ଭୁବନେଶ୍ବର,୧୩।୧୨ : ବନ୍ଦେ ଭାରତ ଟ୍ରେନଗୁଡ଼ିକରେ ସ୍ଥାନୀୟ ଅଞ୍ଚଳର ଖାଦ୍ୟ ମିଳିବ। ଏ ନେଇ ରେଳ ଅଧିକାରୀମାନଙ୍କୁ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ଭବନରେ ଅଧିକାରୀମାନଙ୍କ ଏକ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ରେଳ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ରଭନୀତ ସିଂହ ବିଟ୍ଟୁ ଉପସ୍ଥିତ ଥିଲେ। ଏହ ଅବସରରେ କେନ୍ଦ୍ର ମନ୍ତ୍ରୀ ଅଧିକାରୀମାନଙ୍କୁ ବନ୍ଦେ ଭାରତ ଟ୍ରେନଗୁଡ଼ିକରେ ସ୍ଥାନୀୟ ଅଞ୍ଚଳର ସ୍ଥାନୀୟ ଖାଦ୍ୟ ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସ୍ଥାନୀୟ ଖାଦ୍ୟ ପ୍ରଚଳନ କରିବା ଦ୍ୱାରା ଯାତ୍ରୀ ବୃଦ୍ଧି ଘଟିବ । ଭବିଷ୍ୟତରେ ଏହି ସୁବିଧା ଧୀରେ ଧୀରେ ସମସ୍ତ ଟ୍ରେନରେ ବିସ୍ତାର କରାଯିବ ବୋଲି ସେ କହିଥିଲେ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ନକଲି ପରିଚୟ ମାଧ୍ୟମରେ ଟ୍ରେନ୍ ଟିକେଟ୍ ବୁକିଂ ଉପରେ ଭାରତୀୟ ରେଳବାଇର କଡ଼ା କାର୍ଯ୍ୟାନୁଷ୍ଠାନ ସକାରାତ୍ମକ ଫଳାଫଳ ପ୍ରଦାନ କରୁଛି। ବ୍ୟବହାରକାରୀ ପରିଚୟ ସ୍ଥାପନ ଏବଂ ନକଲି ପରିଚୟ ଚିହ୍ନଟ ପାଇଁ ଏକ କଠୋର ବ୍ୟବସ୍ଥା ପ୍ରଚଳନ ପରେ, IRCTC ୱେବସାଇଟରେ ପ୍ରତିଦିନ ପ୍ରାୟ ୫୦୦୦ ନୂତନ ବ୍ୟବହାରକାରୀ ଆଇଡି ଯୋଡାଯାଉଛି।

ଏହି ପଦକ୍ଷେପଗୁଡ଼ିକ ଭାରତୀୟ ରେଳବାଇକୁ ୩.୦୩ କୋଟି ନକଲି ଆକାଉଣ୍ଟକୁ ନିଷ୍କ୍ରିୟ କରିବାରେ ସାହାଯ୍ୟ କରିଛି। ଅନ୍ୟ ୨.୭ କୋଟି ବ୍ୟବହାରକାରୀ ଆଇଡିକୁ ଅସ୍ଥାୟୀ ଭାବରେ ନିଲମ୍ବିତ କରାଯାଇଛି । ଟିକେଟିଂ ବ୍ୟବସ୍ଥାକୁ ଏପରି ସ୍ତରକୁ ସଂସ୍କାରିତ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।