ପୁରୀ,୧୨/୦୬: ଦେବସ୍ନାନ ପୂର୍ଣ୍ଣିମାର ନିଶାର୍ଦ୍ଧରେ ଦାରୁବ୍ରହ୍ମ ଜୟବିଜୟ ଦ୍ୱାର ଦେଇ ଅଣସର ପିଣ୍ଡିରେ ଅବସ୍ଥାନ କଲେ । କାଷ୍ଠା ସିଂହାସନରେ ମାଟି  ବାଡ଼ ଦେଇ ତାଟି ବନ୍ଧାଗଲା । ଧୁକୁଡ଼ି ଦ୍ୱାର ନାମରେ ଦଇତାପତିଙ୍କ ପ୍ରବେଶ  କ୍ଷୁଦ୍ର ଦ୍ୱାର ରହିଛି । ଏଠାରେ ମହାପ୍ରଭୁ ପ୍ରତିମା ନୁହନ୍ତି ପ୍ରତୀକାତ୍ମକ ବିଗ୍ରହ ।  ବିଶ୍ୱାବସୁଙ୍କ ବଂଶଧର ଭାବେ ଦଇତାପତି ମହାପ୍ରଭୁଙ୍କ ଆତ୍ମୀୟ । ଏଣୁ ଆଜିଠାରୁ ଆତ୍ମୀୟଙ୍କ ଦ୍ୱାରା ମହାପ୍ରଭୁଙ୍କ ଗୁପ୍ତ ସେବା ଆରମ୍ଭ ହୋଇଛି । ଏହି ସମୟରେ  ଶ୍ରୀମନ୍ଦିରରେ ପୂଜା ପଟିଦିଅଁ ପାଉଛନ୍ତି । ଏଣୁ ବୁଧବାର ବିଳମ୍ବିତ ରାତିରେ ପାରମ୍ପରିକ ଚିତ୍ରକାର ସେବକଙ୍କ ଘରୁ ପଟୁଆରରେ ଶ୍ରୀମନ୍ଦିରକୁ ପଟିଦିଅଁ  ବିଜେ ହୋଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀ ନାରାୟଣ, ଦେବୀ  ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀ ଓ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ  ବାସୁଦେବଙ୍କୁ ପଟିଦିଅଁ ରୂପେ ପୂଜା ପାଉଛନ୍ତି ।


‘ଯଥା ଦେହେ ତଥା ଦେବେ’ ନ୍ୟାୟରେ ସ୍ନାନବେଦିରେ ୧୦୮ଗରା  ଜଳ ସ୍ନାନ ପରେ ଜ୍ୱରରେ ପଡ଼ିଲେ ଠାକୁରେ । ୧୫ ଦିନର ଗୁପ୍ତ ସେବା  ପରେ ଜ୍ୱରରୁ ମୁକ୍ତି ମିଳିବ । ଜ୍ୱର ପୀଡ଼ିତଙ୍କୁ ଯେପରି ପଥି, ପାଚନ ଏବଂ  ଔଷଧର ଆବଶ୍ୟକତା ପଡ଼ିଥାଏ ଠିକ୍‌ ସେହିପରି ଶ୍ରୀବିଗ୍ରହଙ୍କ ସେବା  କରିବେ ଦଇତାପତି । ଏହି ସମୟରେ ଶ୍ରୀଜିଉ ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ।  ବିଧିମୁତାବକ ଜଗମୋହନରେ ବିଜେ ହୋଇଥିବା ପଟିଦିଅଁଙ୍କୁ ଭକ୍ତମାନେ  ଦର୍ଶନକରି ପୂଜାର୍ଚ୍ଚନା କରିଥାନ୍ତି ।

ଶ୍ରୀ ଅନନ୍ତ ବାସୁଦେବଙ୍କ ସମ୍ମୁଖରେ ଶ୍ରୀରାମକୃଷ୍ଣ  ଓ ଶ୍ରୀନୃସିଂହଙ୍କ ପ୍ରତିମୂର୍ତ୍ତି, ଶ୍ରୀ ନାରାୟଣଙ୍କ ସମ୍ମୁଖରେ ମଦନମୋହନ ଓ  ଦୋଳଗୋବିନ୍ଦ ଓ ମା’ଭୁବନେଶ୍ୱରୀଙ୍କ ସମ୍ମୁଖରେ ଭୂଦେବୀ ଓ ଶ୍ରୀଦେବୀ  ଅଧିଷ୍ଠିତ ହୋଇଥାନ୍ତି । ନୀତି ମୁତାବକ ସେବକମାନେ ପୂର୍ବଭଳି ପଟିଦିଅଁ ତଥା ଦଶଅବତାରଙ୍କ ପୂଜାର୍ଚ୍ଚନା ଜାରି ରହିବ । ଏପଟେ ଜୟବିଜୟ ଦ୍ୱାର ବନ୍ଦ ହେଲେ  ଦଇତାପତିମାନେ ସାମୂହିକ ଭାବେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସେବା ପୂଜା କରିବେ ।  ଗୁରୁବାରଠାରୁ ବ୍ରହ୍ମଗିରିସ୍ଥିତ ଅଲାରନାଥଙ୍କୁ ଦର୍ଶନ କରିବାର ବିଧି ରହିଛି ।