ନୂଆଦିଲ୍ଲୀ: ଭାରତରେ ଦୀର୍ଘଦିନ ହେବ ପୋଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ବର୍ତ୍ତମାନ ସମଗ୍ର ବିଶ୍ୱରେ ଅଶୋଧିତ ତୈଳ ଦର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଆମ ଭିତରେ ଏମିତି ଅନେକ ଜଣ ଅଛନ୍ତି ଯେଉଁମାନେ ଏହି ପରିପ୍ରେକ୍ଷିରେ ସରକାର ତୈଳ ଦର ହ୍ରାସ କରିବା ନେଇ କୌଣସି ପଦକ୍ଷେପ ନବା ଦରକାର ବୋଲି ଚିନ୍ତା ମଧ୍ୟ କରୁଛନ୍ତି। ତେବେ ଦେଖିବାକୁ ଗଲେ ସରକାର ଏ ଦିଗରେ ଅତ୍ୟନ୍ତ ସତର୍କତାର ସହ ବିଚାର ବିମର୍ଷ କରୁଛନ୍ତି। ଆପଣ ମାନଙ୍କୁ ମଧ୍ୟ ଏନେଇ ଥରେ ବିଶ୍ୱ ବଜାର ଉପରେ ନଜର ପକାଇବାର ଆବଶ୍ୟକତା ରହିଛି।
ବର୍ତ୍ତମାନ ଭାରତରେ ଥିବା ସମସ୍ତ ତୈଳ ବିପଣନକାରି କମ୍ପାନୀ ଗୁଡିକ ଚିନ୍ତାରେ ପଡିଛନ୍ତି। କାରଣ ଆମେରିକା ଋଷରୁ କ୍ରୁଡ ଅଏଲ କିଣୁଥିବା ଦେଶମାନଙ୍କୁ ଚେତାବନି ଦେଇ କହିଛି ଯେ “ଯଦି କୌଣସି ଦେଶ ଋଷ ନିକଟରୁ ତେଲ କିଣିବା ବନ୍ଦ ନକରନ୍ତି ତେବେ ସେମାନଙ୍କ ଉପରେ ଆମେରିକା ୫୦୦ ପ୍ରତିଶତ ପାଲଟା ଶୁଳ୍କ ଲଗାଇବ।” ବର୍ତ୍ତମାନ ଭାରତ ଋଷ ନିକଟରୁ ନିଜ ଦୈନିକ ଆବଶ୍ୟକତାର ୩୫ ପ୍ରତିଶତ କ୍ରୁଡ ଅଏଲ ବିଶେଷ ରିହାତି ସହ କ୍ରୟ କରୁଛି। ତେବେ ଯଦି ଆମେରିକା ଦେଇଥିବା ଚେତାବନିକୁ ସତରେ କାର୍ଯ୍ୟକାରୀ କରେ ତେବେ ଭାରତ ଏହି ସୁଲଭ ତୈଳ କାରବାରକୁ ବନ୍ଦ କରିବାକୁ ବାଧ୍ୟ ହେବ।
ବର୍ତ୍ତମାନ ବିଶ୍ୱରେ ଅଶୋଧିତ ତୈଳର ଅଭାବ ପରିଲକ୍ଷିତ ହୋଇନାହିଁ। ଅନ୍ୟପଟେ ଆମେରିକାର ଏହି ଧମକ ପରେ ଭାରତର ସରକାରୀ ତୈଳ ବିପଣନକାରୀ ସଂସ୍ଥା OPEC ବର୍ତ୍ତମାନ ଋଷଠୁ ତୈଳ କ୍ରୟର ପରିମାଣକୁ ବଢାଇ ଦେଇଛି। କାରଣ ଭାରତ ଅପେକ୍ଷା ଓ ଦେଖିବା(ୱେଟ ଆଣ୍ଡ ୱାଚ) ନୀତି ଆପଣେଇଛି। ଏହାସହ ଭାରତର ଅନ୍ୟ ତୈଳ ବିପଣନକାରୀ ସଂସ୍ଥା ଗୁଡିକ ଅନ୍ୟ ବିକଳ୍ପ ଆପଣେଇବା ଉପରେ କର୍ଯ୍ୟ କରୁଛନ୍ତି। ତେବେ ଯଦି ଆମେରିକା ସତରେ ପାଲଟା ଶୁଳ୍କ ଲଗାଏ ତେବେ ଭାରତକୁ ରିହାତି ମୁଲ୍ୟରେ ତେଲ ମିଳିବା ବନ୍ଦ ହୋଇଯିବ।
କେମିତି ସ୍ଥିର ହୁଏ ପେଟ୍ରୋଲ ଓ ଡିଜେଲ ଦର?
ତେଲ ବିତରଣକାରୀ ସଂସ୍ଥା ଗୁଡିକ ଦୈନିକ ତେଲ ଦର ଧାର୍ଯ୍ୟ କରିଥାନ୍ତି। ଏହି ଦର ଧାର୍ଯ୍ୟ କରିବା ପାଇଁ ଆନ୍ତର୍ଜାତୀୟ ସ୍ତରରେ ତୈଳ ଦର, ଟଙ୍କା ଓ ଡଲାର ବିନିମୟ ମୁଲ୍ୟ, ବୌଶ୍ୱିକ ଆବଶ୍ୟକତା ଓ ଯୋଗାଣକୁ ବିଚାରକୁ ନିଆଯାଇଥାଏ। ଶେଷଥର ପାଇଁ ଗତ ବର୍ଷ ମାର୍ଚ୍ଚ ମାସରେ ତୈଳ ଦରରେ ୨ ଟଙ୍କାର ପରିବର୍ତ୍ତନ କରାଯାଇଥିଲା। ଏହା ପରଠୁ ଦରରେ ସେମିତି ଆଖିଦୃଶିଆ ପରିବର୍ତ୍ତନ କରାଯାଇ ନାହିଁ।
ଉତ୍ପାଦ ଶୁଳ୍କ (ଏକ୍ସସାଇଜ ଡ୍ୟୁଟି) କ'ଣ?
ଦର କମାଇବା ପରିବର୍ତ୍ତେ, ସରକାରଙ୍କ ପାଖରେ ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି କରିବାର ସୁଯୋଗ ରହିଛି। କାରଣ ପୂର୍ବରୁ ବିଶ୍ୱ ବଜାରରେ ତେଲ ଦର ଖସିବା ପରେ ସରକାର ଗତ ୨୦୨୫ ଏପ୍ରିଲ ମାସରେ ଉତ୍ପାଦ ଶୁଳ୍କକୁ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଥିଲେ। ବର୍ତ୍ତମାନ ବିଶ୍ୱ ବଜାରରେ ତୈଳ ମୂଲ୍ୟ ଖସିବାରେ ଲାଗିଛି। ଏଣୁ ସରକାର ଆଗକୁ କ’ଣ କରିବେ ତାହା ଉପରେ ସମସ୍ତଙ୍କର ନଜର ରହିଛି।
ତେବେ ଆପଣଙ୍କୁ ଜଣାଇରଖୁ ଯେ, ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର କମିବା ପରେ ଜୁନ ୧ ତାରିଖ ସୁଦ୍ଧା ଜେଟ ଇନ୍ଧନର ମୁଲ୍ୟରେ ପାଖାପାଖି ୩ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି। ସେହିଭଳି କମର୍ସିଆଲ ଏଲପିଜି ସିଲିଣ୍ଡର ଦରରେ ମଧ୍ୟ ୨୪ ଟଙ୍କା ହ୍ରାସ ହୋଇଛି। ତେବେ ଏହି ବୌଶ୍ୱିକ ମାନ୍ଦାବସ୍ଥା ଭାରତୀୟ ତୈଳ ବଜାର ଉପରେ ସକରାତ୍ମକ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି।