ପଦକ ବିଜେତା ଏବଂ ପୂର୍ବତନ  ଅଲିମ୍ପିଆନଙ୍କୁ ଡକାଇ ଗତ ସ୍ୱାଧୀନତା ଦିବସରେ କ୍ରୀଡ଼ା ଆୟୋଜନ ସଂପର୍କରେ ସେମାନଙ୍କର  ମତାମତ ଓ ସହାୟତା ଲୋଡ଼ିଥିଲେ ପ୍ରଧାନମନ୍ତ୍ରୀ । ସେ କହିଥିଲେ, ‘ଅଲିମ୍ପିକ୍ସ  ଆୟୋଜନ ଦ୍ୱାରା ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ସାମାଜିକ ପ୍ରଗତି  ଘଟିପାରିବ ।’ ଭାରତ ଯଦି ଅଲିମ୍ପିକ୍ସ ଆୟୋଜନ ଅଧିକାର ପାଏ, ତେବେ  ଯୋଗ, ଖୋ ଖୋ, କବାଡ଼ି, ଚେସ୍‌, ଟି-ଟ୍ୱେଣ୍ଟି କ୍ରିକେଟ୍‌ ଏବଂ ସ୍କ୍ୱାଶ ପ୍ରଭୃତି କ୍ରୀଡ଼ା ସାମିଲ ରହିବ । ଏଥିରେ  ଭାରତ ସ୍ୱର୍ଣ୍ଣ ଜିତି ପାରିବ ।