ସମୟ ସହିତ ତାଳଦେଇ  ଏବେ ପୁଣି ଯୁଗ ବଦଳୁଛି ।  ଶିଳାଲିପିର ଯୁଗ ବା ପ୍ରସ୍ତର ଯୁଗ  କେବେଠୁ ଧରାପୃଷ୍ଠରୁ ବିଦାୟ  ନେଲାଣି । ସେତେବେଳେ  ପୃଥିବୀପୃଷ୍ଠର ଲୋକସଂଖ୍ୟା ମାତ୍ର  ପଚାଶରୁ ଷାଠିଏ ଲକ୍ଷ ମଧ୍ୟରେ  ସୀମିତ ଥିଲା ବୋଲି ଅନୁମାନ  କରାଯାଏ । ଏହା ବ୍ୟତୀତ  ଗୋଟିଏ ବର୍ଗମାଇଲ୍‌ ସ୍ଥାନ  ମଧ୍ୟରେ ମାତ୍ର ଏକରୁ ଚାରିଜଣ  ଲୋକ ଚଳପ୍ରଚଳ କରୁଥିଲେ।

ଈଶ୍ୱରଙ୍କ ଦାନ ସଦୃଶ ବିଶ୍ୱବ୍ରହ୍ମାଣ୍ଡର ଏକମାତ୍ର  ଜୀବନ୍ତ ଗ୍ରହର ମାନ୍ୟତା ଲାଭ କରିଥିବା ପୃଥିବୀ  ପୃଷ୍ଠରେ ଅନେକ ବିବର୍ତ୍ତନ ପ୍ରକ୍ରିୟା ଅନବରତ ଚାଲିଛି ।  "ପ୍ରତ୍ୟେକ କ୍ରିୟାର ସମାନ ଏବଂ ବିପରୀତ ପ୍ରତିକ୍ରିୟା  ଅଛି' ନିଉଟନଙ୍କର ଏହି ତତ୍ତ୍ୱକୁ ଆଜିଯାଏଁ କେହି  ବିରୋଧ କରିପାରିନାହାନ୍ତି । ବରଂ ପଦାର୍ଥବିଜ୍ଞାନର  ଏହି ତଥ୍ୟ ସର୍ବଜନବିଦିତ ହୋଇଯାଇଛି । ଏହିଭଳି  ଅନେକ ତଥ୍ୟଭିତ୍ତିକ ଉକ୍ତି ବୈଜ୍ଞାନିକମାନଙ୍କ ସହିତ  ସମାଜ ସଂସ୍କାରକମାନଙ୍କର ଗଭୀର ଚିନ୍ତାର ଫଳସ୍ୱରୂପ  ଜନ୍ମ ନେଉଥିବା ଚିନ୍ତାଧାରା ବା ବାକ୍ୟାବଳୀ ଆମର ଜୀବନ ଧାରାକୁ ସୁନ୍ଦର ତଥା ମାର୍ଜିତ କରିବା ପାଇଁ  ସତେଯେପରି ଜନ୍ମ ନେଇଛି । ସେ ଯାହାହେଉ ନା  କାହିଁକି, ବିଭିନ୍ନ ଧର୍ମାବଲମ୍ବୀଙ୍କ ପାଇଁ ଧର୍ମଗୁରୁମାନେ  ଭିନ୍ନ ଭିନ୍ନ ଗଳ୍ପ, କବିତା ମାଧ୍ୟମରେ ହେଉ ବା ନିଜେ  ନିଜର ଜୀବନଚର୍ଯ୍ୟାକୁ ମାର୍ଜିତ କରି ଭକ୍ତଙ୍କ ସମ୍ମୁଖରେ  ଉପସ୍ଥାପନ କରିବାର ଶୈଳୀ ଯୋଗୁଁ ହେଉ, ସେମାନେ  ସାଧାରଣ ଲୋକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିଥାଆନ୍ତି ।  ମାତ୍ର ଉକ୍ତ କଳା ସମସ୍ତଙ୍କ ପାଖରେ ନଥାଏ ।

 ଯେଉଁମାନେ ନିଜର ବ୍ୟକ୍ତିତ୍ୱକୁ ମାର୍ଜିତ  କରିପାରନ୍ତି ସେମାନେ ଯୋଗଜନ୍ମା ହୋଇ ବେଶ୍‌  କିଛି କାଳ ପାଇଁ ଜନମାନସରେ ଅମରତ୍ୱ ଲାଭ  କରିପାରନ୍ତି । ସେଠାରେ ଯୁଦ୍ଧ କିମ୍ବା ରକ୍ତପାତର  ସମ୍ଭାବନା ନଥାଏ । କେବଳ ଶାନ୍ତି ପାଇଁ ସେମାନଙ୍କର  ଆବିର୍ଭାବ ହୋଇଥାଏ ବୋଲି କୁହାଯାଇପାରେ ।  ଏମାନଙ୍କ ସହିତ ଅନେକବାର ଯୋଗ୍ୟତମର  ଉଦ୍‌ବର୍ତ୍ତନ ଯୋଗୁଁ ଶେଷରେ ଜନ୍ମଲାଭ କରିଥିବା  ପୃଥିବୀର ଶ୍ରେଷ୍ଠ ପ୍ରାଣୀ ମଣିଷ ନିଜର ଶ୍ରେଷ୍ଠତ୍ୱକୁ ବଜାୟ  ରଖିବା ପାଇଁ ଅନେକବାର ବିଭିନ୍ନ ପରୀକ୍ଷା ନିରୀକ୍ଷା  କରିଛି । ସେ ପରୀକ୍ଷା ବିଜ୍ଞାନାଗାରରେ ହେଉ କିମ୍ବା  ସାମାଜିକ କ୍ଷେତ୍ରରେ ହେଉ, ନଚେତ୍‌ ଯୁଦ୍ଧ କ୍ଷେତ୍ରରେ  ହେଉ, ଅନେକଙ୍କ ମଧ୍ୟରେ ଶ୍ରେଷ୍ଠ ହେବାର ଲାଳସାରେ  ଏବେ ଶ୍ରେଷ୍ଠ ପ୍ରାଣୀ ମଣିଷଙ୍କ ସଂଖ୍ୟା ଏହି ବର୍ଷ  ଅକ୍ଟୋବର ମାସର ଜନଗଣନା ଅନୁସାରେ ଆଠଶହ  କୋଡ଼ିଏ କୋଟିକୁ ପାର କରିସାରିଲାଣି । କେବଳ ମଣିଷ  ଜାତିର ସୁରକ୍ଷିତ ଜୀବନଶୈଳୀ ପାଇଁ କୃଷିଠାରୁ ଆରମ୍ଭ  କରି ଆରାମଦାୟକ ବାସସ୍ଥାନ, ପଶୁପାଳନ ସହିତ  ଜଙ୍ଗଲ ସମ୍ପଦର ଅବକ୍ଷୟ, ଖଣିଜ ସମ୍ପଦର ବହୁଳ  ବ୍ୟବହାର ବ୍ୟତୀତ ଚିକିତ୍ସା ଶାସ୍ତ୍ରରେ ଅନେକ ଗବେଷଣା  ଏବେ ମାନବ ଜାତିକୁ ଦୀର୍ଘାୟୁ କରିଛି ତାହା ନୁହେଁ,  ବରଂ ନିଜ ନିଜ ମଧ୍ୟରେ ଲଢ଼େଇ କରିବାପାଇଁ ଯୁଦ୍ଧ  ସରଞ୍ଜାମକୁ ପ୍ରୟୋଗ କରୁ କରୁ କେତେ ଯେ ନିରୀହ  ବ୍ୟକ୍ତି ପ୍ରାଣ ହରାଉଛନ୍ତି, ତାହାର ସଠିକ୍‌ ଆକଳନ  କରିବାକୁ ଏବେ ଭୟ ଲାଗୁଛି । କେବଳ ମୃତାହତଙ୍କ  ସଂଖ୍ୟାକୁ ଗଣିଦେଲା ପରେ ଯୁଦ୍ଧଜନିତ ବିପର୍ଯ୍ୟୟର  ସଠିକ୍‌ ଆକଳନ ହୋଇପାରୁନାହିଁ । 

ଜନସାଧାରଣଙ୍କର  କର ଦ୍ୱାରା ନିର୍ମିତ ସ୍ଥାବର ଅବସ୍ଥାବର ସମ୍ପତ୍ତି ମଧ୍ୟରେ  ଥିବା କୋଠାବାଡ଼ି, ରାସ୍ତାଘାଟ, ପୋଲ, ବନ୍ଦର ଭଳି  ନିର୍ମାଣ କିଭଳି ଆଖି ପିଛୁଳାକେ ମାଟିରେ ମିଶିଯାଉଛି,  ତାହାକୁ ଭରଣା କରିବା ଯେତିକି ବ୍ୟୟସାପେକ୍ଷ,  ତଦ୍‌ଜନିତ ପ୍ରଦୂଷକର ପ୍ରଭାବରୁ ପୃଥିବୀର ଜଳବାୟୁକୁ  ସୁରକ୍ଷିତ ରଖିବା ଅସମ୍ଭବ ବୋଲି ମନେହୁଏ । ପ୍ରଦୂଷକର ପ୍ରଭାବରେ ଅକାରଣରେ ପ୍ରାଣ  ହରାଉଥିବା ନିରୀହ ପଶୁପକ୍ଷୀ, ଉଦ୍ଭିଦରାଜିଙ୍କର  ବିନାଶକୁ ଆଦୌ ପ୍ରାଧାନ୍ୟ ଦିଆନଯାଇ ସଭ୍ୟ  ମାନବ ନିଜ ନିଜ ମଧ୍ୟରେ ଲଢ଼ି ଚାଲିଛନ୍ତି, ଯାହାକୁ  ଆଗାମୀ ପିଢ଼ିମାନେ ପୂର୍ବଜମାନଙ୍କର ଏହି ଔଦ୍ଧତ୍ୟକୁ  ଅକ୍ଷମଣୀୟ ଅପରାଧ ମଣି ସମ୍ମାନ ଦେବା ବଦଳରେ  ପରିହାସ କରିବାକୁ ଆଦୌ ପଛାଇବେ ନାହିଁ । କାରଣ,  କ୍ଷଣିକ ଉଦ୍ଦାମତା ବା କ୍ଷମତାଲିପ୍ସା କେତେ ଯେ କ୍ଷତି  ପହଞ୍ଚାଇଥାଏ ତାହାକୁ ଚିନ୍ତା ନକରି ଆଗକୁ ମାଡ଼ିଯିବା  ବା ଧ୍ୱଂସଲୀଳାକୁ ପ୍ରସାର କରି ପରସ୍ପର ମଧ୍ୟରେ  ଲଢ଼ିବାର ମନୋଭାବ କିଛି ନିର୍ଦ୍ଦିଷ୍ଟକୁ ହାସଲ କରିବାରେ  ସଫଳ ହୋଇଥାଏ, ମାତ୍ର ତାହା ପରୋକ୍ଷରେ ଅନେକ  ଅପୂରଣୀୟ କ୍ଷତିକୁ ବିଶ୍ୱବାସୀଙ୍କ ଉପରେ ଲଦିଦେଇ  ସମୟ ଚାଲିଯାଏ । ସମୟ ସହିତ ତାଳଦେଇ ଏବେ ପୁଣି ଯୁଗ  ବଦଳୁଛି । ଶିଳାଲିପିର ଯୁଗ ବା ପ୍ରସ୍ତର ଯୁଗ କେବେଠୁ  ଧରାପୃଷ୍ଠରୁ ବିଦାୟ ନେଲାଣି । ସେତେବେଳେ  ପୃଥିବୀପୃଷ୍ଠର ଲୋକସଂଖ୍ୟା ମାତ୍ର ପଚାଶରୁ ଷାଠିଏ  ଲକ୍ଷ ମଧ୍ୟରେ ସୀମିତ ଥିଲା ବୋଲି ଅନୁମାନ କରାଯାଏ ।  ଏହା ବ୍ୟତୀତ ଗୋଟିଏ ବର୍ଗମାଇଲ୍‌ ସ୍ଥାନ ମଧ୍ୟରେ  ମାତ୍ର ଏକରୁ ଚାରିଜଣ ଲୋକ ଚଳପ୍ରଚଳ କରୁଥିଲେ ।  

ସେହି ସମୟରେ ଭିତ୍ତିଭୂମିର ବିକାଶ ହୋଇନଥିଲା ।  କୃଷିକାର୍ଯ୍ୟ, ଜଳସେଚନ, ପରିବହନ, ଯୋଗାଯୋଗ  ଉପରେ କିନ୍ତୁ ଗବେଷଣା ଆରମ୍ଭ ହୋଇଯାଇଥିଲା । ତା'  ସହିତ ଆରମ୍ଭ ହୋଇଥିଲା ନିଜର ଭୋଗବିଳାସ ପାଇଁ  ପରସ୍ପର ମଧ୍ୟରେ ଲଢ଼ିବାର ଇଚ୍ଛା । ଉଦ୍ଦେଶ୍ୟ ସେହି  ଗୋଟିଏ, ନିଜକୁ ସର୍ବଶକ୍ତିମାନ ବୋଲି ସର୍ବସାଧାରଣରେ  ପ୍ରତିଷ୍ଠା କରିବା । ଏପରି କଲେ ଅନେକ ପ୍ରଶଂସକଙ୍କ  ସହିତ ମାଗଣାରେ ସେବା ଯୋଗାଇ ଦେବାର ଇଚ୍ଛାରଖି  ଅନେକ ଚାଟୁକାର ସକାଳୁ ସନ୍ଧ୍ୟାଯାଏଁ ସେମାନଙ୍କର  ସ୍ତୁତି ଗାନ କରିବେ । ସେ ଯାହାହେଉନା କାହିଁକି, ଶ୍ରେଷ୍ଠ  ଜୀବ ମଣିଷ ପାଖରେ ଶ୍ରେଷ୍ଠତ୍ୱ ବା ମଣିଷପଣିଆ  ଯେତିକି ରହିଛି, ତା'ଠାରୁ ଅଧିକ ହିଂସ୍ର ପ୍ରକୃତି  ଶୁପ୍ତ ଅବସ୍ଥାରେ ଲୁଚିକରି ରହିଛି ବୋଲି ଜିନୀୟ  ବିଜ୍ଞାନୀମାନେ ଜିନ୍‌ର ଅନୁଧ୍ୟାନ କରି ଏହାକୁ ସ୍ପଷ୍ଟ  କରିଛନ୍ତି । ଅର୍ଥାତ୍‌ ପୃଥିବୀପୃଷ୍ଠରେ ବସବାସ କରୁଥିବା  ହିଂସ୍ର ଜୀବଙ୍କ ମଧ୍ୟରେ ମଣିଷ ଏକ ଶ୍ରେଷ୍ଠ ହିଂସ୍ର ଜୀବ  ବୋଲି ଆମ ଆଗରେ ବାରମ୍ବାର ପ୍ରତିପାଦିତ ହେଉଛି ।  ମାତ୍ର ଖୁସିର କଥା ହେଉ କିମ୍ବା ଭାଗ୍ୟର କଥା ହେଉ,  ହିଂସାତ୍ମକ ଘଟଣାବଳୀ ସହିତ ଭୂପୃଷ୍ଠରେ ବିଭିନ୍ନ ଧର୍ମର  ଉତ୍ପତ୍ତି କେତେକାଂଶରେ ମଣିଷଙ୍କୁ ମଣିଷପଣିଆ ପ୍ରଦାନ  କରି ମନୁଷ୍ୟତ୍ୱର ବିକାଶ କରିପାରିଛନ୍ତି । ସେମାନଙ୍କର  ଅସୀମ କୃପାରୁ ଯୁଦ୍ଧର ବିଭୀଷିକା ମଧ୍ୟରେ ବିଶ୍ୱଶାନ୍ତି  କଥା ଆଲୋଚନାକୁ ଆସୁଛି ବା ଚିନ୍ତା କରାଯାଇପାରୁଛି ।  

ମାନବ ସମାଜର ହିତକୁ ଆଖିଆଗରେ ରଖି ବିକଶିତ  ଦେଶଗୁଡ଼ିକର ବହୁତଳ ପ୍ରାସାଦ ସହିତ ରାସ୍ତାଘାଟ,  ପରିଷ୍କାର ପରିଚ୍ଛନ୍ନତା, ଆମୋଦ ପ୍ରମୋଦର ତରିକା,  ବିକାଶଶୀଳ ଦେଶମାନଙ୍କୁ ମନ୍ତ୍ରମୁଗ୍‌ଧ କରୁଛି ।  ସେମାନେ ମଧ୍ୟ ନିଜ ଦେଶକୁ ଗଢ଼ିବାକୁ ଅଥବା  ସୁନ୍ଦରପ୍ରଦ କରିବାକୁ ପ୍ରତିଜ୍ଞାବଦ୍ଧ ହୋଇପଡୁଛନ୍ତି । ଏତେ ଉନ୍ନତ ଚିନ୍ତାଧାରା ସତ୍ତେ୍ୱ ପୁଣି କାହିଁକି ଯୁଦ୍ଧର  କଳାବାଦଲ ଘନେଇ ଆସୁଛି? ଏଭଳି ପ୍ରଶ୍ନର ଉତ୍ତରକୁ  ଖୋଜିବାକୁ ଯାଇ ଇତିହାସର ପୃଷ୍ଠାକୁ ଅନୁଧ୍ୟାନ କଲେ  ମନ ଭାରାକ୍ରାନ୍ତ ହୋଇଉଠେ । ଇତିହାସରୁ ଜଣାଯାଏ  ଯେ, ଅତୀତରେ ସବୁଠାରୁ ଦୀର୍ଘବର୍ଷ ଅର୍ଥାତ୍‌ ସାତଶହ  ଏକାଅଶୀ ବର୍ଷ ଧରି ଯୁଦ୍ଧରେ ଲିପ୍ତ ଥିବା ଦେଶ,  ଲିବେଷ୍ଟିଆ ସହିତ ରିମେନ୍‌କ୍ୱିଷ୍ଟା ମଧ୍ୟରେ ହୋଇଥିଲା ।  ରୋମାନ୍‌ ଏବଂ ଜର୍ମାନୀ ମଧ୍ୟରେ ସାତଶହ ଆଠବର୍ଷ,  ଆଙ୍ଗୋଲା ଏବଂ ଫ୍ରାନ୍‌ସ ମଧ୍ୟରେ ସାତଶହ ଛଅବର୍ଷ,  ରୋମ୍‌ ଏବଂ ପ୍ୟାରିସ୍‌ ମଧ୍ୟରେ ପ୍ରାୟ ଛଅଶହ ବର୍ଷ  ଧରି ଯୁଦ୍ଧ ଚାଲିଥିଲା ଏବଂ ଏଥିରେ ପୃଥିବୀର ଶତକଡ଼ା  ଦଶଭାଗରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ ।  ସେହିଭଳି ବିଂଶ ଶତାବ୍ଦୀରେ ସଂଗଠିତ ହୋଇଥିବା  ଦୁଇଟି ମୁଖ୍ୟ ଯୁଦ୍ଧ ମଧ୍ୟରେ ପ୍ରଥମ ବିଶ୍ୱଯୁଦ୍ଧ ଊଣେଇଶି  ଶହ ଚଉଦ ମସିହାରୁ ଆରମ୍ଭ ହୋଇ ଉଣେଇଶି ଶହ  ଅଠର ମସିହାଯାଏଁ ଚାଲିଥିଲାବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ  ଉଣେଇଶି ଶହ ଅଣଚାଳିଶି ମସିହାରୁ ଆରମ୍ଭ ହୋଇ  ଉଣେଇଶି ଶହ ପଇଁଚାଳିଶି ମସିହାଯାଏଁ ଚାଲିଥିଲା ।  

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପରମାଣୁ ବୋମାର ଭୟାବହତା  ସହ ରାସାୟନିକ ଯୁଦ୍ଧାସ୍ତ୍ରର ପ୍ରୟୋଗ ଏବଂ ତା'ର  କଷ୍ଟଦାୟକ ପ୍ରଭାବକୁ ପୃଥିବୀବାସୀ ଭୁଲି ନାହାନ୍ତି ।  ତଥାପି ସେଗୁଡ଼ିକଠାରୁ ଆହୁରି ଶକ୍ତିଶାଳୀ ଯୁଦ୍ଧାସ୍ତ୍ରର  ପ୍ରସ୍ତୁତି ଚାଲିଛି । ଶୁଣାଯାଏ ରୁଷିଆ ନିକଟରେ ଗଚ୍ଛିତ  ଥିବା ପରମାଣୁ ଅସ୍ତ୍ର ତିରିଶି ଥର ସମଗ୍ର ପୃଥିବୀକୁ  ଧ୍ୱଂସ କରିଦେବାର କ୍ଷମତା ରଖିଛି । ସେଥିପାଇଁ ଯୁଦ୍ଧ  ମଧ୍ୟ ସମତାଳରେ ଆଗେଇ ଚାଲିଛି । ଐତିହାସିକମାନେ  ସେମାନଙ୍କର ତଥ୍ୟକୁ ବାରମ୍ବାର ଉପସ୍ଥାପନା କରି  ପୃଥିବୀରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି  ରଖିଛନ୍ତି । ସେମାନଙ୍କ ଦ୍ୱାରା ପ୍ରସ୍ତୁତ ତଥ୍ୟ ଅନୁସାରେ,  ପୃଥିବୀପୃଷ୍ଠର ଶ୍ରେଷ୍ଠ ମାନବଙ୍କ ମଧ୍ୟରେ ଆଜିଯାଏ  ପ୍ରାୟ ଦୁଇଶହ ଷାଠିଏରୁ ଅଧିକ ଥର ଘୋଷିତ ଯୁଦ୍ଧ  ହୋଇସାରିଥିବା ବେଳେ ତିନିଲକ୍ଷରୁ ଅଧିକ ଅଘୋଷିତ  ଯୁଦ୍ଧ ହୋଇସାରିଛି । ଯାହାର ଫଳସ୍ୱରୂପ ଭୂପୃଷ୍ଠରୁ  ପ୍ରାୟ ଅଠରକୋଟି ତିରିଶିଲକ୍ଷ ନିରୀହ ଜନତା ପ୍ରାଣ  ହରାଇଛନ୍ତି । ଖଣ୍ଡିଆ ଖାବରା ହୋଇ ଅସହ୍ୟ ଯନ୍ତ୍ରଣା  ଭୋଗିଥିବା ଲୋକଙ୍କ ସଂଖ୍ୟା ଆହୁରି ଅଧିକ । 

ଯୁଦ୍ଧର ଏହିଭଳି ଭୟାବହତା ସମ୍ବନ୍ଧରେ ଶୁଣିବାପାଇଁ  ଆଗକାଳର ସାଧାରଣ ଜନତାଙ୍କ ପାଖରେ ରେଡିଓ ଖଣ୍ଡେ  ନଥିବାବେଳେ ଏବେ ଟି.ଭି.ର ଉପସ୍ଥିତି ଇଣ୍ଟରନେଟ୍‌ର  ପ୍ରଚଳନ ପ୍ରତି ପରିବାରକୁ ପୃଥିବୀ ପୃଷ୍ଠରେ ଘଟୁଥିବା  ମୁଖ୍ୟ ଖବର ସହିତ ଯୋଡ଼ି ଦେଇପାରୁଛି । ଫଳରେ  ସଚେତନ ନାଗରିକମାନେ ଜାଣିପାରୁଛନ୍ତି ଯେ ଋଷିଆ  ଏବଂ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଏବେ ସୁଦ୍ଧା  ପ୍ରାୟ ଏକଲକ୍ଷ ଷାଠିଏହଜାରରୁ ଊଦ୍ଧ୍ୱର୍ ଲୋକ ପ୍ରାଣ  ହରାଇ ସାରିଲେଣି । ଦୁଇଲକ୍ଷ ତେଷଠିହଜାର ଖଣ୍ଡିଆ  ଖାବରା ହୋଇ ମୃତ୍ୟୁମୁଖରେ ପଡ଼ିଛନ୍ତି । ସେହିଭଳି  ପାଲେଷ୍ଟାଇନ୍‌ ଏବଂ ଇସ୍ରାଏଲ୍‌ ମଧ୍ୟରେ ଚାଲିଥିବା  ଯୁଦ୍ଧରେ ଇସ୍ରାଏଲ୍‌ର ଦୁଇହଜାର ଲୋକ ମୃତ୍ୟୁମୁଖରେ  ପଡ଼ିଥିବାବେଳେ ପାଲେଷ୍ଟାଇନ୍‌ରେ ପ୍ରାୟ ତେୟାଳିଶି  ହଜାରରୁ ଊଦ୍ଧ୍ୱର୍ ଲୋକ ପ୍ରାଣ ହରାଇ ସାରିଲେଣି ।  ତଥାପି ଯୁଦ୍ଧର ଅନ୍ତ ନାହିଁ । ଯୁଦ୍ଧର ଭୟଙ୍କର ପରିସ୍ଥିତି  ଆଖିକୁ ଦେଖାଯାଉଥିଲେ ମଧ୍ୟ ଉକ୍ତ ଦେଶଗୁଡ଼ିକର  ଆର୍ଥିକ ସ୍ଥିତିକୁ ସମୀକ୍ଷା କରାଯାଇ ତାହାର ଦୁରବସ୍ଥାକୁ  ସର୍ବସାଧାରଣରେ ପ୍ରକାଶ କରିବାର ପ୍ରକ୍ରିୟା ତୁଳନାତ୍ମକ  ଭାବରେ ଧୀର ହୋଇଯାଉଛି । ଆମେ ଚେତିବା ଏବଂ  ଚେତାଇବା ଯେ, ଶାନ୍ତି ଯୁଦ୍ଧରେ ନୁହେଁ ସୌହାର୍ଦ୍ଦ୍ୟରେ  ମିଳିଥାଏ । ମନୁଷ୍ୟତ୍ୱକୁ ଲାଭ କରିବାକୁ ହେଲେ ପ୍ରଚଣ୍ଡ  ଇଚ୍ଛାଶକ୍ତିର ଆବଶ୍ୟକ ହୋଇଥାଏ ।