ନୂଆଦିଲ୍ଲୀ: ଇସ୍ରାଏଲ ଓ ଇରାନ୍‌ ମଧ୍ୟରେ ସଂଘର୍ଷର ପ୍ରଭାବ ଭାରତ ଉପରେ ପଡ଼ିବ ବୋଲି କୁହାଯାଉଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଏକ ମନ୍ତବ୍ୟ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦାମ ବୃଦ୍ଧି ପାଇଛି । ଯଦି ଏହି ବୃଦ୍ଧି ଜାରି ରହେ ତେବେ ଭାରତରେ ପେଟ୍ରୋଲ ଓ ଡିଜେଲ୍‌ ଦାମ ବଢ଼ିପାରେ । ଗୁରୁବାର ଅନ୍ତର୍ଜାତୀୟ ବଜାରରେ ତୈଳ ଦରରେ ବୃଦ୍ଧି ବିଶ୍ବରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି, ଇରାନ୍‌ର ତୈଳ ଠିକଣା ଉପରେ ଇସ୍ରାଏଲର ସମ୍ଭାବ୍ୟ ଆକ୍ରମଣ ଉପରେ ଆଲୋଚନା କରୁଛୁ । ଏହା ପରେ ଅଶୋଧିତ ତୈଳର ଦାମରେ ୫ ପ୍ରତିଶତ ବୃଦ୍ଧି ଘଟିଛି । ବାଇଡେନଙ୍କ ଏହି ମନ୍ତବ୍ୟ, ନିବେଶକ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଅଶୋଧିତ ତୈଳ ବ୍ୟବସାୟକୁ ନେଇ ଏକ ଅନିଶ୍ଚିତତା ପରିସ୍ଥିତି ଦେଖାଦେଇଛି । ବିଶ୍ବର ଏକ ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶ ଇରାନ ଉପରେ ଇସ୍ରାଏଲ ଯଦି ଆକ୍ରମଣ କରେ ତେବେ ବିଶ୍ବସ୍ତରରେ ତେଲ ଯୋଗାଣ ବାଧାପ୍ରାପ୍ତ ହୋଇପାରେ । ଆଉ ଏଥିପାଇଁ ତେଲର ଦାମ ଆହୁରି ବଢ଼ିବାର ସମ୍ଭାବନା ରହିଛି । 

ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଅସ୍ଥିରତା ଲାଗି ଦୀର୍ଘ ଦିନ ହେଲା ତୈଳ ଦରରେ ଅସମାନତା ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ବାଇଡେନଙ୍କ ମନ୍ତବ୍ୟ ପାଇଁ ବ୍ରେଣ୍ଟ କ୍ରୁଡ୍‌ ଦାମରେ ୫ ପ୍ରତିଶତ ବୃଦ୍ଧି ସହ ୮୯ ଡଲାର ପ୍ରତି ବ୍ୟାରେଲ୍‌ ହୋଇଛି ।  ବଜାର ବିଶେଷଜ୍ଞଙ୍କ ଅନୁସାରେ, ଯଦି ଇରାନ୍‌ର ତୈଳ ଠିକଣା ଉପରେ ଇସ୍ରାଏଲ ଆକ୍ରମଣ କରେ ତେବେ ବିଶ୍ବରେ ତୈଳ ଯୋଗାଣ ଉପରେ ଗମ୍ଭୀର ପ୍ରଭାବ ପଡ଼ିପାରେ ।