ଭୁବନେଶ୍ୱର, ୦୩/୦୩: ଖୁବଶୀଘ୍ର ଦୂର ହେବ ପାର୍ଟ ପ୍ଲଟ ଦୁଃଖ । ୫ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ପାର୍ଟ ପ୍ଲଟ  (ସବ୍‌ ପ୍ଲଟ) ହେବ କଟକଣାମୁକ୍ତ। ଏହି ଜମି  କିଣାବିକାରେ ଲାଗିବନି ରୋକ୍‌ । ଏପ୍ରିଲରୁ  ପାର୍ଟ ପ୍ଲଟ ପଞ୍ଜିକରଣ । ରାଜ୍ୟରେ ଏପ୍ରିଲରୁ ପାର୍ଟ ପ୍ଲଟ୍ ପଞ୍ଜୀକରଣ ହେବ । ରାଜସ୍ବ ବିଭାଗକୁ ଡ୍ରାଫ୍ଟ ଦେଲା ନଗର ଉନ୍ନୟନ ବିଭାଗ । ମାର୍ଚ୍ଚ ସୁଦ୍ଧା ବିଚାର ବିମର୍ଶ କରି ଏପ୍ରିଲରୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି । ଏନେଇ  ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଦେଇଛନ୍ତି।


ମନ୍ତ୍ରୀ ଆହୁରି କହିଛନ୍ତି ଯେ, ପାର୍ଟ ପ୍ଲଟ୍ ବିକ୍ରି ଓ ଆପାର୍ଟମେଣ୍ଟ ପଞ୍ଜିକରଣ ସମସ୍ୟା ଲାଗି ରହିଥିବାରୁ ରାଜସ୍ବ ହାନି ହେଉଛି। ତେଣୁ ସମସ୍ୟା ଦୂର କରିବା ପାଇଁ ରାଜସ୍ବ ବିଭାଗ ପକ୍ଷରୁ ପଦକ୍ଷପ ଗ୍ରହଣ କରାଯାଇଛି। ପ୍ଲଟିଂ ସ୍କିମ୍‌  ଓ ଆପାର୍ଟମେଣ୍ଟ ନେଇ ମଧ୍ୟ ନୂଆ ନିୟମ  ଅଣାଯିବ । ପ୍ଲଟିଂ ସ୍କିମ୍‌ ପାଇଁ ନିୟମ ଆହୁରି  କଠୋର ହେବ । ପ୍ଲଟିଂ ସ୍କିମ୍‌ରେ ଜମି/ଘର ବିକ୍ରି କରିବା ଆଗରୁ ପ୍ରଥମେ ରାସ୍ତା ପାଇଁ  ନିର୍ଦ୍ଦିଷ୍ଟ ଜାଗା ଚିହ୍ନଟ ହେବ । ଜମି ମାଲିକ ପ୍ରଥମେ ରାସ୍ତା ପାଇଁ ଚିହ୍ନଟ ଜମିକୁ ପୌର ପ୍ରଶାସନ କିମ୍ବା ବ୍ଲକ  ପ୍ରଶାସନକୁ ହସ୍ତାନ୍ତର କରିବେ । ପ୍ରଥମେ ରାସ୍ତା ତିଆରି ହେବ । ତା’ପରେ ଜମି  ମାଲିକ ପ୍ଲଟିଂ ସ୍କିମ୍‌ ଆଗେଇବା ପାଇଁ ସାର୍ଟିଫିକେଟ ପାଇବେ ।  

ସେହିଭଳି ଆପାର୍ଟମେଣ୍ଟ ପଞ୍ଜିକରଣ ଏବଂ ହସ୍ତାନ୍ତରରେ ଅନେକ ସମସ୍ୟା ରହିଛି। ତେଣୁ ବିଭିନ୍ନ ବିଭାଗ ସଚିବ ଓ ଅଧିକାରୀମାନଙ୍କ ସହିତ ତିନି ରାଉଣ୍ଡ ଆଲୋଚନା ସରିଲାଣି। ରେରା ଆଇନ ଅନୁଯାଇ ସଂଶୋଧନ ସରିଲାଣି। ଆଇନ ଆସିବା ପୂର୍ବ ଯେଉଁମାନେ ଜମି କିଣିଥିଲେ କି ବିକ୍ରି କରିଥିଲେ ସେମାନଙ୍କ ଉପରେ ଆଇନ ଲାଗୁ ହେବନାହିଁ। ଅନ୍ୟପଟେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଦିଆଯାଇଥିବା ଡ୍ରାଫ୍ଟକୁ ରାଜସ୍ବ ବିଭାଗ ପକ୍ଷରୁ ତର୍ଜମା ଚାଲିଛି। ଆବଶ୍ୟକ ଥିଲେ ଆଇନ ସଂଶୋଧନ କରାଯିବ। ଏହା ପରେ ବିଦ୍ଧିବଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ।