ପ୍ରମୂଖ ଖବର
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ନାମକୁ ମାତ୍ର ଗାଇଡଲାଇନ୍... ଅମାନିଆଙ୍କ ପାଇଁ କାର୍ଯ୍ୟାନୁଷ୍ଠାନ ନାହିଁ କି ଡରାଣ ନାହିଁ

Published By : Rasmita Pradhan | October 30, 2024 9:59 AM

ଭୁବନେଶ୍ୱର, ୩୦/୧୦ : ଦିନକ ପରେ ଦୀପାବଳି । ସହରରୁ ଗାଁ ଯାଏଁ ବାଣ ଦୋକାନ ଭର୍ତ୍ତି ହୋଇଗଲାଣି । ବେପାରୀ ଓ ଲୋକେ ବସ୍ତା ବାଣ ବୋହି ନେଲେଣି । ଏବେ ଏବେ ଆସିଲା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗାଇଡ୍‌ଲାଇନ୍‌ । ଚିରାଚରିତ ଢଙ୍ଗରେ ଗାଇଡଲାଇନ ପ୍ରସ୍ତୁତ ହୋଇଛି । ସବୁ ବର୍ଷ ଭଳି ସେଇ ସମାନ କଥା, ସମାନ କଟକଣା । କେବଳ ସବୁଜ ବାଣ ଫୁଟାଇ ପାରିବେ । ବେଶି ଶବ୍ଦ ଓ ପ୍ରଦୂଷଣ କରୁଥିବା ଢୋ ଢା ବାଣ ଫୁଟାଇ ପାରିବେନି । କେବଳ ସନ୍ଧ୍ୟା ୭ଟାରୁ ରାତି ୯ଟା ଭିତରେ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି । ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇ ଏମିତି ଗାଇଡ୍‌ଲାଇନ୍‌ ଦେଇଛନ୍ତି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ମାତ୍ର ଏ ଗାଇଡଲାଇନ ପୂରାପୂରି ଦନ୍ତହୀନ । ଅମାନିଆଙ୍କ ପାଇଁ କିଛି କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ନାହିଁ, କିମ୍ବା ଡରାଣ ବି ନାହିଁ । ସତେ ଯେମିତି ସରକାରୀ ପରମ୍ପରାକୁ ପାଳନ କରି ନାଁକୁ ଖାଲି ଗାଇଡଲାଇନ ଜାରି ହୋଇଛି । ମାତ୍ର ବ୍ୟବସ୍ଥା ଏମିତି, ଯିଏ ମାନୁଛି ମାନୁ, ନ ମାନିଲେ ଢୋ... । 

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସରକାରଙ୍କୁ ପରାମର୍ଶ ଦେଇ ଜାରି ହୋଇଥିବା ଦୀପାବଳି ଗାଇଡଲାଇନର ପ୍ରଥମ ଧାଡ଼ିରେ କୁହାଯାଇଛି, ଦୀପ ଜାଳି ଦୀପାବଳି ପାଳନ କରନ୍ତୁ । ସନ୍ଧ୍ୟା ୭ଟାରୁ ୯ଟା ଭିତରେ ହିଁ ବାଣ ଫୁଟାନ୍ତୁ । ଧମାଧମ୍‌ ବା ସିରିଜ ବାଣ କେହି ଫୁଟାଇବେ ନାହିଁ । ଯେଉଁ ଆତସବାଜି ହେବ, ତା’ର ଶବ୍ଦ ୧୨୫ ଡେସିବିଲ୍‌ ଟପିବନି । ବଗିଚା, ପାର୍କ ପାଖରେ କେହି ବାଣ ଫୁଟାଇବେ ନାହିଁ । ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋର୍ଟ, ଧାର୍ମିକ ସ୍ଥାନ ଆଦି ସାଇଲେନ୍ସ ଜୋନ୍‌ର ୧୦୦ ମିଟର ପରିଧି ଭିତରେ ଆତସବାଜିକୁ (ବାଣ ଫୁଟା)କୁ ମନା କରାଯାଇଛି । କେବଳ ଖୋଲା ସ୍ଥାନରେ ସବୁଜ ବାଣ ହିଁ ଫୁଟାଇବାକୁ କୁହାଯାଇଛି । ବସ୍ତି ପାଖରେ ବାଣ ନ ଫୁଟାଇବା ପାଇଁ ପରାମର୍ଶ ଦିଆଯାଇଛି । ବଡ଼ ଶବ୍ଦ ସୃଷ୍ଟି କରୁଥିବା ବାଣକୁ ୧୦ ବର୍ଷରୁ କମ୍‌ ପିଲା ବ୍ୟବହାର କରିବାକୁ ବାରଣ କରାଯାଇଛି । ସୂତା ପୋଷାକ ପିନ୍ଧିବା ପାଇଁ ଦୀପାବଳି ପାଳନ କରିବା ଉଚିତ । ଶେଷ ଧାଡ଼ିଲେ ଉଲ୍ଲେଖ ରହିଛି, ସବୁଜ ବାଣ ବ୍ୟତୀତ ଅନ୍ୟ ସବୁ ବାଣକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନିଷିଦ୍ଧ କରାଯାଇଛି । ବାଣରେ ବେରିୟମ ଓ ନିଷିଦ୍ଧ କେମିକାଲ୍‌ ବ୍ୟବହାରକୁ ବାରଣ କରାଯାଇଛି । 

ରାଜ୍ୟ ପ୍ରଦୂଷଣ ବୋର୍ଡ ଏମିତି ଗାଇଡଲାଇନ ଦେଇ ହାତ ଟେକି ଦେଇଛି । ଏକଥା ନୁହେଁ ଯେ ଏମିତି ଗାଇଡଲାଇନ ଆଗରୁ ଆସିନାହିଁ, ପ୍ରତିବର୍ଷ ଆସେ । ଆଉ ପ୍ରତିବର୍ଷ ଅମାନିଆ ଧୁମଧାମରେ ଢୋ ଢା କରି ବାଣ ବର୍ଷା କରନ୍ତି । ପ୍ରଚଣ୍ଡ ଶବ୍ଦ ଚାରିଦିଗରୁ କମ୍ପାଏ । ଧୂଆଁରେ ନାକ ରୁନ୍ଧି ହୋଇଯାଏ, ଯେମିତି ଗତ ବର୍ଷ ଭୁବନେଶ୍ୱର ସ୍ଥିତି ହୋଇଥିଲା । ନିୟମ କିଏ ମାନୁଛି, କିଏ ନ ମାନୁଛି, ଦେଖିବାକୁ କେହି ନାହାନ୍ତି । ବାଣ ଫୁଟି ଆକାଶକୁ ଉଠିଲା ପରେ ତା’ର ମାଲିକାନା କିଏ ବୁଝିବ । ୭ରୁ ୯ଟା ବାଣ ଫୁଟା ସମୟ ଧାର୍ଯ୍ୟ ହୋଇଛି । ଏହି ଅବଧି ପରେ ଓ ପୂର୍ବରୁ କେହି ବାଣ ଫୁଟାଇବେ ନାହିଁ ବୋଲି ଗ୍ୟାରେଣ୍ଟି କିଏ ଦେବ ?

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.