ଭୁବନେଶ୍ୱର, ୬।୧: ପତଞ୍ଜଳି ଯୋଗ ପୀଠର ୩୦ ବର୍ଷ ପୂର୍ଣ୍ଣ ହୋଇଛି । ଏହି ଅବସରରେ ସ୍ୱାମୀ ରାମଦେବ କହିଛନ୍ତି ଯେ, ଯୋଗ କ୍ରାନ୍ତି ପରେ ଏବେ ପଞ୍ଚକ୍ରାନ୍ତିର ଶଙ୍ଖନାଦ ହେବ । ସେ କହିଛନ୍ତି, ଆଗାମୀ ପାଞ୍ଚ ବର୍ଷରେ ୫ ଲକ୍ଷ ବିଦ୍ୟାଳୟକୁ ଭାରତୀୟ ଶିକ୍ଷା ବୋର୍ଡ ସହ ଯୋଡିବାକୁ ଲକ୍ଷ୍ୟ ରହିଛି । ପ୍ରଥମେ ଭାରତବର୍ଷରେ ଏବଂ ପରେ ସାରା ବିଶ୍ୱରେ ନୂଆ ଶିକ୍ଷାନୀତିର ଶଙ୍ଖନାଦ ହେବ ଏବଂ ଏହାର ନେତୃତ୍ୱ ଭାରତ ନେବ । ପିଲାମାନଙ୍କୁ କେବଳ ଶବ୍ଦବୋଧ ନୁହେଁ ଏହା ସହ ବିଷୟବୋଧ, ଆତ୍ମବୋଧ, ସତ୍ୟପରକ ଭାରତବୋଧ ଏବଂ ନିଜ ଗୌରବର ବୋଧ କରିବାକୁ ପଡ଼ିବ । 

ବିଶ୍ୱରେ ୫ ଶହ କୋଟିରୁ ଅଧିକ ଲୋକ ଯୋଗ, ଧର୍ମ, ସନାତନ ଧର୍ମରେ ଶ୍ରଦ୍ଧା ରଖୁଛନ୍ତି । ପତଞ୍ଜଳି ଯୋଗପୀଠର ମହାମନ୍ତ୍ରୀ ଆଚାର‌୍ୟ୍ୟ ବାଳକୃଷ୍ଣଙ୍କ ଉପସ୍ଥିତିରେ ପତଞ୍ଜଳି ସଂସ୍ଥାନର ୩୦ ବର୍ଷ ସ୍ଥାପନ ଦିବସ ପତଞ୍ଜଳି ୱେଲନେସ୍‌, ହରିଦ୍ୱାରସ୍ଥିତ ଯୋଗଭବନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ୱାମୀ ରାମଦେବ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଭାରତର କିଛି ସ୍ଥାନରେ ୫୦ରୁ ୯୦ ପ୍ରତିଶତ ଶିକ୍ଷିତ ଲୋକ ବେରୋଜଗାର, ନିଶାଡ଼ି ରହିଛନ୍ତି । ଯେଉଁମାନଙ୍କର ପିଲାଦିନ, ଯୁବାବସ୍ଥା, ଭବିଷ୍ୟତ ସହ ପରିବାର ମଧ୍ୟ ବିପଦରେ । ତେଣୁ ୫ ଲକ୍ଷ ବିଦ୍ୟାଳୟକୁ ଭାରତୀୟ ଶିକ୍ଷା ବୋର୍ଡ ସହ ଯୋଡ଼ିବାକୁ ଲକ୍ଷ୍ୟ ରହିଛି ।