ନୂଆଦିଲ୍ଲୀ,୨।୧୧: ସଂସଦର ଶୀତକାଳୀନ ଅଧିବେଶନ ୨୫ ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଏହା ୨୦ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍ ଉପରେ ଚର୍ଚ୍ଚା ହେବ। ଶୀତକାଳୀନ ଅଧିବେଶନ ବେଳେ ଓ୍ବାନ-ନେସନ୍ ଓ୍ବାନ୍ ଇଲେକ୍ସନ ଓ ଓ୍ବାକଫ୍ ବିଲ୍ ଉପରେ ପ୍ରବଳ ହଙ୍ଗାମା ହେବାର ସମ୍ଭାବନା ଅଛି। ଓ୍ବାନ ନେସନ୍ ଓ୍ବାନ୍ ଇଲେକ୍ସନ ଉପରେ ରିପୋର୍ଟକୁ କ୍ୟାବିନେଟ୍ରୁ ମଞ୍ଜୁରୀ ପରେ ବିଲ୍କୁ ଶୀତକାଳୀନ ଅଧିବେଶନରେ ଆଗତ କରାଯିବ। ଉଲ୍ଲେଖନୀୟ ଯେ, ବିରୋଧି ଦଳ ଓ୍ବାନ ନେସନ୍ ଓ୍ବାନ୍ ଇଲ୍ସେନର ବିରୋଧ କରୁଛନ୍ତି ଓ ଦେଶରେ ଏକା ସାଙ୍ଗରେ ନିର୍ବାଚନ ପକ୍ଷରେ ନାହିଁ। ସମ୍ବିଧାନର ୭୫ ତମ ବର୍ଷ ଅର୍ଥାତ ୨୬ ନଭେମ୍ବରରେ ସଂସଦ ଭବନର ସେଣ୍ଟ୍ରାଲ ହଲ୍ରେ ସଂସଦର ମିଳିତ ଅଧିବେଶନ ଆରମ୍ଭ କରାଯାଇପାରେ।
ଏହାଛଡା ଓ୍ବାକଫ୍ ବିଲ୍ ଉପରେ ଗଠିତ ଜେପିସି ସଂସଦର ଶୀତକାଳୀନ ଅଧିବେଶରେ ନିଜ ରିପୋର୍ଟ ଆଗତ କରିପାରେ। ଏହାକୁ ନେଇ ହଙ୍ଗାମାର ସମ୍ଭାବନା ରହିଛି। ଉଲ୍ଲେଖନୀୟ ଯେ, ନିକଟରେ ଗୃହମନ୍ତ୍ରୀ ଅମିତ ଶାହ ଓ୍ବାକଫ୍(ସଂଶୋଧନ) ବିଲ୍ ୨୦୨୪ ଉପରେ କହିଥିଲେ, ଏହି ବିଲ୍ ସଂସଦର ଶୀତକାଳୀନ ଅଧିବେଶନ ବେଳେ ପାସ୍ କରାଯିବ।
୧୮ ତମ ଲୋକସଭାର ପ୍ରଥମ ମୌସୁମୀ ଅଧିବେଶନ ୨୨ ଜୁଲାଇରୁ ୯ ଅଗଷ୍ଟ ପର୍ଯ୍ୟନ୍ତ ଚାଲିଥିଲା। ସେତେବେଳେ ୧୨ଟି ବିଲ୍ ଆଗତ କରାଯାଇଥିଲା। ତା ମଧ୍ୟରୁ ୪ଟି ପାସ୍ ହୋଇଥିଲା। ଏଥିରେ ଆର୍ଥିକ ବିଲ୍ ୨୦୨୪, ବିନିଯୋଗ ବିଧେୟକ ୨୦୨୪, ଜମ୍ମୁ ଓ କାଶ୍ମୀର ବିନିଯୋଗ ବିଲ୍ ୨୦୨୪ ଓ ଭାରତୀୟ ବାୟୁଯାନ ବିଲ୍ ସାମିଲ ଥିଲା।