ନୂଆଦିଲ୍ଲୀ ୦୬/୧୦: ଏକ ସଦ୍ୟ ଆଶ୍ଚର୍ଯ୍ୟଜନକ ଘଟଣା ବୈଜ୍ଞାନିକଙ୍କୁ  ଚକିତ କରିଛି । କୁମାଉଁ ହିମାଳୟରେ ବାଗେଶ୍ୱର  ସ୍ଥିତ ପାର୍ବତ୍ୟାଞ୍ଚଳରେ ଏକ ମୟୂର ଦେଖିବାକୁ ମିଳିଛି । ଏହା ଏକ ବିରଳ ଘଟଣା । କାରଣ ମୟୂର ସାଧାରଣତଃ ସମତଳ ଜଙ୍ଗଲ ଓ ଉଷ୍ଣ ପଡ଼ିଆରେ ବିଚରଣ କରନ୍ତି । ଅତ୍ୟଧିକ ଉଚ୍ଚ ସ୍ଥାନରେ ଏମାନଙ୍କ ଉପସ୍ଥିତି ସ୍ୱାଭାବିକ ଘଟଣା ନୁହେଁ । ତେଣୁ ଏହା ବନ୍ୟଜୀବ ବିଶେଷଜ୍ଞଙ୍କ ଚିନ୍ତା ବଢ଼ାଇଛି । 

ବିଶେଷଜ୍ଞଙ୍କ ଅନୁସାରେ, ମୟୂର ସାଧାରଣତଃ ସମୁଦ୍ର ପତ୍ତନଠୁ ୧,୬୦୦ ଫୁଟ ଉପରେ ବାସ  କରନ୍ତି । ତେବେ, ଏହି ପକ୍ଷୀ ବାଗେଶ୍ୱର ନିକଟସ୍ଥ  ଏକ ଜଙ୍ଗଲରେ ଚିହ୍ନଟ ହୋଇଛି, ଯାହା ସମୁଦ୍ର ପତ୍ତନଠୁ ପ୍ରାୟ ୬,୫୦୦ ଫୁଟ ଉଚ୍ଚରେ ଅବସ୍ଥିତ । ଏଭଳି ଉଚ୍ଚତାରେ ମୟୂର କାହିଁକି ପ୍ରବେଶ  କଲା, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଏବଂ  ପରବର୍ତ୍ତୀ ଯାଞ୍ଚ୍‌ ଓ ଅଧ୍ୟୟନକୁ ଆହ୍ୱାନ ଦେଇଛି ।  ସ୍ଥାନୀୟ ବାସିନ୍ଦାମାନେ ପ୍ରଥମେ ମୟୂରକୁ  କାଫ୍ଲିଗେରଠାରେ ଦେଖିବାକୁ ପାଇଥିଲେ, ଯାହା  ସମୁଦ୍ର ପତ୍ତନଠୁ ୫,୨୦୦ ଫୁଟ ଉଚ୍ଚ ବାଗେଶ୍ୱରଠୁ ୩୦ କିମି ଦୂରରେ ଅବସ୍ଥିତ । ଜଙ୍ଗଲ ବିଭାଗ  ମୟୂରର ଉପସ୍ଥିତି ଉପରେ ଅଧିକ ତଥ୍ୟ ସଂଗ୍ରହ  କରିବା ପାଇଁ ତା’ ଉପରେ ନଜର ରଖିବାକୁ ଉକ୍ତ  କ୍ଷେତ୍ରରେ କ୍ୟାମେରା ଲଗାଇଛି । 

ମୟୂରଟି ନିଜ ସମୂହରୁ ଅଲଗା ହୋଇଯାଇଛି  ଅଥବା ଏକ ବ୍ୟାପକ ପରିବେଶ ସମ୍ପର୍କିତ ଘଟଣାର  ଶିକାର ହୋଇଛି, ଯାହା ଜଳବାୟୁ ପରିବର୍ତ୍ତନ ସହ  ସଂଶ୍ଳିଷ୍ଟ ହୋଇପାରେ । ତାକୁ ନେଇ ବନ୍ୟଜୀବ  ବିଶେଷଜ୍ଞମାନେ ଯାଞ୍ଚ୍‌ ଚଳାଇଛନ୍ତି । ପ୍ରାଣୀଙ୍କ  ପ୍ରବାସ ଓ ବାସସ୍ଥଳୀ ପ୍ୟାଟର୍ନକୁ ସର୍ବଦା ଏକ  ବୃହତ ପାରିପାର୍ଶ୍ବିକ ପରିବର୍ତ୍ତନର ସଙ୍କେତ ରୂପେ  ଦେଖାଯାଏ । ଏଭଳି ଉଚ୍ଚତାରେ ମୟୂର ଦେଖାଯିବା  ଏକ ଚେତାବନୀର ସଙ୍କେତ ହୋଇପାରେ ବୋଲି  ସେମାନେ ଆଶଙ୍କା କରୁଛନ୍ତି । 

ଦେହରାଦୁନ ସ୍ଥିତ ଭାରତୀୟ ବନ୍ୟଜୀବ  ପ୍ରତିଷ୍ଠାନର ବୈଜ୍ଞାନିକ ବି ଏସ୍‌ ଅଧିକାରୀ ଏହି  ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ  କହିଛନ୍ତି ‘ଏହା ନିଃସନ୍ଦେହ ଏକ ଅସ୍ୱାଭାବିକ  ଘଟଣା । ମୟୂରମାନେ ତଳିଆ କ୍ଷେତ୍ରରେ  ପଡ଼ିଆ ଓ ଜଙ୍ଗଲମାନଙ୍କରେ ବିଚରଣ କରନ୍ତି। ପାର୍ବତ୍ୟାଞ୍ଚଳରେ ସେମାନଙ୍କ ଉପସ୍ଥିତି ଜଳବାୟୁ  କିମ୍ବା ପରିବେଶଗତ ପରିବର୍ତ୍ତନକୁ ଇଙ୍ଗିତ  କରୁଥାଇପାରେ । ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ୍‌ ଆବଶ୍ୟକ ।’ 

ବାଗେଶ୍ୱର ଜଙ୍ଗଲ ବିଭାଗର ରେଞ୍ଜର ଶ୍ୟାମ ସିଂହ  କରାୟତ କହିଛନ୍ତି, ପରିବର୍ତ୍ତିତ ଜଳବାୟୁ ପ୍ୟାଟର୍ନ  ଓ ବାସସ୍ଥଳୀ ପରିବର୍ତ୍ତନ ଜୀବଜନ୍ତୁଙ୍କୁ ନୂଆ ସ୍ଥାନ  ଅନ୍ୱେଷଣ ଲାଗି ବାଧ୍ୟ କରୁଥାଇପାରେ । ଏହି  କାରଣରୁ ସେମାନେ ବୋଧହୁଏ ଅନ୍ୟତ୍ର ବାସସ୍ଥଳୀ  ଖୋଜିବା ଆରମ୍ଭ କରୁଛନ୍ତି । ବୋଧହୁଏ ସେଥିପାଇଁ  ମୟୂରଟି ଖାଦ୍ୟ କିମ୍ବା ପାଣି ଅନ୍ୱେଷଣରେ ଉଚ୍ଚ  ସ୍ଥାନକୁ ଚାଲିଆସିଛି ।’ ପାର୍ବତ୍ୟାଞ୍ଚଳରେ ମୟୂରର  ଉପସ୍ଥିତି ପରିବେଶଗତ କାରକଗୁଡ଼ିକ ଯୋଗୁ  ବନ୍ୟଜୀବଙ୍କ ବ୍ୟବହାରରେ ପରିବର୍ତ୍ତନ ଉପରେ  ଆଲୋକପାତ କରିଛି ।