ଭୁବନେଶ୍ୱର ୧୩/୧୧ : ବସ୍‌ କିମ୍ବା ଘରେ ଥାଇ ସିଧା ଟିକଟ୍‌ କରି ହେବ । ଫୋନ୍‌ ପେ, ଗୁଗୁଲ ପେ ଭଳି ଆପ୍‌ରେ ଟିକଟ କରି ପାରିବେ ଯାତ୍ରୀ । ଏନେଇ କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ ଟ୍ରାନ୍‌ସପୋର୍ଟ (କ୍ରୁଟ) ଓପନ୍‌ ନେଟୱାର୍କ ଫର୍‌ ଡିଜିଟାଲ୍‌ କମର୍ସ (ଓଏନ୍‌ଡିସି) ପ୍ଲାଟଫର୍ମରେ ଡିଜିଟାଲ୍‌ ଟିକଟ୍‌ ବିକ୍ରେତା ଭାବରେ ପଞ୍ଜିକୃତ ହୋଇଛି । ମଙ୍ଗଳବାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, କ୍ରୁଟ୍‌ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଏନ୍‌. ଥିରୁମାଲା ନାୟକ, ଓଏନ୍‌ଡ଼ିସିର ଉପସଭାପତି ନିତିନ ନାୟାର ପ୍ରମୁଖଙ୍କ ଉପସ୍ଥିତିରେ ମୋ ବସ୍‌ ଅନ୍‌ଲାଇନ୍‌ ଟିକଟ୍‌ର ଶୁଭାରମ୍ଭ ହୋଇଛି। 

ପେପର୍‌ଲେସ୍‌ ଟିକଟ ପାଇଁ କ୍ରୁଟ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଏନେଇ ଆଜି ଓଏନ୍‌ଡିସି ସହିତ ଚୁକ୍ତି ହୋଇଛି । ଜଣେ ଯାତ୍ରୀ ଫୋନ୍‌ ମାଧ୍ୟମରେ ବସ ଟିକଟ କରି ପାରିବେ । ସେଠାରୁ ଟିକଟ୍‌ ଡାଉନଲୋଡ୍‌ କରିପାରିବେ । ଟିକଟର ମୂଲ୍ୟ ସିଧା ମୋ ବସ୍‌ ଆକାଉଣ୍ଟକୁ ଯିବ । ଚାଲା ମୋବିଲିଟି ପ୍ରାଇଭେଟ୍‌ ଲିମିଟେଡ୍‌ ହେଉଛି ଏହି ପ୍ଲାଟଫର୍ମର ପ୍ରଥମ କ୍ରେତା । ଏଥିରେ ଯାତ୍ରୀମାନଙ୍କୁ ଅନ୍‌ଲାଇନ୍‌ ଟିକଟ୍‌ କରିବାର ବିକଳ୍ପ ରହିଛି । ଜଣେ ସାଧାରଣ ଯାତ୍ରୀ ଯେ କୌଣସି ଓଏନ୍‌ଡିସି ଅନୁରୂପ ଆପ୍‌ ମାଧ୍ୟମରେ ମୋ ବସ୍‌ ଅନ୍‌ଲାଇନ୍‌ ଟିକେଟ୍‌ କ୍ରୟ କରିପାରିବ । 

ସେପଟେ ଖୁବ୍‌ଶୀଘ୍ର ଓଡ଼ିଶା ମୋ ଯାତ୍ରୀ ଆପ୍‌ ଲଞ୍ଚ ହେବାକୁ ଯାଉଛି । ଏଥିରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୨ ହଜାରରୁ ଅଧିକ ଅଟୋ ଓ କାର୍‌ ପଞ୍ଜିକୃତ ହୋଇସାରିଛନ୍ତି । ଓଲା, ଉବର ଭଳି ଏହି ଆପ୍‌ ମାଧ୍ୟମରେ ଜଣେ ଯାତ୍ରୀ ଗାଡି ବୁକିଂ କରି ପାରିବେ । ଖାଲି ସେତିକି ନୁହେଁ, ମୋ ବସ୍‌ରେ ଯିବାକୁ ଚାହୁଁଥିବା ଯାତ୍ରୀ ନିଜ ଘରୁ ବସି ଗୋଟିଏ ଟିକଟ ବୁକିଂ କରିବେ । ଘରୁ ଅଟୋ ନେଇ ତାଙ୍କୁ ବସ୍‌ଷ୍ଟାଣ୍ଡରେ ସଠିକ ସମୟରେ ପହଞ୍ଚାଇବ । ଏଥିପାଇଁ ଆଉ ଅଟୋ ଭଡ଼ା ଦେବାକୁ ପଡ଼ିବନାହିଁ । ଗୋଟିଏ ଟିକଟ୍‌ରେ ଅଟୋ ଓ ବସ୍‌ରେ ଯାତ୍ରା କରି ପାରିବେ । ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ଏହାର ଲୋକାର୍ପଣ କରିବେ ବୋଲି ଜଣାପଡ଼ିଛି ।