ଭୁବନେଶ୍ୱର, ୧୯।୩: ରାସ୍ତାର ଅଧାକୁ ମାଡ଼ି ବସୁଛନ୍ତି ଯାତ୍ରୀବାହୀ ବସ୍‌ । ସକାଳୁ ରାତି ଅଧ ଯାଏ ବସ୍‌ଗୁଡ଼ିକ ବେଆଇନ ପାର୍କିଂ କରୁଛନ୍ତି । କାର, ବାଇକ୍‌, ଟ୍ରକ ଯିବାକୁ ବାଟ ଅଣ୍ଟୁନି । କେବଳ ପଥଚାରୀ ନୁହେଁ, ପର୍ଯ୍ୟଟକମାନେ ଯେତେ ଚିଲ୍ଲାଇଲେ ବି ଶୁଣିବାକୁ କେହି ନାହାନ୍ତି । ସଞ୍ଜ ନଇଁଲେ, ସ୍ଥିତି ଆହୁରି ସାଂଘାତିକ ହୋଇଯାଉଛି । ଅନ୍ଧାରିଆ ରାସ୍ତା ଯୋଗୁ ଦୁର୍ଘଟଣାର ଆଶଙ୍କା ବଢ଼ୁଛି । ଶୂନ୍‌ଶାନ ରାସ୍ତାରେ ଅସୁରକ୍ଷିତ ମଣୁଛନ୍ତି ପର୍ଯ୍ୟଟକ । ଏହା ହେଉଛି ଖଣ୍ଡଗିରି ମୁଣ୍ଡିଆ ପଛପାର୍ ଜୟଦେବ ବାଟିକା ଛକରୁ ଏନଏଚ୍‌କୁ ଲମ୍ବିଥିବା ରାସ୍ତାର ବିକଳ ଚିତ୍ର । ଖଣ୍ଡଗିରି-ଉଦୟଗିରିକୁ ପ୍ରତିଦିନ ଶହଶହ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଛି । ଯାତ୍ରୀବାହୀ ବସ୍‌ ରଖିବା ପାଇଁ ଖଣ୍ଡଗିରି ମୁଣ୍ଡିଆ ପଛରେ ବିରାଟ ପଡ଼ିଆ ରହିଛି । ଦିନ ବେଳା ଏହି ପାର୍କିଂସ୍ଥଳରେ ଅଣଓଡ଼ିଆ ପର୍ଯ୍ୟଟକଙ୍କ ବସ ଖୁନ୍ଦି ହୋଇଯାଉଛି । ପ୍ରାୟ ସବୁ ବସ୍‌ ହେଉଛି ବାହାର ରାଜ୍ୟର । ୨୦୨୨ ମସିହାରୁ ଖଣ୍ଡଗିରି-ଉଦୟଗିରି ମଝି ରାସ୍ତାରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି ।

ଏହା ବି ପଢ଼ନ୍ତୁ... ​​​​​​​ଏସ୍‌ସିବି ପିଛା ଛାଡୁନି ନିଆଁ: ଅଳ୍ପକେ ବର୍ତ୍ତିଲେ ରୋଗୀ, ନନ୍‌ଟ୍ରମା କାଜୁଆଲିଟିରେ ଆତଙ୍କ !

ତେଣୁ ବସ୍‌ଗୁଡ଼ିକ ଖଣ୍ଡଗିରି ଫ୍ଲାଏଓଭର ପାର୍‌ କରିବା ପରେ ଏନ୍‌ଏଚ୍‌-୧୬ରୁ ଖଣ୍ଡଗିରି ମୁଣ୍ଡିଆ ପଛପାର୍ଶ୍ୱ ରାସ୍ତା ଦେଇ ଉକ୍ତ ପାର୍କିଂସ୍ଥଳକୁ ଯାଉଛି । କିନ୍ତୁ ଏନ୍‌ଏଚ୍‌ରୁ ଜୟଦେବ ବାଟିକା ଛକକୁ ସଂଯୋଗ କରୁଥିବା ଏହି ରାସ୍ତାରେ ଯିବା ବେଳେ ସମସ୍ତେ ଅକଳରେ ପଡୁଛନ୍ତି । ଦୀର୍ଘ ଦିନ ହେବ ଏହି ଅଧ କିମିର ରାସ୍ତା ଅଘୋଷିତ ପାର୍କିଂସ୍ଥଳ ପାଲଟି ଯାଇଛି । ରାସ୍ତାକଡ଼ରେ ମାଳମାଳ ବସ୍‌ ରଖାଯାଇ ଥିବାରୁ ପର୍ଯ୍ୟଟକଙ୍କ ବସ୍‌କୁ ବାଟ ମିଳୁନି । ଅଧ କିମି ରାସ୍ତା ପାର୍‌ ପାଇଁ ଅଧ ଘଣ୍ଟା ଲାଗୁଛି । ପାର୍କିଂସ୍ଥଳରୁ ପର୍ଯ୍ୟଟକଙ୍କ ବସ ଫେରିବା ବି ସମଦଶା ଭୋଗୁଛନ୍ତି । ବେଆଇନ୍‌ ବସ୍‌ ପାର୍କିଂ କେବଳ ଏନ୍‌ଏଚ୍‌୧୬ରୁ ଜୟଦେବ ବାଟିକା ଗଳି ରାସ୍ତାରେ ସୀମିତ ରହୁନି । ଖଣ୍ଡଗିରି ଫ୍ଲାଏଓଭର ବରମୁଣ୍ଡା ବସ୍‌ଷ୍ଟାଣ୍ଡକୁ ଲମ୍ବିଥିବା ସର୍ଭିସ୍‌ ରାସ୍ତାକୁ ବି ଗ୍ରାସିଗଲାଣି ଏହି ବେଆଇନ୍‌ ପାର୍କିଂ । ଏମିତିରେ ସର୍ଭିସ ଅଣଓସାରିଆ ରାସ୍ତାର ଅଧାକୁ ବସଗୁଡ଼ିକ କବ୍‌ଜା କରିନେଉଛନ୍ତି । ବିପରୀତ ଦିଗରୁ ଗାଡ଼ି ଆସୁଥିଲେ ଅତିକ୍ରମ କରିବା ମୁସ୍‌କିଲ୍‌ ହୋଇଯାଉଛି ।

ବେଆଇନ୍‌ ପାର୍କିଂ ଜାଲରେ ଛନ୍ଦି ହୋଇ ଗାଡ଼ି ଚାଳକ ତ୍ରାହି ତ୍ରାହି ଡାକୁଛନ୍ତି । ତପୋବନ ସରକାରୀ ହାଇସ୍କୁଲ ଓ ଏକ ନାମୀ ଘରୋଇ ସ୍କୁଲ ଛୁଟି ବେଳେ ସର୍ଭିସ ରାସ୍ତାରେ ଗାଡ଼ିମୋଟରର ଅସମ୍ଭାଳ ଭିଡ଼ ଜମୁଛି । ଥରେ ଜାମ୍‌ରେ ଫସିଲେ, ମୁକୁଳିବାରେ ଅଧଘଣ୍ଟା ବିତିଯାଉଛି । ଟ୍ରାଫିକ୍‌ ପୁଲିସ ଟିମ୍‌ ଏନ୍‌ଏଚ୍‌-୧୬ରେ ସକାଳୁ ସଞ୍ଜ ଯାଏ ଘନଘନ ଜରିମାନା କାଟୁଛନ୍ତି । ହେଲେ, ବେଆଇନ୍‌ ପାର୍କିଂ ହଟାଇବାକୁ ଥରୁଟିଏ ବି ତାଗିଦ୍‌ କରୁନାହାନ୍ତି । ଏସବୁ ଯାତ୍ରୀବାହୀ ବସ୍‌ ଯୋଗୁ ଅସମ୍ଭାଳ ଟ୍ରାଫିକ୍‌ ଜାମ୍‌ ହେଉଥିଲେ ହେଁ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସର ହାତ ଥରୁଛି । ଯାତ୍ରୀବାହୀ ବସ୍‌ ରଖିବାକୁ ବରମୁଣ୍ଡା ବସଷ୍ଟାଣ୍ଡରେ ବିଶାଳ ପାର୍କିଂ ସ୍ଥଳ ନିର୍ମାଣ ହୋଇଛି । ପାର୍କିଂ ସ୍ଥଳ ଖାଲି ପଡୁଥିଲେ ହେଁ ରାସ୍ତାକଡ଼ରେ ବସ୍‌ ରଖି ଟ୍ରାଫିକ୍‌ ଜାମ୍‌ କରୁଛନ୍ତି ।