ପୁରୀ ୮/୭ : ଚଳିତ ରଥଯାତ୍ରା ସମୟରେ ହୋଇଥିବା ଦଳାଚକଟା ଘଟଣାର ତଦନ୍ତ ପାଇଁ ଉନ୍ନୟନ ଆୟୁକ୍ତଙ୍କୁ ସରକାର ଦାୟିତ୍ୱ ଦେଇଛନ୍ତି। ଚଳିତ ମାସ ୧୦ ତାରିଖ ଅପରାହ୍ନ ୩ଟା ପର ଠାରୁ ଆଗ୍ରହୀ ବ୍ୟକ୍ତି ଘଟଣା ସମ୍ପର୍କରେ ଆୟୁକ୍ତଙ୍କୁ ପୁରୀ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ସାକ୍ଷାତ କରି ପାରିବେ। ଏ ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ସେ ସମ୍ପର୍କରେ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଘଟଣାକୁ ନେଇ କୌଣସି ସୂଚନା କିମ୍ବା ତଥ୍ୟ ଭିଡିଓ ଫୁଟେଜ ସହ ଥିଲେ ଚଳିତ ମାସ ୨୦ ତାରିଖ ସୁଦ୍ଧା puritragedy.enquiry@ .odisha .gov.in ଇ ମେଲ ଯୋଗେ ପଠାଇ ପାରିବେ। ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ୦୬୭୪-୨୫୩୬୮୮୨/୨୩୯୧୯୭୦ ରେ ଯୋଗାଯୋଗ ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
ସୂଚନାଯୋଗ୍ୟ ଯେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଶ୍ରୀଜିଉଙ୍କୁ ଦର୍ଶନ ବେଳେ ପ୍ରବଳ ଭିଡ଼ କାରଣରୁ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଏପରିକି ଲୋକଙ୍କ ମଧ୍ୟରେ ଦଳାଚକଟା ହୋଇଥିଲା । ଆଉ ଏହି ଭିଡ଼ରେ ୩ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଥିଲା । ଏହି ଘଟଣାର ସଂପୂର୍ଣ୍ଣ ପ୍ରଶାସନିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଥିଲେ । ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏହି ଘଟଣାର ତଦନ୍ତ କରାଯିବ ବୋଲି କହିଥିଲେ ।