ଭୁବନେଶ୍ୱର,୧୮/୬ : ଭୁବନେଶ୍ୱର ରେଳଷ୍ଟେସନରେ ପାର୍କିଂ ଫି’ ଆକାଶଛୁଆଁ ହୋଇଯାଇଛି । ପୂର୍ବରୁ ବାଇକ୍ ପିଛା ଫି’ ଥିଲା ୧୨ ଟଙ୍କା । ଏବେ ୮ ଗୁଣା ବଢ଼ିକରି ଏହି ଦେୟ ୯୪ ଟଙ୍କା ହୋଇଯାଇଛି । ସାଇକେଲ୍ ପାର୍କିଂ ଦର ବି ୫ ଗୁଣା ବଢ଼ିଯାଇଛି । ଏହାକୁ ନେଇ ଯାତ୍ରୀଙ୍କ ଭିତରେ ଅହେତୁକ ଅସନ୍ତୋଷ ଦେଖିବାକୁ ମିଳିଛି । ମାଷ୍ଟରକ୍ୟାଣ୍ଟିନ ପାର୍ଶ୍ୱରେ ରେଳଷ୍ଟେସନ ପକ୍ଷରୁ ବାଇକ୍, ସାଇକେଲ ପାଇଁ ପାର୍କିଂ ସ୍ଥଳ ରହିଛି । ପୂର୍ବତଟ ରେଳବାଇ ପକ୍ଷରୁ ଏହି ପାର୍କିଂ ସ୍ଥଳକୁ ‘ଡି ଆଣ୍ଡ ଏସ୍ ଆସୋସିଏଟ୍’କୁ ଲିଜ୍ ଆକାରରେ ଦିଆଯାଇଛି । ପୂର୍ବରୁ ଏହି ଟେଣ୍ଡର ମା’ ତାରିଣି ସିକ୍ୟୁରିଟି ସର୍ଭିସକୁ ମିଳିଥିଲା । ଯାହାର କଣ୍ଟ ଗତ ୧୨ ତାରିଖରେ ସରିଯାଇଥିଲା । ଟେଣ୍ଡର ନେଇଥିବା ନୂଆ ସଂସ୍ଥା ଏବେ ମନଇଚ୍ଛା ପାର୍କିଂ ଫି’ ଆଦାୟ କରୁଛି । ଯାତ୍ରୀମାନେ ଅତିଷ୍ଠ ହୋଇପଡି଼ଲେଣି।
ପ୍ରମୋଦ ସାହୁ ନାମକ ଜଣେ ବାଇକ୍ ଆରୋହୀଙ୍କ ଅଭିଯୋଗ ମୁତାବକ, ସେ ଶନିବାର ବାଇକ୍ ପାର୍କିଂସ୍ଥଳରେ ବାଇକ୍ ରଖି ରଜ ପାଇଁ ଗାଁକୁ ଯାଇଥିଲେ । ଗାଁରୁ ଫେରି ବାଇକ୍ କାଢ଼ିବା ବେଳକୁ ପାର୍କିଂ ବାବଦକୁ ଫି’ ୩୭୬ ଟଙ୍କା ଦେଇଥିଲେ । ପୂର୍ବରୁ ୪ ଦିନ ପାଇ ୪୮ ଟଙ୍କା ଦେବାକୁ ପଡୁଥିଲା । ଏହି ନୂଆ ପାର୍କିଂ ଦେୟ ଢ଼େର୍ ଅଧିକ ବୋଲି ସେ କହିଛନ୍ତି । ସେହିପରି ଏହି ପାର୍କିଂ ସ୍ଥଳରେ ପୂର୍ବରୁ ସାଇକେଲ ରଖିଲେ, ଦିନକୁ ୫ ଟଙ୍କା ଦେବାକୁ ପଡୁଥିଲା । ଏବେ ଏହି ଦେୟ ୨୪ ଟଙ୍କାକୁ ବଢ଼ିଛି । ଗୋଟିଏ ବାଇକ୍କୁ ମାସ ପାଇଁ ରଖିଲେ, ପ୍ରାୟ ୮୦୦ ଟଙ୍କା ଦେବାକୁ ପଡି଼ବ ବୋଲି ପାର୍କିଂ ସ୍ଥଳରେ ଝୁଲିଥିବା ଫଳକରେ ଲେଖାଯାଇଛି ।
ଖାଲି ବାଇକ୍ କି ସାଇକେଲ ପାର୍କିଂ ନୁହେଁ, କାର ପାର୍କିଂ ସ୍ଥଳର ମଧ୍ୟ ଦେୟ ଢ଼େର୍ ଅଧିକ । ସେଠାରେ ୨ ଘଣ୍ଟାକୁ ୨୪ ଟଙ୍କା ଆଦାୟ କରାଯାଉଛି । ୨୪ ଘଣ୍ଟା ଯାଏଁ କାର ରଖିଲେ ୭୧ ଟଙ୍କା ଦେୟ ରହୁଛି । ଯଦି କେହି ଗୋଟିଏ ଦିନରୁ ଅଧିକ କାର ରଖୁଛି, ତା’ ହେଲେ ୧୪୨ ଟଙ୍କା ଦେବାକୁ ପଡୁଛି । ଏନେଇ ରେଳବାଇ ପକ୍ଷରୁ କୁହାଯାଇଛି, କର୍ମସିଆଲ ଇନ୍ସପେକ୍ଟର, ଷ୍ଟେସନ ମ୍ୟାନେଜର ଓ ଆକାଉଣ୍ଟ ଅଧିକାରୀଙ୍କ ଦ୍ୱାରା ପାର୍କିଂ ଫି ଧାର୍ଯ୍ୟ କରାଯାଉଛି । ଏକ ସର୍ଭେ କମିଟି ଏହି ଫି ରିପୋର୍ଟକୁ ପ୍ରସ୍ତାବ ଦେବା ପରେ ଡିଆର୍ଏମ୍ଙ୍କ ଅନୁମତି ଦରକାର । ଯେହେତୁ ଟେଣ୍ଡର ବେଳେ ସବୁଠୁ ଅଧିକ ଟଙ୍କା ଦେଉଥିବା ସଂସ୍ଥାକୁ ପାର୍କିଂ ସ୍ଥଳ ଲିଜ୍ରେ ମିଳୁଛି । ପୂର୍ବରୁ ୧୨ ଲକ୍ଷ ଟଙ୍କାରେ ନିଲାମ ମିଳିଯାଉଥିଲା । ଏବେ ଲିଜ୍ ନେଇଥିବା ନୂଆ ସଂସ୍ଥା ୪୫ ଲକ୍ଷ ଟଙ୍କାରେ ନିଲାମ ନେଇଛି ।