ଉମରକୋଟ, ୨୬/୦୫(ଆପ୍ର): ଡହ ଡହ ଖରାରେ ପାଣି ପାଇଁ ନାହିଁନଥିବା ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ। ଶେଷରେ ଗରା, ହାଣ୍ଡି, ମାଠିଆ, ବାଲଟି ଧରି ରାସ୍ତାରୋକ କରିଥିଲେ ଗ୍ରାମବାସି। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଧୋଡ୍ରା ପଂଚାୟତ ଅଧୀନରେ ଥିବା ବିଡ୍ରିଗୁଡା ଗ୍ରାମରେ।
ବିଡ୍ରିଗୁଡା ଗାଁ, ଯେଉଁଠି ଦୀର୍ଘଦିନ ଧରି ଲୋକଙ୍କୁ କନ୍ଦାଉଛି ଜଳାଭାବ। ଡହ ଡହ ଖରାରେ ପାଣି ପାଇଁ ନାହିଁ ନଥିବା ସମସ୍ୟା ଏବେ ବସୁଧା ଯୋଜନାର ଘରକୁ ଘର ବିଶୁଦ୍ଧ ପାଣି ଯୋଗାଣର ଚିତ୍ର ପଦାରେ ପକାଇଛି। ଆଜକୁ ଦୁଇବର୍ଷ ହେବ ଚାଲିଛି କାମ ହେଲେ ଏଯାବତ କାମ ସରିନି ଏଭଳି ଅନେକ ପରିବାର ପାଣି ଆଦୌ ପାଇପାରୁନଥିବା ବେଳେ ଯାହାକୁ ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ। ଦିନେ ଛାଡି ଦିନେ ଅଧ ଘଣ୍ଟା ଛଡାଯାଉଛି ପାଣି ତାହାର ମଧ୍ୟ ଠିକଣା ନାହିଁ। ଛୁଆ ପିଲାଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ଏହି ଜଳସଙ୍କଟର ଶିକାର ହେଉଛନ୍ତି।
ଗୋଟିଏପଟେ ଦୀର୍ଘ ଦିନ ହେବ କାମ ମନ୍ଥର ଗତିରେ ଚାଲିଥିବା ବେଳେ ନିର୍ବାଚନ ଭେଳିକିରେ ନଡ଼ିଆ ଭାଙ୍ଗି ରିବନ କାଟିଦେଲେ ନେତା। ହେଲେ ଏବେ ଲୋକଙ୍କ ପାଣି ସମସ୍ୟା କେହି ବୁଝୁ ନାହାନ୍ତି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ଆଜି ଗ୍ରାମର ଶତାଧିକ ମହିଳା ନବରଙ୍ଗପୁର ଉମରକୋଟ ରାଜରାସ୍ତାରେ ଗରା ମାଠିଆ ଧରି ପ୍ରତିବାଦ ଜଣେଇ ରାସ୍ତା ଅବରୋଧ କରିଥିଲେ। ଯାହା ଫଳରେ ପ୍ରାୟ ଦୁଇ ଘଣ୍ଟା ଯାତାୟାତ ଠପ ହୋଇଯାଇଥିଲା ଏବଂ ପାଣି ସମସ୍ୟାର ସମାଧାନ ଲାଗି ଅଡ଼ି ବସିଥିଲେ ତେବେ ଘଟଣା ସ୍ଥଳରେ ରାଜା ବୋରୱେଲର ମାଲିକ ସୋନୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ତିନିଦିନ ମଧ୍ୟରେ ପାଣି ସମସ୍ୟା ଦୂର ହୋଇଯିବ ବୋଲି ଲୋକଙ୍କୁ ବୁଝାସୁଝା କରି ପ୍ରତିଶୃତି ଦେବା ପରେ ମହିଳାମାନେ ଧାରଣାରୁ ଉଠିଥିଲେ।