ଭୁବନେଶ୍ୱନର,ଆଦିତ୍ୟ ପଣ୍ଡା ଓ ଶ୍ରୀବାସ ନାୟକ,୦୫/୧୨: ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ । ପ୍ରକୃତିକୋଳରେ କିଛି ସମୟ ବିତାଇବା ପାଇଁ ଏବେ ପର୍ଯ୍ୟଟନ ସ୍ଥଳୀ ମୁହାଁ ପର୍ଯ୍ୟଟକ । ପାହାଡ଼ ପର୍ବତ ଘେରା, ସବୁଜିମା ଭରା ଢେଙ୍କାନାଳ ଜିଲ୍ଲାର ଅନେକ ଐତିହ୍ୟପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଲାଗିଲାଣି ଦର୍ଶକଙ୍କ ଭିଡ଼ । କୁଞ୍ଚୁକୁଞ୍ଚିକା ପାହାଡ଼ର ସବୁଜିମା ମଧ୍ୟରେ ଝରଣାର କୁଳୁକୁଳୁ ଗୀତ; କେବଳ ପର୍ଯ୍ୟଟନ ଋତୁ କାହିଁକି, ବର୍ଷସାରା ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ପବିତ୍ର ପୀଠ ଯୋରନ୍ଦା ମହିମାଗାଦି, କପିଳାସ ଗିରିକନ୍ଦରରେ ବିରାଜିତ ପ୍ରଭୁ ଶ୍ରୀଚନ୍ଦ୍ରଶେଖର, ସପ୍ତଶଯ୍ୟାର ଘଞ୍ଚ ବନାନୀ ଓ ପ୍ରକୃତିକୋଳରେ ଉଭା ଶ୍ରୀରଘୁନାଥଜିଉ ପୀଠକୁ ନେଇ ପର୍ଯ୍ୟଟନ ବିଭାଗର ପରିକଳ୍ପନା "ସ୍ୱର୍ଣ୍ଣତ୍ରିଭୁଜ' ପର୍ଯ୍ୟଟକଙ୍କୁ ଟାଣିଆଣିଥାଏ । ଜୈବ ବିବିଧତାରେ ପରିପୂର୍ଣ୍ଣ କପିଳାସ ଅଭୟାରଣ୍ୟ, କଙ୍କଡ଼ାହାଡ଼ର ସବୁଜିମା ଭରା ଜଙ୍ଗଲ ଭିତରେ ରାମିଆଳ ନଦୀରେ ଦଣ୍ଡାଧର ଡ୍ୟାମ୍‌, ପରଜଙ୍ଗର ଦଦରାଘାଟି ଡ୍ୟାମ୍‌, ହିନ୍ଦୋଳର ସାପୁଆ ଡ୍ୟାମ୍‌, ନନ୍ଦିନିଆ ଜଳପ୍ରପାତ ପର୍ଯ୍ୟଟକଙ୍କୁ ଆନମନା କରେ । ବ୍ରହ୍ମପୁରା ମହିମା ଆଶ୍ରମ, କୁଆଳୋର ଅଷ୍ଟଶମ୍ଭୁ, ସରାଙ୍ଗର ଅନନ୍ତଶୟନ, ଭୁବନର ବୁଦେ୍ଧଶ୍ୱର, କରମୂଳ ସ୍ଥିତ ଗଣେଶଖୋଲ, ଓଡ଼ାପଡ଼ାର ନାଧରା ମା’ ରାମଚଣ୍ଡୀ ପୀଠ, ଏକଘରିଆ ସ୍ଥିତ ଶରଣଶ୍ରୀକ୍ଷେତ୍ର, କପିଳାସ ପାଦଦେଶରେ ଥିବା ତପୋବନ ପୀଠର ଆଧ୍ୟାତ୍ମିକ ବାତାବରଣରେ ନିଜକୁ ହଜାଇ ଦେଇଥାନ୍ତି ପର୍ଯ୍ୟଟକ । ଢେଙ୍କାନାଳ ଜିଲ୍ଲାର ଏହିସବୁ ପର୍ଯ୍ୟଟନ ସ୍ଥଳୀ ଗୁଡି଼କୁ ନେଇ ‘ପ୍ରମେୟ’ର ସ୍ୱତନ୍ତ୍ର ଉପସ୍ଥାପନା ।

ଗିରିକନ୍ଦରରେ ଶ୍ରୀଚନ୍ଦ୍ରଶେଖର
ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ କପିଳାସ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ପାଇଛି । କପିଳାସ ପର୍ବତ ୨୨୩୯ ଫୁଟ୍‌ ଉଚ୍ଚତା ବିଶିଷ୍ଟ ହୋଇଥିବା ବେଳେ ଏହାର କଟିଦେଶ ଅର୍ଥାତ୍‌ ୧୫୦୦ ଫୁଟ୍‌ ଉଚ୍ଚରେ ପ୍ରଭୁ ଶ୍ରୀଚନ୍ଦ୍ରଶେଖରଙ୍କର ମନ୍ଦିର ବର୍ଷତମାମ୍‌ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିଥାଏ । ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ୬୦ ଫୁଟ୍‌ ଉଚ୍ଚର ଏହି ମନ୍ଦିର ପରିସରରେ ପାର୍ବତୀ ମନ୍ଦିର, ନାରାୟଣ, ବିଶ୍ୱନାଥ, ଭୁବନେଶ୍ୱରୀ, ଶ୍ରୀଧରସ୍ୱାମୀଙ୍କ ସମାଧି ପୀଠ, ସୀତାଙ୍କ ଅନ୍ତୁଡି଼ଶାଳ, ଦେବସଭା, ବ୍ରହ୍ମଚାରୀ ମଠ, ହରିହର ମଠ ଓ କୁଣ୍ଡ, ପୟୋମୃତ କୁଣ୍ଡ, ପାପନାଶିନୀ କୁଣ୍ଡ ସମେତ ଅନେକ ଛୋଟ ଛୋଟ ମନ୍ଦିରମାନ ରହିଛି । ମହାଶିବରାତ୍ରୀ, କାର୍ତ୍ତିକ ପୂର୍ଣ୍ଣିମା ଓ ରଜ ସଂକ୍ରାନ୍ତି, ଶ୍ରାବଣ ମାସରେ ଜଳଲାଗି ଆଦି ପାଇଁ ପୀଠକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସିଥାନ୍ତି । 

ସାତ ପାହାଡ଼ର ଶୋଭା ସପ୍ତଶଯ୍ୟା
କୁଞ୍ଚୁକୁଞ୍ଚିକା ସାତ ପାହାଡ଼ର ଶୋଭା ସପ୍ତଶଯ୍ୟା । ପ୍ରକୃତିର ଭରପୁର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବାନ୍ଧିରଖେ । ସବୁଜ ବନାନୀର ପ୍ରାକୃତିକ ଶୋଭାରାଜି, ପକ୍ଷୀଙ୍କ କଳରବ, ଝରଣାର କୁଳୁକୁଳ ନାଦ ସଂଗୀତର ମୂର୍ଚ୍ଛନା ତୋଳେ । ପ୍ରକୃତିପ୍ରେମୀ ତଥା ବଣଭୋଜି ନିମନ୍ତେ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ସପ୍ତଶଯ୍ୟା । ପାଣ୍ଡବମାନେ ଅଜ୍ଞାତବାସ ସମୟରେ ଏଠାରେ କିଛିଦିନ ଅବସ୍ଥାନ କରିଥିବା ବିଶ୍ୱାସ ରହିଛି । ପାହାଡ଼ ଉପରେ ସପ୍ତର୍ଷି ଆଶ୍ରମ, ସୀତାଙ୍କ ଅନ୍ତୁଡି଼ଶାଳ, ରଘୁନାଥ କୁଟୀର ପ୍ରଭୃତି ରହିଥିଲା । ରକ୍ଷଣାବେକ୍ଷଣ ଅଭାବରୁ ସେସବୁ ଏବେ ଚିହ୍ନବର୍ଣ୍ଣ ନାହିଁ । 

ତପୋବନ ପୀଠ
ଢେଙ୍କାନାଳ-କପିଳାସକୁ ଯିବା ରାସ୍ତାରେ ପଡ଼େ ତପୋବନ ପୀଠ । ମୁଖ୍ୟରାସ୍ତାଠାରୁ ୪ କିମି ଦୂର କପିଳାସ ପାହାଡ଼ ଉପରେ ସ୍ୱୟଂ ମହିମାସ୍ୱାମୀ ୨୪ ବର୍ଷ କାଳ ତପସ୍ୟା କରିଥିଲେ । କପିଳାସ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ରହିଛି ଏହି ପୀଠ । ମହିମା ଧର୍ମର ମୁଖ୍ୟପୀଠ ଯୋରନ୍ଦା ମହିମାଗାଦି ହୋଇଥିଲେ ମଧ୍ୟ ତପୋବନ ପୀଠ ମହିମା ଧର୍ମର ଗୁରୁତ୍ୱ ରହିଛି । ପାହାଡ଼ରୁ ଜଙ୍ଗଲ ମଧ୍ୟ ଦେଇ ପ୍ରବାହିତ ଝରଣାର କୁଳୁକୁଳୁ ଶବ୍ଦ ପର୍ଯ୍ୟଟକ ଆନମନା କରିଥାଏ ।

ଆକୃଷ୍ଟ କରୁଛି ଔଷଧୀୟ ଅରଣ୍ୟ

୫ ଶହ ୯୫ ଏକର ପରିମିତ ଜମିରେ ପ୍ରାୟ ୪୦ ହଜାର ନିମ୍ବ, ମହାଲିମ୍ବ ସହ ନାନା ପ୍ରକାର ଔଷଧୀୟ ଗଛ ମଧ୍ୟରେ ରହିବା ଓ ବଣଭୋଜି କରିବାର ସୁଯୋଗ ଦେଇଛି କାମାକ୍ଷାନଗର ସୋଗର ସ୍ଥିତ ମହାତ୍ମାଗାନ୍ଧି ଔଷଧିୟ ଅରଣ୍ୟ । ଢେଙ୍କାନାଳ ସହରରୁ ଦୂରତା ମାତ୍ର ୧୬ କିମି । ବୁଲାବୁଲି ସହ ଭୋଜି ପାଇଁ ପିଣ୍ଡି ଏବଂ ଛୋଟ ଛୋଟ ୨୦ଟି କଟେଜ୍‌ ରହିଛି । ଯେଉଁଠି ରାତ୍ରି ରହଣିର ବ୍ୟବସ୍ଥା ରହିଛି । ପର୍ଯ୍ୟଟକ ୱାଟର ପାର୍କ, ୱାଚ ଟାୱାରର ମଜା ନେଇପାରିବେ ।

ପ୍ରକୃତିରାଣୀ ଦଣ୍ଡାଧର
 ଡ୍ୟାମ୍‌ ଶଗଡ଼ର ଦୁଇଟି ଲମ୍ୱ ସଦୃଶ ଦଣ୍ଡ ଧାର ଆକାରରେ ପାଣି ଆସୁଥିବାରୁ ଡ୍ୟାମ୍‌ର ନାଁ ଦଣ୍ଡାଧର । ଦୁଇ ପାହାଡ଼ ଓ ଜଙ୍ଗଲ ପରିବେଶ ମଧ୍ୟରେ ରହିଛି ଏହି ଜଳଭଣ୍ଡାର । ପ୍ରାକୃତିକ ସୌନ୍ଦର୍ଯ୍ୟର ଅପରୂପ ଶୋଭାବହନ କରୁଥିବା ଦଣ୍ଡାଧର ଜଳଭଣ୍ଡାର ପ୍ରକୃତିପ୍ରେମୀଙ୍କ ପାଇଁ ମନପସନ୍ଦର ସ୍ଥାନ । ୨୦୧୬ରେ ରାଜ୍ୟ ସରକାର ଏହାକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେଇଛନ୍ତି । ଜଳଭଣ୍ଡାରର ନୀଳ ଜଳରାଶି ଓ ଉଭୟ ପାଶ୍ୱର୍ରେ ଥିବା ସବୁଜ ଘଞ୍ଚ ଜଙ୍ଗଲ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଏହାର ଡାହାଣ ପାଖରେ ରଞ୍ଜାଗଡ଼ ପାହାଡ଼ ଆଉ ବାମ ପାଖରେ ରହିଛି କଲଦା ଘୁଟିରିଙ୍ଗା ପାହାଡ଼ । କେନ୍ଦୁଝର ଜିଲ୍ଲାର ଗୋନାସିକା ପାହାଡ଼ର ପାଣି ଆଉ ଏକୁଲ ଗ୍ରାମର ପିଛୁଳି ନାଳର ପାଣି ଏଇଠି ମିଶିଛି । 

ଦଦରାଘାଟି ଡ୍ୟାମ୍‌
ପରଜଙ୍ଗ ବ୍ଲକ୍‌ ଆଖୁଆପାଳଠାରେ ରହିଛି ଦଦରାଘାଟି ଡ୍ୟାମ୍‌ । ବିସ୍ତୀର୍ଣ୍ଣ ଜଳରାଶି ଓ କୁଦ ଉପରେ ବିଦେଶାଗତ ପକ୍ଷୀଙ୍କ ବିଚରଣ ବେଶ୍‌ ମନମୁଗ୍ଧକର । ଡ୍ୟାମ୍‌ର ତଳି ଅଞ୍ଚଳ ତଥା ଦକ୍ଷିଣ ଭାଗରେ ବଣଭୋଜି ପାଇଁ ଉପଯୁକ୍ତ ସ୍ଥାନ ଥିବାରୁ ଏଠାକୁ ବଣଭୋଜି କରିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲୋକଙ୍କ ଆଗମନ ହୋଇଥାଏ । ବିଶେଷ କରି ନଭେମ୍ବରରୁ ଫେବ୍ରୁଆରୀ ପର୍ଯ୍ୟନ୍ତ ବଣଭୋଜି ପାଇଁ ଏଠାରେ ଭିଡ଼ ଜମିଥାଏ । ପର୍ଯ୍ୟଟକ ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ମଜା ଉଠାଇଥାନ୍ତି ପର୍ଯ୍ୟଟକ ।

ସାପ ଆକୃତିର ଡ୍ୟାମ୍‌​​​​​​​

"ସାପୁଆ' ଜଳଭଣ୍ଡାରର ନୀଳ ଜଳରାଶି, ଘଞ୍ଚ ଶାଳ ଜଙ୍ଗଲର ଶାନ୍ତ ପରିବେଶ, ବନ୍ୟଜୀବନର ଅପୂର୍ବ ସମନ୍ୱୟ "ସାପୁଆ' । ସାପ ଆକୃତିର ଅଙ୍କାବଙ୍କା ହୋଇ ଜଳ ନିଷ୍କାସନ ହେଉଥିବାରୁ ଏହାର ନାମ ସାପୁଆ । କଂକ୍ରିଟ୍‌ ଜଙ୍ଗଲଠାରୁ ଦୂରରେ ପ୍ରକୃତିରାଣୀ ଏଠାରେ ଅଜାଡ଼ି ଦେଇଛି ସବୁକିଛି, ଯାହାର ଶୋଭା ଆକର୍ଷିତ କରୁଛି ସହରୀ ମଣିଷଙ୍କୁ । ହିନ୍ଦୋଳ ବ୍ଲକ୍‌ ରାସୋଳ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ "ସାପୁଆ'କୁ ମିଳିଛି ଢେଙ୍କାନାଳ ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ । ଢେଙ୍କାନାଳ ସଦର ମହକୁମାଠାରୁ ୪୦ କିମି ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳୀ । ପର୍ଯ୍ୟଟନ ଋତୁରେ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସମାଗମ ହେଉଥିବାବେଳେ ବଣଭୋଜି ପାଇଁ ଏହା ପ୍ରକୃଷ୍ଟ ସ୍ଥାନ । 

ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମହିମାଗାଦ
ମହିମା ଧର୍ମର ପବିତ୍ର କ୍ଷେତ୍ର ଯୋରନ୍ଦା ମହିମାଗାଦି, ଏହାକୁ ମହିମା ଧର୍ମାବଲମ୍ବୀମାନେ ପବିତ୍ର ଗୁରୁଗାଦି ଭାବରେ ବିବେଚନା କରିଥାନ୍ତି । ମହିମାଗାଦିର ମୁଖ୍ୟ ଆକର୍ଷଣ ହେଉଛି ଗାଦିମନ୍ଦିର । ଗାଦିମନ୍ଦିର ସ୍ୱୟଂ ମହିମା ସ୍ୱାମୀଙ୍କର ସମାଧି ମନ୍ଦିର । ଏହି ମନ୍ଦିରରେ ମୁହଁ ନାହିଁ । ଏଥିପାଇଁ ଏହାକୁ କେହି କେହି ଅମୁହାଁ ଦେଉଳ ବୋଲି କହିଥାନ୍ତି । ଏତଦ୍‌ବ୍ୟତୀତ ମହିମାସ୍ୱାମୀ ଯେଉଁଠାରେ ଧ୍ୟାନ କରୁଥିଲେ ତାହା ଏକୋଇଶହାତିଆ ମନ୍ଦିର ଭାବେ ପରିଚିତ ।ଏଠାରେ ବଡ଼ମଠ ମଧ୍ୟରେ ରହିଛି ମହିମାସ୍ୱାମୀଙ୍କ ନୀତି ମନ୍ଦିର । ଯେଉଁଥିରେ ସୁନା, ରୁପାର ଅଳଙ୍କାର, ଛତ୍ରୀ, ତରାସ ଓ ନୀତି ସାମଗ୍ରୀ ଗୁଡି଼କ ରହିଛି ।

 ବିଶ୍ୱରେ ବିରଳ ଶ୍ରୀବିଷ୍ଣୁଙ୍କ ଅନନ୍ତଶୟନ
ପରଜଙ୍ଗ ବ୍ଲକ୍‌ ସରାଙ୍ଗ ସ୍ଥିତ ବ୍ରାହ୍ମଣୀ ନଦୀର ସୁଦୀର୍ଘ ବାଲୁକା ଶଯ୍ୟାରେ ରହିଛି ଶ୍ରୀବିଷ୍ଣୁଙ୍କର ଅନନ୍ତଶୟନ ମୂର୍ତ୍ତି । ମୁକ୍ତାକାଶ ତଳେ ବ୍ରାହ୍ମଣୀ ଜଳଧାରା ସଂଲଗ୍ନ ବିସ୍ତୀର୍ଣ୍ଣ ଏକ ପ୍ରସ୍ତର ଚଟାଣ ଉପରେ ଏହି କମନୀୟ ଅନନ୍ତଶୟନ ଶ୍ରୀବିଷ୍ଣୁ ପ୍ରତିମା ଖୋଦିତ ହୋଇଛି । ୫୧ ଫୁଟ୍‌ ଲମ୍ବ ଓ ୨୩ ଫୁଟ୍‌ ଓସାରର ଏଭଳି ମୂର୍ତ୍ତି ବିଶ୍ୱରେ ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ । ଗବେଷକଙ୍କ ମତରେ ସରାଙ୍ଗର ଏହି ଅନନ୍ତଶୟନ ମୂର୍ତ୍ତି ସମଗ୍ର ଦେଶର ମୁକ୍ତାକାଶ ତଳେ ଖୋଦିତ ଦୀର୍ଘତମ ପ୍ରତିମା । ମୂର୍ତ୍ତିକୁ ଲାଗି ପ୍ରବାହିତ ବ୍ରାହ୍ମଣୀର ଜଳଧାରାକୁ ଏଠାରେ ପୁରାଣ ବର୍ଣ୍ଣିତ କ୍ଷୀର ସମୁଦ୍ର ସହିତ କଳ୍ପନା କରାଯାଇଛି । ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରଣ କରିଥିବା ଶ୍ରୀବିଷ୍ଣୁଙ୍କ ନାଭିରୁ ଉଦ୍‌ଗତ ପଦ୍ମ ଉପରେ ବ୍ରହ୍ମା ଉପବେଶନ କରିଥିବାର ଦେଖିବାକୁ ମିଳେ ।

ରାମଚଣ୍ଡୀ ପୀଠ, ନାଧର
ଓଡ଼ାପଡ଼ା ବ୍ଲକ୍‌ ନାଧରା ଗ୍ରାମର ମା' ରାମଚଣ୍ଡୀଙ୍କ ପୀଠ ଅନନ୍ୟ ଆକର୍ଷଣ । ବ୍ରାହ୍ମଣୀ ନଦୀ କୂଳରେ ମା'ଙ୍କ ଏହି ମନ୍ଦିର ରାଜାରାଜୁଡ଼ା ଅମଳର । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକ ପ୍ରାକୃତିକ ପରିବେଶ ମଧ୍ୟରେ ବଣଭୋଜି ପାଇଁ ଏଠାକୁ ଛୁଟିଥାନ୍ତି । ମା’ ରାମଚଣ୍ଡୀଙ୍କ ମହିମା ମଧ୍ୟ ଅପାର । ମା’ଙ୍କ ପାଖରେ ମାନସିକ କଲେ ଚର୍ମ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ମା’ଙ୍କ ନିକଟରେ ମାଛପୋଡ଼ା ଭୋଗ ଲାଗୁଥିବା ବେଳେ ଏଠାରେ ଆମିଷ ଭୋଜି ନିମନ୍ତେ କୌଣସି ବାରଣ ନଥାଏ । ଯାହାଫଳରେ ଏଠାରେ ବର୍ଷସାରା ଲୋକେ ବଣଭୋଜି କରିବାକୁ ଭିଡ଼ ଜମାଇଥାନ୍ତି । 

ଅଷ୍ଟମ ଶତାବ୍ଦୀର ପୀଠ ‘ଅଷ୍ଟଶମ୍ଭୁ’
ପରଜଙ୍ଗ ବ୍ଲକ୍‌ କୁଆଳୋରେ ରହିଛି ପ୍ରାଚୀନ ଅଷ୍ଟଶମ୍ଭୁ ମନ୍ଦିର । ଅଷ୍ଟମ ଶତାବ୍ଦୀରେ ଏହି ମନ୍ଦିର ନିର୍ମାଣ ହୋଇଥିବା ଜଣାଯାଏ । ଏହି ଐତିହାସିକ ପୀଠ ତଥା କୀର୍ତ୍ତରାଜିର ସୁରକ୍ଷା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କରାଯାଉଛି । ମନ୍ଦିରର ପ୍ରମୁଖ ଦେବତା ମହାପ୍ରଭୁ କନକେଶ୍ୱର । ଏହାବାଦ୍‌ ପୀଠ ପରିସରରେ ସ୍ୱପ୍ନେଶ୍ୱର, ଐଶାନେଶ୍ୱର, କପିଳେଶ୍ୱର, ବୈଦ୍ୟନାଥେଶ୍ୱର, ବାଣେଶ୍ୱର, ଲୋକନାଥେଶ୍ୱର ଏବଂ ଉତ୍ତରେଶ୍ୱର ମହାଦେବଙ୍କ ଛୋଟବଡ଼ ଦେଉଳ ରହିଛି । ଯେଉଁଥି ପାଇଁ ଏହି ପୀଠକୁ ଅଷ୍ଟଶମ୍ଭୁ ବୋଲି କୁହାଯାଇଥାଏ ।