ନୂଆଦିଲ୍ଲୀ,୧୨/୦୯: ମିଛ ଖବର ଗଣତନ୍ତ୍ର ଓ ଆଇନ ବ୍ୟବସ୍ଥା ପ୍ରତି ଗମ୍ଭୀର ବିପଦ । ଏହାକୁ ରୋକିବା ଲାଗି କଠୋର ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସଂସଦୀୟ କମିଟି କହିଛି। ଏଥିସହ ଛାପା, ଡିଜିଟାଲ ଓ ବୈଦ୍ୟୁତିକ ଗଣମାଧ୍ୟମ ଲାଗି ଫ୍ୟାକ୍ଟ ଚେକିଂ ସିଷ୍ଟମ ଓ ଆନ୍ତରିକ ଲୋକପାଳ ଗଠନ ଜରୁରି ବୋଲି କହିଛି । ମିଛ ଖବର ପ୍ରସାରଣ କରୁଥିବା ସଂସ୍ଥା ଉପରେ ଜରିମାନ ବଢ଼ାଇବାକୁ ମଧ୍ୟ କମିଟି ପ୍ରସ୍ତାବ ଦେଇଛି । ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଧ୍ୟକ୍ଷତାରେ ଗଠିତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଂସଦୀୟ କମିଟି ଏହି ମର୍ମରେ ସରକାରଙ୍କୁ କେତେକ ସୁପାରିସ କରିଛି । କମିଟି ତାର ରିପୋର୍ଟ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ପ୍ରଦାନ କରିଛି । ସଂସଦର ଆଗାମୀ ଅଧିବେଶନରେ ଏହାକୁ ଉପସ୍ଥାପନ କରାଯିବ ।
ସମିତି କହିଛି ମିଛ ଖବର କେବଳ ବଜାର ନୁହେଁ, ଗଣମାଧ୍ୟମ ପ୍ରତି ମଧ୍ୟ ବିପଦ । ଆଇଟି ଆଇନର ଧାରା ୭୯ ଅନୁସାରେ ଡିଜିଟାଲ ପ୍ଲାଟଫର୍ମକୁ ବାଦ୍ ଦିଆଯିବା ଘଟଣାକୁ ନେଇ କମିଟି ଚିନ୍ତା ପ୍ରକଟ କରିଛି । କମିଟି କରିଥିବା ତାର ସୁପାରିସରେ କହିଛି ଯେ ମିଛ ଖବରର ପରିଭାଷା ସ୍ପଷ୍ଟ ହେଉ ଏବଂ ଜରିମାନା ବଢ଼ାଯାଉ । ସୀମାପାର ମିଛ ଖବରର ମୁକାବିଲା ପାଇଁ ଆନ୍ତଃ ମନ୍ତ୍ରଣାଳୟ ଟାସ୍କଫୋର୍ସ ଗଠନ କରାଯାଉ । ମିଡିଆ ସାକ୍ଷରତା ସ୍କୁଲ ପାଠ୍ୟକ୍ରମରେ ସାମିଲ ହେଉ ବୋଲି କମିଟି ସୁପାରିସ କରିଛି ।
ସେହିଭଳି ମିଛ ଖବର ପ୍ରକାଶନ ଓ ପ୍ରସାରଣ ଉପରେ ରୋକ୍ ଲଗାଇବାକୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏକ ନିରପେକ୍ଷ ପରିଚାଳନା ସଂସ୍ଥା ଗଠନ କରିବାକୁ କମିଟି ପ୍ରସ୍ତାବ ଦେଇଛି । ଏହି ସଂସ୍ଥାରେ ମନ୍ତ୍ରଣାଳୟ ଓ ଗଣମାଧ୍ୟମର ପ୍ରତିନିଧିଙ୍କୁ ସାମିଲ କରାଯାଉ । ଏଥିସହ ପ୍ରଚଳିତ ପ୍ରେସ କାଉନସିଲ ଆକ୍ଟ ୧୯୭୮ରେ ପରିବର୍ତ୍ତନ କରିବାକୁ କମିଟି ସୁପାରିସ କରିଛି । ଯେଉଁଥିରେ ପ୍ଲାଟଫର୍ମ, ସଂପାଦକ ଓ କଣ୍ଟେଣ୍ଟ ହେଡ୍ଙ୍କୁ ସମ୍ପାଦନା ଉତ୍ତରଦାୟିତ୍ୱ ସ୍ଥିର କରିବା, ସଂସ୍ଥାଗତ ବିଫଳତା ପାଇଁ ମାଲିକ ଓ ପ୍ରକାଶକଙ୍କୁ ଉତ୍ତରଦାୟୀ କରିବାକୁ କୁହାଯାଇଛି । ଏଆଇ ମାଧ୍ୟମରେ ମହିଳା ଓ ପିଲାଙ୍କ ଉପରେ ପ୍ରସ୍ତୁତ କରାଯାଉଥିବା ନକଲି କଣ୍ଟେଣ୍ଟକୁ ନେଇ ମଧ୍ୟ କମିଟି ଚିନ୍ତା ପ୍ରକଟ କରିଛି । ଏ କ୍ଷେତ୍ରରେ କଠୋର ଦଣ୍ଡ ଓ ବ୍ୟାନ୍ ଭଳି ପଦକ୍ଷେପ ନେବାକୁ କୁହାଯାଇଛି।