ନୂଆଦିଲ୍ଳୀ,୧୪।୩: ପେଟ୍ରୋଲ ପମ୍ପରେ ଗାଡିରେ ଫୁଏଲ ଭରିବା ବେଳେ ଆମକୁ ଜଣାନଥାଏ ଆମ ସହ ଠକେଇ ହେଉଛି। ବହୁବାର ଆମେ ମିଯରରେ ୦.୦୦ ଦେଖିବା ପରେ ବାକି କୌଣସି ଜିନିଷ ଉପରେ ଧ୍ୟାନ ଦେଇନଥାଉ। ଏଭଳି ସ୍ଥିତିରେ ଆପଣଙ୍କ ସହ ଠକେଇ ହୋଇପାରେ। ତେଣୁ ପେଟ୍ରୋଲ କିମ୍ବା ଡିଜେଲ୍ ଭରିବା ସମୟରେ କେବଳ ଜିରୋ ଦେଖିବା ପର୍ଯ୍ୟାପ୍ତ ନୁହେଁ। ବଂର କିଛି ଜରୁରୀ କଥା ଉପରେ ବି ଧ୍ୟାନ ଦେବା ଦରକାର, ଯାହାଫଳରେ ଆପଣ କୌଣସି ପ୍ରକାର ଠକେଇରୁ ରକ୍ଷା ପାଇପାରିବେ। ବହୁବାର ଅସଲି ଠକେଇ ଡେନସିଟି ମିଟରରୁ ହୋଇଥାଏ।
ତେବେ ଆସନ୍ତୁ ଜାଣିବା ଏହି ‘ଡେନସିଟି ମିଟର’ କ’ଣ ? ଏହା ହେଉଛି ପେଟ୍ରୋଲ କିମ୍ବା ଡିଜେଲର କ୍ବାଲିଟି ଓ ପ୍ୟୁରିଟି ଦର୍ଶାଇଥାଏ। ସହଜ ଭାଷାରେ ଯଦି କହିବା ତେବେ ଏହା ଫୁଏଲର ଡେନସିଟି ଅର୍ଥାତ ଘନତ୍ବ ଓ ଏହାର ଗୁଣବତ୍ତାର ମାପକାଠି। ଯଦି ଏଥିରେ ଧାର୍ଯ୍ୟସୀମାଠାରୁ ଅଧିକ କିମ୍ବା କମ୍ ଦେଖାଯାଏ ତେବେ ଫୁଏଲରେ ଅପମିଶ୍ରଣ ହୋଇଛି ବୋଲି ଜଣାପଡିଥାଏ। ଏହି ଅପମିଶ୍ରିତ ଫୁଏଲ ଆପଣଙ୍କ ଗାଡିର ଇଞ୍ଜିନକୁ କ୍ଷତି କରିପାରେ।
ଆପଣଙ୍କ ପାଇଁ ଏହା ଜାଣିବା ଜରୁରୀ ଯେ ପେଟ୍ରୋଲର ଡେନ୍ସିଟି ବା ଘନତା ପ୍ରତି କ୍ୟୁବିକ୍ ମିଟରରେ ୭୩୦ ରୁ ୮୦୦ କିଲୋଗ୍ରାମ ମଧ୍ୟରେ ହେବା ଉଚିତ। ଅନ୍ୟପକ୍ଷରେ, ଡିଜେଲର ଡେନ୍ସିଟି ପ୍ରତି କ୍ୟୁବିକ୍ ମିଟରରେ ୮୩୦ ରୁ ୯୦୦ କିଲୋଗ୍ରାମ ମଧ୍ୟରେ ହୋଇଥାଏ। ଯଦି ଡେନ୍ସିଟି ଏହି ନିର୍ଦ୍ଧାରିତ ପରିସର ବାହାରେ ଦେଖାଯାଏ, ତେବେ ଆପଣ ସତର୍କ ରହିବା ଉଚିତ। ଆପଣ ଏହାକୁ ପେଟ୍ରୋଲ ପମ୍ପରେ ମଧ୍ୟ ମାନୁଆଲି ଯାଞ୍ଚ କରାଇପାରିବେ। ନିୟମ ଅନୁଯାୟୀ, ଦେଶର ପ୍ରତ୍ୟେକ ନାଗରିକଙ୍କର ପେଟ୍ରୋଲର ଶୁଦ୍ଧତା ମାପିବାର ଅଧିକାର ଅଛି।
ଆପଣଙ୍କୁ ଆଉ ଏକ ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ ତାହା ହେଉଛି ଯେତେବେଳେ ମିଟର ଶୂନ୍ୟ ବା ଜିରୋ ହୁଏ ଏବଂ ପେଟ୍ରୋଲ ଭର୍ତ୍ତି ହେବା ଆରମ୍ଭ ହୁଏ, ମିଟର ଉପରେ ନଜର ରଖନ୍ତୁ। ଯଦି ମିଟର ମଝିରେ ଛୋଟ ସଂଖ୍ୟା ବିନା ସିଧା ୦ ରୁ ୧୦ ପର୍ଯ୍ୟନ୍ତ ଯାଏ, ତେବେ ଏହା ମଧ୍ୟ ଏକ ତ୍ରୁଟିକୁ ସୂଚାଇପାରେ। ଏହି ପରିସ୍ଥିତିରେ, ଆପଣଙ୍କୁ ତୁରନ୍ତ ସତର୍କ ରହିବା ଉଚିତ।