ନୂଆଦିଲ୍ଲୀ ୧୪/୧୨: ପାକିସ୍ତାନ କରାଚୀର ଏକ କୋର୍ଟରେ ବଲିଉଡ୍ ଫିଲ୍ମ ‘ଧୁରନ୍ଧର’ ବିରୋଧରେ ଆବେଦନ ଦାଖଲ ହୋଇଛି । ଅଭିଯୋଗ ଯେ ଫିଲ୍ମରେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋଙ୍କ ଫଟୋ, ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ପତାକା ଓ ପାର୍ଟି ରାଲିର ଫୁଟେଜକୁ ଅନୁମତି ବିନା ବ୍ୟବହାର କରାଯାଇଛି । ଏଥିସହିତ ପିପିପିକୁ ଫିଲ୍ମରେ ଆତଙ୍କବାଦକୁ ସମର୍ଥନ କରୁଥିବା ପାର୍ଟି ରୂପେ ଦର୍ଶାଇବାର ଅଭିଯୋଗ ମଧ୍ୟ ହୋଇଛି । ପିପିପି କର୍ମକର୍ତ୍ତା ମହମ୍ମଦ ଆମିର କରାଚୀର ଡିଷ୍ଟ୍ରିକ୍ଟ ଆଣ୍ଡ୍ ସେସନ୍ସ କୋର୍ଟରେ ଏହି ଆବେଦନ ଦାଖଲ କରିଛନ୍ତି ।
ଏଥିରେ ଦାବି ହୋଇଛି, ଫିଲ୍ମର ନିର୍ଦ୍ଦେଶକ, ନିର୍ମାତା, କଳାକାର ଏବଂ ପ୍ରଚାର ଓ ନିର୍ମାଣରେ ସାମିଲ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଉ । ଆବେଦନରେ ଫିଲ୍ମର ମୁଖ୍ୟ ଅଭିନେତା ରଣବୀର ସିଂହଙ୍କ ସମେତ ସଞ୍ଜୟ ଦତ୍ତ, ଅକ୍ଷୟ ଖାନ୍ନା, ଅର୍ଜୁନ ରାମପାଲ, ଆର୍ ମାଧବନ, ସାରା ଅର୍ଜୁନ ଓ ରାକେଶ ବେନି, ନିର୍ଦ୍ଦେଶକ ଆଦିତ୍ୟ ଧର୍, ନିର୍ମାତା ଲୋକେଶ ଧର୍ ଓ ଜ୍ୟୋତି କିଶୋର ଦେଶପାଣ୍ଡେଙ୍କ ନାଁ ରହିଛି ।
ଅଭିଯୋଗକର୍ତ୍ତାଙ୍କ ଅନୁସାରେ, ଫିଲ୍ମର ଔପଚାରିକ ଟ୍ରେଲରରେ ବେନଜୀର ଭୁଟ୍ଟୋଙ୍କ ଫଟୋ ଓ ପିପିପି ସହ ସଂଶ୍ଳିଷ୍ଟ ଦୃଶ୍ୟ କୌଣସି ଆଇନଗତ ଅନୁମତି ବିନା ପ୍ରଦର୍ଶିତ ହୋଇଛି । ପିପିପିକୁ ଆତଙ୍କୀଙ୍କ ପ୍ରତି ସହାନୁଭୂତି ରଖୁଥିବା ପାର୍ଟି ରୂପେ ମଧ୍ୟ ଉପସ୍ଥାପନ କରାଯାଇଛି । କରାଚୀର ଲ୍ୟାରୀକୁ ଆତଙ୍କୀଙ୍କ ଯୁଦ୍ଧ କ୍ଷେତ୍ର ବୋଲି କୁହାଯାଇଛି, ଯାହା ମାନହାନିକାରକ, ଭ୍ରାମକ ଓ ପାକିସ୍ତାନର ଛବିକୁ ନଷ୍ଟ କରୁଛି । ଆବେଦନକର୍ତ୍ତା ପ୍ରଥମେ ଦରଖଶାଂ ଥାନାରେ ମାମଲା ରୁଜୁ କରିବାକୁ ଯାଇଥିଲେ । କିନ୍ତୁ ପୁଲିସ ମାମଲା ରୁଜୁ ନ କରିବାରୁ ସେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ‘ଧୁରନ୍ଧର’ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଭଲ ପ୍ରଦର୍ଶନ କରୁଛି । ତେବେ ମଧ୍ୟପ୍ରାଚ୍ୟରେ ଅନେକ ଦେଶରେ ଫିଲ୍ମକୁ ବ୍ୟାନ୍ କରାଯାଇଛି ।