ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରେ ୪୬ ବର୍ଷ ଧରି ବନ୍ଦ ଥିବା ହିନ୍ଦୁ ମନ୍ଦିର ଖୋଲିବା ଏବଂ ସେଠାରେ ପୂଜା ଆରମ୍ଭ କରିବା ଦାବି ଏବେ ଚର୍ଚ୍ଚାରେ ରହିଛି । ଆଉ ଏହି ସମୟରେ ବାରାଣାସୀରେ ମଧ୍ୟ ଏଭଳି ଏକ ମାମଲା ସାମ୍ନାକୁ ଆସିଛି।ବାସ୍ତବରେ, ଏଠାରେ ଏକ ହିନ୍ଦୁ ମନ୍ଦିର ଖୋଲିବାକୁ ଦାବି ହୋଇଛି, ଯାହାକି ମୁସଲମାନ ପ୍ରାଧାନ୍ୟ ଅଞ୍ଚଳରେ ଦୀର୍ଘ ଚାରି ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ବନ୍ଦ ହୋଇ ପଡିରହିଛି । ମନ୍ଦିର ଖୋଲିବା ପାଇଁ ବହୁ ସଂଖ୍ୟକ ଲୋକ ଏଠାରେ ଏକତ୍ରିତ ହେବା ଆରମ୍ଭ କରିଛନ୍ତି, ଯେଉଁଥିପାଇଁ ପ୍ରଶାସନ ପକ୍ଷରୁ ସେହି ଅଂଚଳରେ PAC ନିୟୋଜିତ କରି ମନ୍ଦିରର ମାଲିକାନା ଦଲିଲ ଖୋଜିବା ଆରମ୍ଭ କରିଛି । 

ଏନେଇ ଅଧିକାରୀ ମାନେ ଆଜି (ବୁଧବାର) କହିଛନ୍ତି ଯେ, ବନ୍ଦ ମନ୍ଦିର ଖୋଲିବା ପାଇଁ ବାରାଣାସୀର ମଦନପୁରା ଅଞ୍ଚଳରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। ଏହି ଗୋଷ୍ଠୀର ନେତୃତ୍ବ ସନାତନ ରକ୍ଷା ଦଳର ନେତାଙ୍କ ଦ୍ୱାରା କରାଯାଇଥିଲା । ଦଳର ନେତା ଅଜୟ ଶର୍ମା କହିଛନ୍ତି ଯେ,"ଏହି ମନ୍ଦିର ମୁଖ୍ୟତ ମୁସଲମାନ ସମ୍ପ୍ରଦାୟର ଲୋକ ବାସ କରୁଥିବା ଅଞ୍ଚଳରେ ରହିଛି, ଏବଂ ବର୍ଷ ବର୍ଷ ଧରି ଏହା ଅବହେଳିତ ହୋଇଆସୁଛି । ମନ୍ଦିର ପରିସରଟି ମଇଳା ଏବଂ ଆବର୍ଜନାରେ ପରିପୂର୍ଣ୍ଣ। ଏହାର ଆଖପାଖ ଜମିର ମାଲିକ ମାନେ ହିନ୍ଦୁ ଥିଲେ। ପରେ ଏହାକୁ ମୁସଲମାନ ପରିବାର କିଣିଥିଲେ। ଏହି କାରଣରୁ ମନ୍ଦିର ସମୟ ସହିତ ତାଳ ଦେଇ ଖାଲି ହୋଇଯାଇଛି। 

ଜିଲ୍ଲା ପ୍ରଶାସନ ଏବଂ ପୋଲିସ ଟିମ୍ ମଧ୍ୟ ମଙ୍ଗଳବାର ମନ୍ଦିରକୁ ଯାଇ ଘଟଣାର ତଦନ୍ତ କରିଥିଲେ । ମନ୍ଦିର ତାଲା ର ଚାବି କାହା ପାଖରେ ଅଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ରାଜସ୍ୱ ଏବଂ ପ୍ରଶାସନ ଦଳ ତଦନ୍ତ କରୁଛନ୍ତି ବୋଲି ପୋଲିସ କହିଛି। ପୁରୁଣା ରେକର୍ଡ ଗୁଡିକ ଯାଞ୍ଚ କରାଯାଉଛି । ଯାହା ବି ଆଇନଗତ ପ୍ରକ୍ରିୟା କରାଯିବ, ତାହା କାର୍ଯ୍ୟକାରୀ ହେବ । ପୋଲିସର ସୂଚନାନୁସାରେ, ସ୍ଥାନୀୟ ଲୋକ ମାନେ ମନ୍ଦିର ଖୋଲିବାକୁ କୌଣସି ଆପତ୍ତି ପ୍ରକାଶ କରିନାହାଁନ୍ତି । ତେବେ ସୁରକ୍ଷା ଦୃଷ୍ଟିରୁ ସେଠାରେ PAC କର୍ମଚାରୀ ନିୟୋଜିତ ହୋଇଛନ୍ତି ଏବଂ କ୍ରମାଗତ ଭାବେ ପାଟ୍ରୋଲିଂ କରାଯାଉଛି।