ପୁରୀ,୧୬/୧୧: ସମୁଦ୍ର କୂଳ ଥାନା ଅଧୀନ ପେଣ୍ଠକଟା ଫାଣ୍ଡିରେ ନିଶାସେବନ କରିବା ମହଙ୍ଗା ପଡ଼ିଲା । ଫସିଲେ ପୁଲିସ  ଅଧିକାରୀ ଓ କର୍ମଚାରୀ । ଜଣେ ଏଏସ୍‌ଆଇଙ୍କ ସହ ହାବିଲ୍‌ଦାର୍‌ ଓ କନ୍‌ଷ୍ଟେବଲଙ୍କୁ ନିଲମ୍ବନ  କରିଛନ୍ତି ଏସ୍‌ପି ବିନୀତ ଅଗ୍ରୱାଲ୍‌ । ନିଲମ୍ବିତ ପୁଲିସ ଅଧିକାରୀ ଓ କର୍ମଚାରୀ ହେଲେ  ଏଏସ୍‌ଆଇ ସରୋଜ ପ୍ରଧାନ, ହାବିଲଦାର୍‌  ବଳରାମ ମଲ୍ଲିକ ଏବଂ କନ୍‌ଷ୍ଟେବଲ ପୂର୍ଣ୍ଣଚନ୍ଦ୍ର  ବେହେରା । ଖବର ଅନୁସାରେ ପେଣ୍ଠକଟା ଫାଣ୍ଡିରେ ନିୟମିତ ଭାବେ ମଦ ଆସର  ଜମୁଥିବା ନେଇ ଅଭିଯୋଗ ହେଉଥିଲା । 

ଗତ  ୬ ତାରିଖ ରାତିରେ ନିଶାସକ୍ତ ଅବସ୍ଥାରେ  ଫାଣ୍ଡି ଭିତରୁ ବାହାରକୁ ଆସି ପୁଲିସ  ବାବୁମାନେ ହୋହଲ୍ଲା କରିଥିଲେ । ସ୍ଥାନୀୟ  ଲୋକେ ଏହି ଦୃଶ୍ୟ ଦେଖିବା ପରେ ଘଟଣା  ପ୍ରଚାରିତ ହୋଇଥିଲା । ଏନେଇ ବିଭିନ୍ନ  ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।  ଶେଷରେ କର୍ତ୍ତବ୍ୟରେ ଅବହେଳା କରିଥିବା  ଅଭିଯୋଗରେ ଏସ୍‌ପି ଶ୍ରୀ ଅଗ୍ରୱାଲ୍‌  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୩ ଜଣଙ୍କୁ ନିଲମ୍ବନ  କରିଛନ୍ତି । 

ସୂଚନାଯୋଗ୍ୟ ଯେ, ହାବିଲ୍‌ଦାର୍‌  ଶ୍ରୀ ମଲ୍ଲିକ ବିରୋଧରେ ଏକାଧିକବାର  ସର୍ବସାଧାରଣ ସ୍ଥାନରେ କଳି ଝଗଡ଼ା କରିବା  ନେଇ ମଧ୍ୟ ଅଭିଯୋଗ ରହିଥିବା ଜଣାପଡ଼ିଛି ।