ଭଞ୍ଜନଗର,୪/୧୨ ସରକାରୀ ଅର୍ଥ ତୋଷାରପାତ ଅଭିଯୋଗରେ ପିଇଓ ଗିରଫ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକର ବ୍ରାହ୍ମଣ ପଦର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିରେନ୍ଦ୍ର କୁମାର ଶାସ୍ତ୍ରୀଙ୍କୁ ତାରା ସିଂ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
ତାରା ସିଂ ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀଙ୍କ ସୂଚନା ଅନୁସାରେ ଭଞ୍ଜନଗର ବିଡିଓ ଭାରତୀ ଦେବୀ ଗତ ୧୬/୧୧/୨୦୨୫ ତାରିଖରେ ବ୍ଳକର ବ୍ରାହ୍ମଣ ପଦର ପଞ୍ଚାୟତର ପିଇଓ ବିରେନ୍ଦ୍ର କୁମାର ଶାସ୍ତ୍ରୀଙ୍କ ବିରୋଧରେ ଏକ ଲିଖିତ ଏତଲା ଦେଇଥିଲେ। ଏଥିରେ ପିଇଓ ଶାସ୍ତ୍ରୀ ମୋଟ ୬ ଲକ୍ଷ ୭୦ ହଜାର ଟଙ୍କା ପଞ୍ଚାୟତ ଆକାଉଣ୍ଟରୁ ଉଠାଇଥିଲେ ମଧ୍ୟ ତାର ହିସାବ ବିଡିଓଙ୍କୁ ଦେଇ ନଥିଲେ। ଏଥିପାଇଁ ବହୁବାର ତାଙ୍କୁ ବ୍ଳକ ପକ୍ଷରୁ ନୋଟିସ କରାଯାଇଥିଲେ ମଧ୍ୟ ସେ ଏହାକୁ ଅବମାନନା କରିଥିଲେ। ଏପରିକି ବିଡ଼ିଓଙ୍କ ନୋଟିସର ଉତ୍ତର ଦେଉନଥିଲେ। ଫଳରେ ବିଡିଓ ଭାରତୀ ଦେବୀ ଶେଷରେ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଏକଥା ଆଣିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପିଇଓ ଶାସ୍ତ୍ରୀଙ୍କ ନାମରେ ତାରା ସିଂ ଥାନାରେ ଲିଖିତ ଏତଲା ଦେଇଥିଲେ। ତାରା ସିଂ ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ଅଭିଯୁକ୍ତ ପିଇଓ ବିରେନ୍ଦ୍ର କୁମାର ଶାସ୍ତ୍ରୀଙ୍କ ନାମରେ ମାମଲା ରୁଜୁ କରି ଗିରଫ କରିବା ସହ ଗୁରୁବାର କୋର୍ଟ ଚାଲାଣ କରିଛନ୍ତି।